ଗୋଟିଏ ହାତରେ ସତ୍ୟମ୍ ବୋହୁଛନ୍ତି ସଂସାରର ବୋଝ । ୫୦ ବର୍ଷ ହେବ ପରିବାରର ପେଟ ପୋଷିବାକୁ ଗୋଟିଏ ହାତରେ ଚଲାଉଛନ୍ତି ରିକ୍ସା, ଜୀବନ ସହ କିଭଳି କରାଯାଏ ସଂଘର୍ଷ ଶିଖାଉଛନ୍ତି ସତ୍ୟମ୍ ।

216

କନକ ବ୍ୟୁରୋ : ପରିଣତ ବୟସରେ ବି ପରିସ୍ଥିତି ସହ ସାଲିସ କରିନାହାନ୍ତି । ଦରିଆ ଭର୍ତି ଦୁଃଖ ଛାତିରେ ଚାପି ରଖି ସ୍ୱାଭିମାନର ସହ ଜୀବନ ଯାପନ କରୁଛନ୍ତି । ବାରହା ଆକ୍ରମଣରେ ସିନା ହାତ ହରାଇ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । କିନ୍ତୁ ଆଜି ବି ସେ ଗୋଟିଏ ହାତରେ ରିକ୍ସା ଚଳାଇ ପରିବାରର ପେଟ ପୋଷୁଛନ୍ତି । ଏହା ହେଉଛି ଜଣେ ପ୍ରେରଣାଦାୟୀ ରିକ୍ସା ଚାଳକଙ୍କ କାହାଣୀ ।

ଗୋଟିଏ ହାତରେ ରିକ୍ସା ଚଳାଉଥିବା ଏହି ବ୍ୟକ୍ତିଙ୍କୁ ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଯାତ୍ରୀଙ୍କୁ ବସାଇ ଗୋଟିଏ ହାତରେ ରିକ୍ସା ଚଳାଇବା କିଛି ସହଜ କଥା ନୁହେଁ । କିନ୍ତୁ ସ୍ୱାଭିମାନୀ ଜୀବନ ଉପରେ କେବେ ଭାରି ପଡିନି ଦିବ୍ୟାଙ୍ଗ ପଣ । ପରିବାର ମୁହଁରେ ଆହାର ଦେବା ପାଇଁ ପ୍ରାୟ ୫୦ ବର୍ଷ ହେବ ଏମିତି ରିକ୍ସା ଚଳାଉଛନ୍ତି ରାୟଗଡାର ଏସ. ସତ୍ୟମ । ରାୟଗଡା ରେଳ ଷ୍ଟେସନରୁ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଂଚାଇ ଦୁଇ ପଇସା ରୋଜଗାର କରୁଛନ୍ତି ସତ୍ୟମ ।

ସ୍ତ୍ରୀ ଓ ଝିଅଙ୍କୁ ନେଇ ରାୟଗଡା ଇନ୍ଦିରା ନଗର ଷଷ୍ଠ ଲାଇନରେ ରୁହନ୍ତି ସତ୍ୟମ । ବାରହା ଆକ୍ରମଣରେ ଗୋଟିଏ ହାତ ହରାଇବା ପରେ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଦେଇଛନ୍ତି ସରକାର । ସରକାରୀ ଯୋଜନାରୁ ମାସକୁ ୩୫ କିଲୋ ଚାଉଳ ଓ ୫୦୦ ଟଙ୍କା ପାଉଛନ୍ତି ସତ୍ୟମ । ରିକ୍ସା ଚଳାଇ ପରିବାର ପୋଷିବାକୁ କଷ୍ଟ ହେଉଥିବାରୁ ଅଟୋ ଟିଏ ପାଇଁ ଆବେଦନ କରିଛନ୍ତି, ହେଲେ ଏଯାଏଁ ତାଙ୍କୁ ତାହା ମିଳିନାହିଁ ।