ରତ୍ନଭଣ୍ଡାରର ଲେଜର ସ୍କାନିଂ ବଦଳରେ, ଖୋଲିବାକୁ ଦାବି କଲା ବିଜେପି: ପୂର୍ବତନ ବିଜେପି ସଭାପତି ପ୍ରେସମିଟ୍ କରି କହିଲେ, ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ଗଠନ ହେଉ କମିଟି
କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଂଚ ପାଇଁ ଲେଜର ସ୍କାନିଂ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ବେଳେ ଏନେଇ ପ୍ରଶ୍ନ ଉଠାଇଛି ବିଜେପି । ଲେଜର ସ୍କାନିଂ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ରତ୍ନଭଣ୍ଡାର ଖୋଲିବା ଦାୟୀତ୍ୱ କେବଳ ରାଜ୍ୟ ସରକାରଙ୍କର । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗଜପତିଙ୍କ ସୁପାରିଶ ସତ୍ୱେ କାହିଁକି ରତ୍ନ ଭଣ୍ଡାର ଖୋଲାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ସମୀର । ରାଜ୍ୟ ସରକାର ଯଦି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କମିଟି ଗଠନ ନକରନ୍ତି ତେବେ ବିଜେପି ଅଦାଲତ ଅବମାନନା କେଶ ଫାଇଲ କରିବ ବୋଲି କହିଛନ୍ତି । ତେଣୁ ପରିକ୍ରମା ପ୍ରକଳ୍ପ ପୂର୍ବରୁ ରତ୍ନ ଭଣ୍ଡାର ଖୋଲିବାକୁ ସେ ଦାବି କରିଛନ୍ତି । ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ଲାଗି ଆସନ୍ତା ୨୮ ତାରିଖରେ ଲେଜର ସ୍କାନିଂ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଏଏସଆଇକୁ ଅନୁମତି ଦେଇଛି । ସ୍କାନିଂ ଲାଗି ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ ହୋଇଛି । ଏକ ହାଇକ୍ୱାଲିଟି କ୍ୟାମେରା ଦ୍ୱାରା ରତ୍ନଭଣ୍ଡାରକୁ ସ୍କାନ କରାଯିବ । ଏହାଦ୍ୱାରା କାନ୍ଥରେ କେଉଁଠି ଫାଟ ସୃଷ୍ଟି ହୋଇଛି ତାହା ଜାଣିହେବ । ଆଉ ଏଏସଆଇର ରିପୋର୍ଟ ପରେ ମରାମତି ନେଇ ଆଲୋଚନା ହେବ ।