କନକ ବ୍ୟୁରୋ: ପୁଣି ବଢ଼ିବ କି ବିଦ୍ୟୁତ ଦର । ଏଭଳି ଆଶଙ୍କାରେ ସାଧାରଣ ଲୋକ ଥିବାବେଳେ ବିଦ୍ୟୁତ ଦର ବୃଦ୍ଧି ନେଇ ଓଇଆରସିରେ ଶୁଣାଣି ହୋଇଛି । ଦରବୃଦ୍ଧିକୁ ବିରୋଧ କରି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଆଗରେ ଯୁକ୍ତି ରଖିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ଗ୍ରିଡ୍କୋର ଭୁଲ ପାଇଁ ଆର୍ଥିକ ବୋଝ ପଡୁଛି ଲୋକଙ୍କ ଉପରେ । ବକେୟା ଅର୍ଥ ଆଦାୟ ନକରି କାହିଁକି ସାଧାରଣ ଗ୍ରାହକଙ୍କ ଉପରେ ଆର୍ଥିକ ବୋଝ ଲଦାଯିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ବିଦ୍ୟୁତ ଉପଭୋକ୍ତା ସଂଘ ମଧ୍ୟ ଏହି ଯୁକ୍ତିକୁ ସମର୍ଥନ ଜଣାଇଛି ।

Advertisment

ଶସ୍ତାରେ ବିଦ୍ୟୁତ କିଣିବା ସହ ଗ୍ରାହକଙ୍କୁ ଶସ୍ତାରେ ବିଦ୍ୟୁତ ଯୋଗାଇ ଦେବାର ଦାୟିତ୍ୱ ଗ୍ରିଡକୋର । ହେଲେ ସଂସ୍ଥାର ଭୁଲ ଯୋଗୁଁ ବୋଝ ପଡୁଛି ଗ୍ରାହକଙ୍କ ଉପରେ । ୨୦୨୨-୨୩ ବର୍ଷ ଲାଗି ବିଦ୍ୟୁତ ଦର ବୃଦ୍ଧି ନେଇ ଚାଲିଥିବା ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଆଗରେ ଏଭଳି ଯୁକ୍ତି ରଖିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ବାର୍ଷିକ ରାଜସ୍ୱ ଆବଶ୍ୟକତା ନେଇ ଗ୍ରିଡ୍କୋ ଭଳି ବିଦ୍ୟୁତ ଟ୍ରେଡର, ଓଇଆରସି ନିକଟରେ ଯାହା ଉପସ୍ଥାପନ କରିଛି, ତାହା ଆଇନ ସମ୍ମତ ନୁହେଁ ବୋଲି ସୌମ୍ୟରଂଜନ ଯୁକ୍ତି ବାଢ଼ିଛନ୍ତି । ଓଡ଼ିଶାରେ ୨୫ ହଜାର ମେଗା ୟୁନିଟ ଆବଶ୍ୟକ ଥିବା ବେଳେ ୨୮ ହଜାର ୫୦୦ ମେଗା ୟୁନିଟ ଦାବି କରୁଛି ଗ୍ରିଡ୍କୋ । ଅଧିକ ୩ ହଜାର ୫୦୦ ମେଗା ୟୁନିଟ୍ କାହିଁକି ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଗ୍ରିଡ୍କୋ ବକେୟା ଟଙ୍କା ଆଦାୟ କରିପାରୁନଥିବାରୁ ତାହାର ଭରଣା ସାଧାରଣ ଉପଭୋକ୍ତା କାହିଁକି ଦେବେ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ବିଦ୍ୟୁତ ଉପଭୋକ୍ତା ସଂଘର ଅନେକ ସଦସ୍ୟ ଏହାକୁ ସମର୍ଥନ କରିଛନ୍ତି ।

ଓଡିଶା ବିଦ୍ୟୁତ ଦର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ରହିଛି । ଏଥିପାଇଁ ଶିଳ୍ପ ସଂସ୍ଥାମାନେ ଖୋଲା ବଜାରରୁ କିମ୍ବା ନିଜସ୍ୱ ବିଦ୍ୟୁତ କେନ୍ଦ୍ର କରି ଚାହିଦା ମେଂଟାଉଛନ୍ତି । ଏଥିପାଇଁ ଓଡିଶାରେ ବଳକା ବିଦ୍ୟୁତ ହୋଇଯାଇଛି । ଏଥିପାଇଁ ବିଚାର କରାନଗଲେ ଆଗକୁ ବହୁ ସମସ୍ୟା ହେବ ବୋଲି ଉପଭୋକ୍ତା ସଂଘ କହିଛି । ଅନ୍ୟପଟେ ବିଦ୍ୟୁତ ଶୁଳ୍କ  ବୃଦ୍ଧି ପ୍ରତିବାଦରେ ଓଇଆରସି କାର୍ଯ୍ୟାଳୟ ବାହାରେ ବିକ୍ଷୋଭ କରିଛି ସମାଜବାଦୀ ପାର୍ଟି ।

ଗ୍ରିଡକୋ ଯେଉଁ ଦାବି କରୁଛି ସେସବୁକୁ ମାନିନେଲେ ୟୁନିଟ ପିଛା ବିଦ୍ୟୁତ ୬୦ରୁ ୭୦ ପଇସା ବଢିଯିବ ବୋଲି ବିଶେଷଜ୍ଞ କହିଛନ୍ତି । ଯାହାର ପ୍ରଭାବ ପଡିବ ସାଧାରଣ ଉପଭୋକ୍ତାଙ୍କ ଉପରେ ।