ପ୍ରେମ ଆଗରେ ସବୁ ଫିକା ! ପ୍ରେମିକା ଭିନ୍ନକ୍ଷମ ବୋଲି ଜାଣିବି ହାତ ଛାଡ଼ିଲେନି, ଜୀବନସାଥୀ କଲେ ଜିତେନ୍ଦ୍ର, ଆଜିର ଯୁବପୀଢ଼ିଙ୍କୁ ବୁଝାଇଲେ ଭଲପାଇବାର ମାନେ କ’ଣ….

1,200

କନକ ବ୍ୟୁରୋ: ଆଜିର ଯୁଗରେ ଯେଉଁଠି ପ୍ରେମର ଅର୍ଥ ଶାରୀରିକ ଆକର୍ଷଣକୁ ବୁଝାଇଥାଏ, ସେଠାରେ ଭଲପାଇବାର ଏକ ନୂଆ ପରିଭାଷା ବୁଝାଇଛନ୍ତି ରାୟଗାଡର ଏକ ଦମ୍ପତି । ପରସ୍ପରକୁ ନଦେଖି କେବଳ ଫୋନ୍ରୁ ଆରମ୍ଭ ହୋଇଥିଲା ଏମାନଙ୍କ ପ୍ରେମ କାହାଣୀ । ପ୍ରେମିକା ଜଣେ ଭିନ୍ନକ୍ଷମ ଜାଣିବା ପରେ ବି କମ୍ ହୋଇ ନଥିଲା ଭଲପାଇବା । ଶେଷରେ ନିଜ ଭିନ୍ନକ୍ଷମ ପ୍ରେମିକାଙ୍କୁ ଶଂଖା, ସିନ୍ଦୁର ପିନ୍ଧାଇ ସାତ ଜନମର ସାଥି କଲେ ବଡି ବିଲଡର ପ୍ରେମିକ ।

ନଦେଖି ନଜାଣି, ଜଣଙ୍କ ପ୍ରେମରେ ପଡିବା, ଆଉ ଝିଅଟି ଭିନ୍ନକ୍ଷମ ଜାଣି ବି ତାଂକୁ ଜୀବନସାଥି କରିବା । ଏମିତି ପ୍ରେମ କାହାଣୀ ଆଜିର ସମାଜରେ ଖୁବ୍ କମ୍ ଦେଖିବାକୁ ମିଳେ । ହେଲେ ଏମିତି ଏକ ନିଆରା ପ୍ରେମ କାହାଣୀର ନାୟକ ରାୟଗଡାର ଜିତେନ୍ଦ୍ର ମହାରଣା ଓ ତାଙ୍କ ନାୟିକା ଅର୍ଚ୍ଚନା ମହାନ୍ତି । ୧୨ ବର୍ଷ ତଳେ ଜିତେନ୍ଦ୍ର ଓ ଅର୍ଚ୍ଚାନଙ୍କ ମଧ୍ୟରେ ମିସ୍ କଲୁ ପ୍ରେମ ହୋଇଥିଲା । ବଡି ବିଲ୍ଡିଂ ଓ ପାୱାର ଲିଫ୍ଟିଂରେ ଅନେକ ପଦକ ହାତେଇଥିବା ଜିତେନ୍ଦ୍ର, ଅର୍ଚ୍ଚନାଙ୍କୁ ନଦେଖି ବି ଭଲପାଇ ବସନ୍ତି । ଆଉ ପରେ ବିବାହ ପ୍ରସ୍ତାବ ଦିଅନ୍ତି । ହେଲେ ଦିବ୍ୟାଙ୍ଗ ଅର୍ଚ୍ଚନା ଏହାକୁ ପ୍ରତ୍ୟାଖାନ କରନ୍ତି । ସେ ଜଣେ ଦିବ୍ୟାଙ୍ଗ କହି ଜିତେନ୍ଦ୍ରଙ୍କୁ ବିବାହ କରିବାକୁ ମନା କରନ୍ତି, ସବୁ ପରେ ବି ଅର୍ଚନାଙ୍କୁ ଜୀବନ ସାଥୀ କରିବା ପାଇଁ ଜିଦ୍ ଧରି ବସନ୍ତି ଜିତେନ୍ଦ୍ର ।

ପ୍ରେମ ଆଗରେ ରୂପ ବର୍ଣ୍ଣ ବା ସୌନ୍ଦର୍ଯ୍ୟର କିଛି ମାନେ ନଥାଏ । ପ୍ରେମ ତ ଶାସ୍ୱତ ଓ ଚିରନ୍ତନ । ଏହାକୁ ବୁଝିଛନ୍ତି ଉଭୟ ଜିତେନ୍ଦ୍ର ଓ ଅର୍ଚ୍ଚନାଙ୍କ ପରିବାର ଲୋକେ । ଉଭୟ ପରିବାର ଲୋକଙ୍କ ସହମତିରେ ଜିତେନ୍ଦ୍ର ଓ ଅର୍ଚ୍ଚନାଙ୍କ ବିବାହ ହୋଇଥିଲା । ଆଉ ବେଦୀ ହୋମ ନିଆଁକୁ ସାକ୍ଷୀ ରଖି ଦୁଇଟି ହୃଦୟର ମିଳନ ହୋଇଥିଲା ।

ଜିତେନ୍ଦ୍ର- ଅର୍ଚନାଙ୍କ ପ୍ରେମ ସଂପର୍କକୁ ୧୨ ବର୍ଷ ବତିଛି ।  ଜିତେନ୍ଦ୍ର ଏବେ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ, ପତ୍ନୀ ଅର୍ଚ୍ଚନା ସମାଜସେବୀ ଭାବେ କାମ କରୁଛନ୍ତି । ପ୍ରେମର ପ୍ରକୃତ ଅର୍ଥ ବୁଝାଇଛନ୍ତି ରାୟଗଡାର ଏହି ଦମ୍ପତି ।