କନକ ବ୍ୟୁରୋ: ପାଦରେ ଚପଲ, ମୁଣ୍ଡରେ ଟୋପି, ଦେହରେ ପୁରୁଷଙ୍କ ଭଳି ପୋଷାକ । ଏହି ଯୁବତୀ ଜଣକ ହେଲେ ହସିନା ପରବିନ୍ । ଓଡିଶା ମୁସଲିମ୍ ମହିଳା କଲ୍ୟାଣ ସଂଘର ମୁଖ୍ୟ । ୫ବର୍ଷ ହେଲା ଏହି ସଂସ୍ଥାର ମୁଖ୍ୟ ଭାବେ କାମ କରି ଆସୁଥିବା ହସିନା ଏବେ ପାଲଟିଛନ୍ତି ଅସହାୟ ଓ ନିରାଶ୍ରୟଙ୍କ ଆଶାଭରସା । ଆଇନ ସଂପର୍କରେ ସଚେତନତା ସୃଷ୍ଟି ସହ ଖିଲାପୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଥିବା ୩୪ବର୍ଷ ବୟସ୍କା ହସିନା ଅବିବାହିତ ରହିବା ସହ ଏଭଳି କାର୍ଯ୍ୟକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରି ନେଇଛନ୍ତି ।

Advertisment

ମଦର ଟେରେସାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବାରେ ପାଦ ଦେଇଥିବା ହସିନା ହେଉଛନ୍ତି କଟକ ଦରଘା ବଜାର କଦମରସୁଲ ଅଞ୍ଚଳର ବାସିନ୍ଦା । ମାତ୍ର ୧୯ବର୍ଷରେ ବାପା ମାଆଙ୍କର ମୃତ୍ୟୁ ପରେ ବହୁ ଦୁଃଖ କଷ୍ଟରେ ବିତିଥିଲା ହସିନାଙ୍କ ଜୀବନ । ହେଲେ ଆର୍ଥିକ ସମସ୍ୟା ଆଗରେ ବି ଦବି ନ ଯାଇ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିଲେ ହସିନା । ନିଜ ଉଦ୍ୟମରେ ବି.ଏ ପାସ କରିଥିଲେ । ଓଡିଆ, ଇଂରାଜି, ହିନ୍ଦୀ, ତାମିଲ, ବଙ୍ଗଳା, ତେଲୁଗୁ, ଭୋଜପୁରୀ, ମଲାୟଲମ, ପରସିଆନ୍ ଭଳି ୯ଟି ଭାଷାରେ କଥାବାର୍ତ୍ତା କରି ପାରୁଥିବା ହସିନା ପ୍ରଥମେ ସମାଜରେ ହେଉଥିବା ନାରୀ ନିର୍ଯାତନା ବିରୁଦ୍ଧରେ ସ୍ୱର ଉଠାଇବା ସହିତ ଏ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିଥିଲେ । ଅସହାୟ, ଅନାଥଙ୍କୁ ସରକାରୀ ଯୋଜନାରେ ସାମିଲ କରାଇବା ସହିତ ଗରିବ ପିଲାଙ୍କୁ ସ୍କୁଲ ଯିବାକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ପାଠ ପଢାଇବା ଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । କେଉଁଠି କିଛି ଅବ୍ୟବସ୍ଥା କି ଅବହେଳାର ଖବର ପାଇଲେ ସେଠାରେ ତୁରନ୍ତ ପହଞ୍ଚି ଯାଆନ୍ତି ହସିନା ।

ତେବେ ହସିନା ଏଭଳି ସଂଘର୍ଷ ଜାରି ରଖିଥିବା ବେଳେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ସହରର ବହୁ ବିଶିଷ୍ଟ ବ୍ୟକ୍ତି । ହସିନା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟରତ । ପଲିଥିନ ବର୍ଜନ ପାଇଁ ସେ ପେପର ବ୍ୟାଗ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି । ଆଉ ଏହି ପେପର ବ୍ୟାଗ ପ୍ରସ୍ତୁତି କାମରେ ସେ ୨୧ଜଣ ମହିଳାଙ୍କୁ ରୋଜଗାରର ବାଟ ମଧ୍ୟ ଦେଖାଇଛନ୍ତି । ଏଥିରୁ ଯାହା ଲାଭ ମିଳୁଛି ତାକୁ ଗରିବ ଅସହାୟ ପରିବାର ଲୋକଙ୍କ ପାଇଁ ଖର୍ଚ୍ଚ କରିଦେଉଛନ୍ତି ହସିନା । ତେବେ ଏହି କାମରେ ଲୋକଙ୍କୁ ଯେଉଁ ଖୁସି ଦେଇ ପାରୁଛନ୍ତି ଏବଂ ଭଲପାଇବା ପାଉଛନ୍ତି ତାହାହିଁ ତାଙ୍କର ସବୁଠୁ ବଡ ସଂପତ୍ତି ବୋଲି କହିଛନ୍ତି ହସିନା ।