ଏବେ ବି ଖୋଲାଖୋଲି ଆଦାୟ ହେଉଛି ବେଆଇନ ପାର୍କିଂ ଫି’, ହେଲେ ବିଏମସି ଖାତାକୁ ଆସୁନି ରାଜସ୍ୱ । କ୍ରମାଗତ ଭାବେ କମୁଛି ରାଜସ୍ୱ, ୨କୋଟିରୁ ପହଞ୍ଚିଲାଣି ମାତ୍ର ୧୧ ଲକ୍ଷ ।

114

କନକ ବ୍ୟୁରୋ : ସପିଂ ମଲ, ହସପିଟାଲ ଓ ଅନ୍ୟ ବହୁ ତଳ ଅଟ୍ଟାଳିକା ତଳେ ପାର୍କିଂ ଫି ଆଦାୟ ବେଆଇନ ବୋଲି ବିଡିଏ ବିଜ୍ଞପ୍ତି ଜାରି କରିଥିବା ବେଳେ ଏବେ ସାମନାକୁ ଆସିଛି ବେଆଇନ ପାର୍କିଂ ଫି ଆଦାୟର ଆଉ ଏକ ଦୃଶ୍ୟ । ଭୁବନେଶ୍ୱର ମହାନଗର ଅଂଚଳର ଅନେକ ସ୍ଥାନରେ ବିନା ଲାଇସେନ୍ସରେ ପାର୍କିଂ ଫି ଆଦାୟ କରା ଯାଉଥିବା ଦେଖାଯାଇଛି । ସେପଟେ ଆରଟିଆଇ ତଥ୍ୟ କହୁଛି, ଦୁଇ ବର୍ଷ ହେଲା ଟେଣ୍ଡରରୁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି ବିଏମସି । ଆଉ ଏଥିରେ ବଡ଼ ଧରଣର ଘୋଟାଲା ହେଉଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ୱର ଇନ୍ଦିର ଗାନ୍ଧୀ ପାର୍କ ସମ୍ମୁଖରେ ବିଡିଏ ତରଫରୁ ପାର୍କିଂ ଫି ଆଦାୟ କରାଯାଉଥିବା ଦର୍ଶାଇ କିଛି ଲୋକ ସବୁଦିନ ପାର୍କିଂ ଫି’ ଆଦାୟ କରୁଛନ୍ତି । ବାଇକ୍ ପାଇଁ ୧୦ ଟଙ୍କା ଓ କାର୍ ଠାରୁ ୨୦ ଟଙ୍କା ପାର୍କିଂ ଫି ନିଆଯାଉଛିି । ହେଲେ ଏଥିପାଇଁ ଥିବା ଅନୁମତି ପତ୍ରର ନକଲ ଦେଖାଇ ପାରୁନାହାନ୍ତି ପାର୍କିଂ ଫି’ ଆଦାୟକାରୀ ।

ଆରଟିଆଇ ତଥ୍ୟ କହୁଛି, ପାର୍କିଂ ଫି’ ଆଦାୟ ପାଇଁ ବିଏମସି ଟେଣ୍ଡରରୁ ମିଳୁଥିବା ରାଜସ୍ୱ କମି କମି ଯାଉଛି । ୨୦୧୭-୧୮ରେ ୫୫ଟି ସ୍ଥାନକୁ ପାର୍କିଂ ପାଇଁ ନିଲାମ କରି ୨ କୋଟି ୨୦ ଲକ୍ଷ ଟଙ୍କା ପାଇଥିଲା ଭୁବନେଶ୍ୱର ମହାନଗର ନିଗମ । ୨୦୧୮-୧୯ରେ ମାତ୍ର ୩ଟି ସ୍ଥାନ ପାଇଁ ଟେଣ୍ଡର ହୋଇଥିଲା ଏବଂ ଟେଣ୍ଡର ବାବଦରେ ମାତ୍ର ୨୨ ଲକ୍ଷ ୮୦ ହଜାର ଟଙ୍କା ମିଳିଥିଲା । ସେହିଭଳି ୨୦୧୯-୨୦ରେ ପାର୍କିଂ ଫି ଆଦାୟ ପରିମାଣ ମାତ୍ର ୧୧ ଲକ୍ଷ ୪୦ ହଜାର ଟଙ୍କା ହୋଇଛି । ଅଧିକାଂଶ ଅଂଚଳ ପାଇଁ ଦୁଇ ବର୍ଷ ହେଲା ନିଲାମ ହୋଇପାରୁନଥିବାରୁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି ଭୁବନେଶ୍ୱର ମହାନଗର ନିଗମ ।

୧ ନମ୍ବର ହାଟ ଭଳି କିଛି ସ୍ଥାନରେ ବିଏମସି ନିଜ କର୍ମଚାରୀଙ୍କ ଜରିଆରେ ପାର୍କିଂ ଫି ଆଦାୟ କରୁଥିବା ବେଳେ, କିଛି ସ୍ଥାନରେ କିଛି ବ୍ୟକ୍ତିଙ୍କୁ ମାସିକିଆ ଅନୁମତି ଦେଇ ପାର୍କିଂ ଫି ଆଦାୟ କରାଯାଉଛି । କିଛି ରାଜନୈତିକ ବ୍ୟକ୍ତି ନିଜ ନ୍ୟସ୍ତସ୍ୱାର୍ଥ ପାଇଁ ଟେଣ୍ଡର କରାଇ ଦେଉନଥିବା ଅଭିଯୋଗ ଆସିଛି । ବିଏମସି ୱେବସାଇଟରେ ଅଧିକୃତ ପାର୍କିଂ ସ୍ଥାନ ସଂପର୍କରେ ମଧ୍ୟ ଠିକ୍ ଭାବେ ଲୋକଙ୍କୁ ସୂଚନା ଦିଆଯାଉନାହିଁ ।