ଗୋଟିଏ ଗୋଡରେ ଛକା ଚୌକା ବର୍ଷା । ଦମ୍ ଦେଖାଉଛନ୍ତି ଦିବ୍ୟାଙ୍ଗ କ୍ରିକେଟର । ଗାଁ ଗ୍ରାଉଣ୍ଡରେ ଗୋଟିଏ ଗୋଡରେ ଖେଳି ପାଲଟିଛନ୍ତି ଗାଁର ହିରୋ ।

310

କନକ ବ୍ୟୁରୋ: ଗୋଟିଏ ଗୋଡରେ ଛକା ଚୌକା ବର୍ଷା । ପଡିଆରେ ଚାଲେ ପ୍ରଶାନ୍ତଙ୍କ ପତିଆରା । ଯେତେବେଳେ ପ୍ରତିପକ୍ଷଙ୍କ ଘାତକ ବୋଲିଂ ଆଗରେ ପ୍ରବଳ ଚାପରେ ଥାଏ ଟିମ୍ ସେତେବେଳେ ପ୍ରତିପକ୍ଷଙ୍କୁ ପ୍ରହାର ଦେବାକୁ ପ୍ରଶାନ୍ତଙ୍କୁ ଖୋଜନ୍ତି ସମସ୍ତେ । ଆଉ ଯେବେ ବ୍ୟାଟ ଧରି ପାଭିଲିୟନରୁ ବାହାରି ଆସନ୍ତି ପ୍ରଶାନ୍ତ ସେବେ କରତାଳିରେ କମ୍ପିଯାଏ ଗାଁ ମଝିର ଷ୍ଟାଡିୟମ । ଛକା ଚୌକା ପିଟନ୍ତି, ପଡିଆରେ ପ୍ରତିପକ୍ଷଙ୍କୁ ଧୂଲେଇ କରନ୍ତି ଆଉ ପରାଜୟ ମୁହଁରୁ ବଞ୍ଚାଇ ନିଜ ଦଳକୁ ବିଜୟର ଟୀକା ପିନ୍ଧାନ୍ତି । ଆଉ ତାପରେ ସାରା ଅଞ୍ଚଳ ଦେଖେ ଜଣେ ଦିବ୍ୟାଙ୍କ କ୍ରିକେଟରଙ୍କ ଦମ୍, ଅକ୍ଷମଙ୍କ ଭିତରେ ସକ୍ଷମର ଜୋସ୍ ।

ହଁ ପଡିଆରେ ପତିଆରା ବିସ୍ତାର କରୁଥିବା ଏ ଦିବ୍ୟାଙ୍ଗ ଖେଳାଳୀ ଜଣଙ୍କ ହେଉଛନ୍ତି ପ୍ରଶାନ୍ତ ରାଉତ । ଅନୁଗୁଳ ବଁରପାଳ ଅଞ୍ଚଳର ଜଣେ ଚର୍ଚ୍ଚିତ ଯୁବକ । ଗୋଟିଏ ଗୋଡରେ କ୍ରିକେଟ ଖେଳି ସମସ୍ତଙ୍କୁ ଚକିତ କରିଦିଅନ୍ତି ପ୍ରଶାନ୍ତ । ବାଡିଟିଏ ଧରି ପୂରା ପଡିଆ ସାରା ଧାଉଁଥାନ୍ତି ସେ । ଫିଲ୍ଡିଂ, ବ୍ୟାଟିଂ, ବୋଲିଂ ସବୁଥିରେ ମାହିର ପ୍ରଶାନ୍ତ ରାଉତ । ସେଇଥିପାଇଁ ତ ପ୍ରଶାନ୍ତଙ୍କୁ କେହି କେହି ମ୍ୟାଚ୍ ଫିନିସର ବି ଡାକନ୍ତି । ପଡିଆରେ ଯେତେବେଳେ ଗୋଟିଏ ଗୋଡରେ ପ୍ରଶାନ୍ତ ଖେଳୁଥାନ୍ତି ସେତେବେଳେ ପଡିଆ ବାହାରେ ବସି ତାଙ୍କ ପ୍ରତିଟି ଖେଳର ମଜା ନେଉଥାନ୍ତି ଦର୍ଶକ ।

ପିଲାବେଳୁ କ୍ରିକେଟ ପ୍ରତି ଥିଲା ପ୍ରଶାନ୍ତଙ୍କ ପ୍ରବଳ ନିଶା । କିନ୍ତୁ ଭାଗ୍ୟର ବିଡମ୍ବନା ୮ ବର୍ଷ ବୟସରେ ସ୍କୁଲରେ ଖେଳୁଥିବା ବେଳେ ହିଁ ଏକ ଦୁର୍ଘଟଣା ଯୋଗୁଁ ତାଙ୍କୁ ବାମଗୋଡ ହରାଇବାକୁ ପଡିଲା । ଖେଳ ପ୍ରତି ଅହେତୁକ ଇଚ୍ଛାଥିଲେ ବି କ୍ରିକେଟକୁ ନେଇ ସବୁ ସ୍ୱପ୍ନକୁ ଜଳାଞ୍ଜଳୀ ଦେବାକୁ ପଡିଥିଲା । ମାତ୍ର ଖେଳ ପ୍ରତି ନିଶା ଓ ନିଷ୍ଠାପରତା ପାଇଁ ସ୍ଥାନୀୟ ପିଲାଙ୍କୁ ନେଇ ଏକ ଟେନିସ ବଲ କ୍ରିକେଟ ଟିମ୍ ଗଢିଥିବା ବେଳେ ତାର କ୍ୟାପଟେନ ଅଛନ୍ତି ପ୍ରଶାନ୍ତ ।

ଗ୍ରାମଞ୍ଚଳ କ୍ରିକେଟରେ ନାଁ କରିଥିବା ପ୍ରଶାନ୍ତ ନିଜ ନିଆରା ପ୍ଲେଇଙ୍ଗ୍ ଷ୍ଟାଇଲ୍ ପାଇଁ ସବୁବେଳେ ଚର୍ଚ୍ଚାରେ । ମାତ୍ର ଏଯାଏଁ ତାଙ୍କୁ କୌଣସି ସୁଯୋଗ ମିଳିନି । ତେବେ ପ୍ରଶାସନିକ ସ୍ତରରେ କିମ୍ବା କାହାର ସୁନଜର ପଡିଲେ ଗାଁରେ ଫୁଟୁଥିବା ଏ ମଲ୍ଲି ଦିନେ ନା ଦିନେ ଓଡିଶା ପାଇଁ ଗୌରବ ଆଣିପାରନ୍ତି  ।