କନକ ବ୍ୟୁରୋ: ଭଜନ ଗାଇବା ଶୈଳୀରେ ଚାଲିଛି ନବୀନଙ୍କ ଗୁଣଗାନ । ଜମା ହୋଇଥିବା ଶହ ଶହ ବୟସ୍କ ମହିଳା ଗୀତର ତାଳେ ତାଳେ ତାଳି ମାରି, ହୁଳହୁଳି ପକାଇ ସ୍ୱର ସହ ସ୍ୱର ମିଳାଇ ନବୀନଙ୍କୁ ନେଇ ଲେଖାଯାଇଥିବା ଭଜନ ଗାଉଛନ୍ତି । ହେଲେ, ଏହା କୌଣସି ବିଜେଡି ଦଳର ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, ଏ ହେଉଛି ପୁରୀରେ ଥିବା ଏକ ହବିଷ୍ୟାଳି ଶିବିରର ଘଟଣା ।
କାର୍ତିକ ବ୍ରତ ପାଳନ କରିବା ପାଇଁ ପୁରୀରେ ଏକାଠି ହୋଇଛନ୍ତି ହଜାର ହଜାର ହବିଷ୍ୟାଳି । ଧର୍ମମାସରେ ପୂଣ୍ୟ ଅର୍ଜ୍ଜନ କରିବାକୁ ଆସି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଭଜନକୀର୍ତ୍ତନ କରୁଛନ୍ତି । ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି ସରକାର । କିନ୍ତୁ ବିଡିମ୍ବନାର ବିଷୟ ହେଉଛି ଏକ ହବିଷ୍ୟାଳି ଶିବିରରୁ ଆସିଛି ଏମିତି ଦୃଶ୍ୟ । ହବିଷ୍ୟାଳିମାନେ ଠାକୁରଙ୍କ ଭଜନକୀର୍ତନ ଆଳରେ ନବୀନ ଓ ତାଙ୍କ ସରକାରଙ୍କ ଗୁଣଗାନ କରୁଥିବା ଦେଖିବାକୁ ମିଳିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବୟସ୍କା ମହିଳା ଜଣଙ୍କ ଏକ କାଗଜ ଧରି ନବୀନଙ୍କ ଭଜନ ଗାଉଛନ୍ତି । ପାଖରେ ବସିଥିବା ମହିଳା ଜଣ ମଧ୍ୟ ତାଙ୍କୁ ଏଥିରେ ସହଯୋଗ କରିଥିଲେ । ଆଉ ଗାଇବା ପରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀ ତାଳି ମାରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭଜନକୁ କଦର୍ଥ ନକରିବାକୁ ଦାବି କରିଛନ୍ତି ବୁଦ୍ଧୀଜୀବୀ ।
ହବିଷ୍ୟାଳୀମାନେ ନବୀନ ଭଜନ ଗାଇବାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେପି ଏହାକୁ ନିନ୍ଦା କରିଛି । ହବିଷ୍ୟାଳିଙ୍କ ଦ୍ୱାରା ଏଭଳି ଗୀତ ପରିବେଷଣ କରାଇବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି କହିଛି ବିଜେପି । ଏବଂ ଏହା ଓଡିଶାବାସୀଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ ବୋଲି ଅଭିଯୋଗ କରିଛି । ଜବାବ ରଖି ବିଜେଡି କହିଛି, ନବୀନ ବାବୁ ସାଢ଼େ ୪କୋଟି ଓଡିଆଙ୍କ ହୃଦୟରେ ଅଛନ୍ତି । ତେଣୁ କିଏ ଶ୍ରଦ୍ଧା ମନରେ ନବୀନଙ୍କୁ ପ୍ରଶଂସା କରିଲା ତାକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ ।
ପ୍ରଶ୍ନ ଉଠୁଛି, ଧର୍ମମାସରେ ଧର୍ମ ଅର୍ଜ୍ଜନ କରିବାକୁ ଆସିଥିବା ବୟସ୍କା ମହିଳାଙ୍କୁ ନବୀନଙ୍କ ନାଁରେ ଲେଖାଯାଇଥିବା ଭଜନ ଦେଲା କିଏ? କିଏ ଓ କାହିଁକି ଏଭଳି ଭଜନ ଲେଖିଥିଲେ? କେଉଁ ଉଦେଶ୍ୟରେ ହବିଷ୍ୟାଳିମାନଙ୍କୁ ଏଭଳି ଭଜନ ଗାଇବାକୁ ଦିଆଯାଇଥିଲା । ଯେଉଁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ସେମାନେ ଏଥିପାଇଁ ଉତ୍ତରଦାୟୀ ରହିବା ଉଚିତ୍ କି ନୁହେଁ କି?
Follow Us