କନକ ବ୍ୟୁରୋ:ମାଆ ତୁ ଜମା ବ୍ୟସ୍ତ ହଅନା । ମୁଁ ସାଙ୍ଗେ ସାଙ୍ଗେ ତତେ ମେଡିକାଲରେ ପହଞ୍ଚାଇ ଦେବି... ତୁ ଖାଲି ଭଲରେ ବସିଥା । ଗାଡିଘୋଡା ନଚାଲୁ, ଆମ୍ବୁଲାନ୍ସ ନଆସୁ ? ମୋ ଟ୍ରଲି ତୋ ପାଇଁ ଆମ୍ବୁଲାନ୍ସ । ମୁଁ ଏଇଥିରେ ତତେ ଟାଣିଟାଣି ନେଇଯିବି... ସେ ତାଲାବନ୍ଦ ହେଉ କି ତତଲା ଖରା... ମୋ ଟ୍ରଲି ଅଛି ତୁ ଟେନସନ ନେ ନା... ଡାକ୍ତରଖାନାରେ ପହଞ୍ଚିବୁ ଭଲ ହୋଇ ଫେରିବୁ... ତୁ ଜମା ବ୍ୟସ୍ତ ହଅନା...
ତାଲାବନ୍ଦ ବେଳେ ଭଦ୍ରକରୁ ଆସିଛି ଏକ ହୃଦୟ ତରଳା ଦୃଶ୍ୟ । କରୋନା ମହାମାରୀର ମୁକାବିଲା କରିବା ପାଇଁ ସାରା ଦେଶ ଘରେ ରହିଥିବା ବେଳେ ରାସ୍ତା ଉପରେ ମାଆପୁଅଙ୍କ ଏ ସ୍ନେହବୋଳା ଚିତ୍ର ସମାଜକୁ ପ୍ରେରଣା ଯୋଗାଇଛି । ଲକଡାଉନ ପାଇଁ ସବୁଠି ଶୂନଶାନ, ରାସ୍ତାଘାଟ ଖାଁ ଖାଁ ଆଉ ଚାରିଆଡେ ଅସମ୍ଭବ ନିରବତା । ଛକ ଛକରେ ଚେକିଂ, ରାସ୍ତା ସାରା ପୋଲିସ... ଆଉ ୟାରି ଭିତରେ ମୁଣ୍ଡ ଉପରେ ମାଆକୁ ମେଡିକାଲ ନେବାର ଦାୟିତ୍ୱ...
ଗାଡିଘୋଡା ଚାଲୁନି କି ସାହାଯ୍ୟ ବି ମିଳୁନି... ବଢିବଢି ଚାଲୁଛି ମାଆର ଆଣ୍ଠୁଗଣ୍ଠି ଯନ୍ତ୍ରଣା । ମାଆର କଷ୍ଟ ବଢୁ ଥିବାରୁ କାମ କରୁନି ପୁଅର ମୁଣ୍ଡ । କଣ କରିବ କଣ ନାଇଁ ... ଏଇ କଥା ଭାବି ଘର ଭିତରୁ ବାହାର କଲା ହାତଟଣା ଟ୍ରଲି । ଯାହା ସେମାନଙ୍କ ଗୁଜୁରାଣ ମେଣ୍ଟାଏ । ଟ୍ରଲି ଟାଣି ପେଟ ପୋଷୁଥିବା ପୁଅ ତାଲାବନ୍ଦ ବେଳେ ନିଜ ମାଆକୁ ସେହି ଟ୍ରଲିରେ ହିଁ ମେଡିକାଲ ପହଞ୍ଚାଇଛି ଆଉ ଡାକ୍ତର ଦେଖାଇ ଔଷଧ ବି ଆଣିଛି...
ଲକଡାଉନ ବେଳେ ମମତାର ମୂଳ ବୁଝାଇଥିବା ସେ ହିରୋ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗୁମୁଗଡ ଅଞ୍ଚଳର ସୁନନ୍ଦ ବେହେରା । ତାଲାବନ୍ଦ ବେଳେ ନିଜ ମାଆକୁ ମେଡିକାଲ ନେବାକୁ ଗାଡି ନମିଳିବାରୁ ଆଉ ନିଜେ ନିରକ୍ଷର ହୋଇଥିବାରୁ ଆମ୍ବୁଲାନ୍ସ କିମ୍ବା ଜରୁରୀକାଳୀନ ସେବା ବାବଦରେ ଅଜ୍ଞ ଥିଲେ । ତେଣୁ କାହାର ସହଯୋଗ ନମିଳିବାରୁ ନିଜ ଟ୍ରଲିକୁ ଆମ୍ବୁଲାନ୍ସ କରି ମାଆକୁ ମେଡିକାଲ ପହଞ୍ଚାଇଥିଲେ ସୁନନ୍ଦ । ତେବେ ତାଲାବନ୍ଦ ସମୟରେ ସୁନନ୍ଦଙ୍କ ଏ ପ୍ରେରଣାଦାୟୀ କାହାଣୀ ଆଜିର ଯୁବପିଢିଙ୍କୁ ବୁଝାଇଦେବ ଯେ, ପରିସ୍ଥିତି ଯାହା ବି ହେଉନା କାହିଁକି ମମତା ଆଗରେ ସବୁ କଟକଣା ମୂଲ୍ୟହୀନ...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/92620415_572222143395705_2227022478067105792_n.jpg)
/kanak/media/post_attachments/wp-content/uploads/2020/04/92100461_247236623075360_562831863295508480_n.jpg)