ଦୃଢ ଇଚ୍ଛାଶକ୍ତି, ମନୋବଳ ଆଗରେ ହାରମାନିଛି ପ୍ରତିବନ୍ଧକ । ସଂଘର୍ଷ ଓ ସଫଳତାର ଏକ ଜୀବନ୍ତ ଉଦାହରଣ ଦିବ୍ୟାଙ୍ଗ ମହିଳା ବାସନ୍ତୀ ରଣା

ନିଜେ ରୋଜଗାର ସହ ଅନ୍ୟକୁ ଦେଉଛନ୍ତି ରୋଜଗାରର ମାଧ୍ୟମ

379

କନକ ବ୍ୟୁରୋ: କଥାରେ ଅଛି ଦୃଢ ଇକ୍ତାଶକ୍ତି ଓ ମନୋବଳ ଆଗରେ ହାରମାନେ ସବୁ ପ୍ରତିବନ୍ଧକ । ଆଜି ଆମେ ଏମିତି ଜଣେ ମହିଳାଙ୍କ କାହାଣୀ କହିବୁ, ଯିଏ ଜୀବନର ସବୁ ବାଧାବନ୍ଧନକୁ ଅତିକ୍ରମ କରି ନିଜେ ସଫଳ ହୋଇଛନ୍ତି । ଏବଂ ଅନ୍ୟମାନଙ୍କୁ ସଫଳ କରିବାର ପ୍ରୟାସ ଜାରି ରଖିଛନ୍ତି ।

ଏ ମହିଳା ଜଣକ ହେଉଛନ୍ତି ବାସନ୍ତୀ ରଣା । ଯାହାଙ୍କୁ ଆପଣ ସଂଘର୍ଷ ଓ ସଫଳତାର ଏକ ଜୀବନ୍ତ ଉଦାହରଣ ବି କହିପାରିବେ । ପୋଲିଓ ଆକ୍ରାନ୍ତ ହୋଇ ବାସନ୍ତୀ ପିଲାଦିନରୁ ଦିବ୍ୟାଙ୍ଗ । ହେଲେ ଏହି ପ୍ରତିବନ୍ଧକ ତାଙ୍କ ସକ୍ଷମତାର ବାଟ ରୋକି ପାରିନି । ବାପ ଘରେ ଥିବା ବେଳେ ସିଲାଇ ଶିକ୍ଷା କରିଥିଲେ ବାସନ୍ତୀ । ସେହି ସ୍ୱଳ୍ପ ଶିକ୍ଷାକୁ ପାଥେୟ କରି ନିଜ ଘରେ ଏକ ଟେଲରିଂ ମେସିନ ପକାଇ ଆରମ୍ଭ କଲେ ରୋଜଗାରର ମାଧ୍ୟମ । ଆଉ ବାହା ହେବା ପରେ ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ବି ରୋଜଗାର କ୍ଷମ କରିପାରିଛନ୍ତି ଏହି ସିଲେଇ ଶିକ୍ଷାଦାନ କେନ୍ଦ୍ର ମାଧ୍ୟମରେ ।

ଏହି ସିଲାଇ ଶିକ୍ଷାକେନ୍ଦ୍ରରେ ଏବେ ସେ ନିଜେ ସିଲାଇ ଶିକ୍ଷା ଦେଇ ଅନ୍ୟ ମହିଳା ଓ ଝିଅମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି । ପିଲାଦିନରୁ ନିଜ ବାପଘର ଓ ବିବାହ ପରେ ଶାଶୁଘର ଲୋକଙ୍କଠାରୁ ଢେର ସହଯୋଗ ପାଇ ଏବେ ସେ ମାସକୁ ୧୫ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ନିଜର ଏହି ଅଧ୍ୟବସାୟ ପାଇଁ ସେ ଜିଲ୍ଳା ଓ ରାଜ୍ୟସ୍ତରରେ ସମ୍ମାନିତ ହେବା ସହ ନିକଟରେ ଉପ-ରାଷ୍ଟ୍ରପତିଙ୍କଠାରୁ ମଧ୍ୟ ସମ୍ମାନିତ ହେବାର ଗୌରବ ଲାଭ କରିଛନ୍ତି ।
ଦିବ୍ୟାଙ୍ଗ ହୋଇ ମଧ୍ୟ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ଏବେ ନିଜେ ରୋଜଗାର କ୍ଷମ ହେବା ସହ ଅନ୍ୟମାନଙ୍କୁ ରୋଜଗାରର ବାଟ ଦେଖାଉଛନ୍ତି ଯାଜପୁର ଜିଲ୍ଲା କୁମାରୀ ଗାଁର ବାସନ୍ତୀ ରଣା ।