କନକ ବ୍ୟୁରୋ : ଗାଡ଼ିର ପଞ୍ଜୀକରଣ କରିବା କିମ୍ବା ଫିଟ୍ନେସ୍ ସାର୍ଟିଫିକେଟ୍ ଜାରି କରିବା ପୂର୍ବରୁ ଫାସ୍ଟ୍ୟାଗ୍ ବିବରଣୀ ସଂଗ୍ରହ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କାର୍ଯ୍ୟ କରିବା ଲାଗି ନ୍ୟାସନାଲ୍ ଇନଫର୍ମେଟିକ୍ ସେଣ୍ଟର୍ ଏନ୍ଆଇସିକୁ ନିର୍ଦେଶ ଦିଆଯାଇଛି। ଏନ୍ଆଇସିକୁ ଲେଖାଯାଇଥିବା ଚିଠିର ନକଲ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିକଟକୁ ପଠାଇ ଦିଆଯାଇଛି।
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବାହନ ପୋର୍ଟାଲ୍ରେ ଜାତୀୟ ଇଲେକ୍ଟ୍ରୋନିକ୍ସ ଟୋଲ୍ ସଂଗ୍ରହ ଏନ୍ଇଟିସିକୁ ସମନ୍ୱିତ କରାଯାଇଛି। ଗାଡ଼ି ପରିଚୟ ନମ୍ବର ଓ ଗାଡ଼ି ପଞ୍ଜୀକରଣ ନମ୍ବର ଜରିଆରେ ଫାସ୍ଟ୍ୟାଗ୍ର ସମସ୍ତ ବିବରଣୀକୁ ବାହନ ବ୍ୟବସ୍ଥା ହାସଲ କରୁଛି। ପ୍ରିପେଡ୍ ଖାତା କିମ୍ବା ସଞ୍ଚୟ ଜମା ଖାତାରୁ ସିଧାସଳଖ ଟୋଲ୍ ବାବଦ ଦେୟ କାଟିବା ଲାଗି ଫାସ୍ଟ୍ୟାଗ୍ ପକ୍ଷରୁ ରେଡିଓ ଫ୍ରିକ୍ବେନ୍ସି ଆଇଡେଣ୍ଟିଫିକେସନ୍ ପ୍ରଯୁକ୍ତିକୁ ବ୍ୟବହାର କରାଯାଇଛି । କୌଣସି ଗାଡ଼ି ଟୋଲ୍ ପ୍ଲାଜା ଅତିକ୍ରମ କରିବା ବେଳେ ଗାଡ଼ିର ୱିଣ୍ଡ୍ସ୍କ୍ରିନ୍ରେ ଲାଗିଥିବା ପ୍ରିପେଡ୍ ଟ୍ୟାଗ୍ରୁ ବିବରଣୀ ହାସଲ କରିଥାଏ। ବିନା ମାନବ ସ୍ପର୍ଶରେ ଗାଡ଼ି ସହ ଲିଙ୍କ୍ ଥିବା ବ୍ୟାଙ୍କ ଖାତାରୁ ଟୋଲ୍ ବାବଦ ଦେୟ କଟୁଛି। ଜାତୀୟ ପରମିଟ୍ରେ ଚଳାଚଳ କରୁଥିବା ଗାଡ଼ି ପାଇଁ ଫିଟ୍ନେସ୍ ସାର୍ଟିଫିକେଟ୍ ଜାରି କରିବା କିମ୍ବା ନୂଆ ଗାଡ଼ି ପଞ୍ଜୀକରଣ କରିବା ବେଳେ ଫାସ୍ଟ୍ୟାଗ୍ ବିବରଣୀ ସଂଗ୍ରହ କରାଯିବ। ଏମ୍ ଓ ଏନ୍ ବର୍ଗର ଗାଡ଼ି ବିକ୍ରି ବେଳେ ଫାସ୍ଟ୍ୟାଗ୍ ଲଗାଇବା ବିଷୟକୁ ୨୦୧୭ରୁ ବାଧ୍ୟତାମୂଳକ କରାଯାଇଛି। ୨୦୨୦ ମେ’ ସୁଦ୍ଧା ଦେଶରେ ୧.୬୮ କୋଟି ଫାସ୍ଟ୍ୟାଗ୍ ଜାରି କରାଯାଇଛି।
Follow Us