ଭୋଗରାଇର ରୋଗିଣା ଡାକ୍ତରଖାନା । ଚିକିତ୍ସକ ବିହିନ ଚିକିତ୍ସାଳୟରେ ମିଳୁନି ସ୍ୱାସ୍ଥ୍ୟସେବା !

82

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟସେବା । ଡାକ୍ତରଖାନାରେ ଭିର୍ତ୍ତିଭୂମି ଥିଲେ ବି ନାହାନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର । ତେଣୁ ରୋଗିଣା ପାଲଟିଯାଇଛି ସ୍ୱାସ୍ଥ୍ୟ ସେବା । ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ୧୧ଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ଡାକ୍ତରଖାନା ଗୁଡିକରେ ବିଭିନ୍ନ ବିଭାଗରେ ୩୫ ଜଣ ଡାକ୍ତର ଆବଶ୍ୟକ ହେଉଥିବା ବେଳେ ଅଛନ୍ତି ମାତ୍ର ୭ ଜଣ ଡାକ୍ତର । ୭ଟି ଚିକିତ୍ସାଳୟର ସ୍ଥାନରେ ଆଦୌ ଚିକିତ୍ସକ ନାହାନ୍ତି, ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି ।

ବାଲେଶ୍ୱର ଜିଲ୍ଲାର ସୀମାନ୍ତବର୍ତୀ ବ୍ଲକ ଭୋଗରାଇ । ଜିଲ୍ଲାର ସଦର ମହୁକମା ଠାରୁ ବ୍ଲକର ଦୂରତା ପ୍ରାୟ ୧୦୦ କିଲୋମିଟର । ତେଣୁ ସ୍ୱାସ୍ଥ୍ୟସେବା ପାଇଁ ସିଏଚସି ଓ ପିଏସଚି ଉପରେ ନିର୍ଭର କରନ୍ତି ରୋଗୀ । ହେଲେ ଏଠାରେ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଡାକ୍ତର ନଥିବାରୁ ନିରାମୟ କେନ୍ଦ୍ରରୁ ମାଗଣା ଔଷଧ ମଧ୍ୟ ପାଇ ପାରୁନାହାନ୍ତି ଅଂଚଳବାସୀ । ଜରୁରିକାଳୀନ ପରିସ୍ଥିତିରେ ରୋଗୀ ଡାକ୍ତରଖାନାକୁ ଆସିଲେ, ଫାର୍ମାଷିଷ୍ଟ ଓ ନର୍ସ ସେବା ଯୋଗାଉଛନ୍ତି । ଡାକ୍ତର ପଦବୀ ପୂରଣ ପାଇଁ ସ୍ଥାନୀୟ ଲୋକ ବାରମ୍ବାର ଦାବି କରୁଥିଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ବାଲେଶ୍ୱର ଜିଲ୍ଲାରେ ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା ବଢୁଛି । ଭୋଗରାଇ ବ୍ଲକରେ ଏହାର ସଂଖ୍ୟା କିଛି କମ୍ ନୁହେଁ । ତେବେ ସାପ କାମୁଡିବା ପରେ ନିକଟସ୍ଥ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ମିଳୁନଥିବାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।