ମହାମାରୀ ବେଳେ ପରିବାରକୁ ପର କରି ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଦୁଇ ଡାକ୍ତର । ଘରଦ୍ୱାର ଛାଡି ହସ୍ପିଟାଲରେ ରହି ଅନବରତ କରିଚାଲିଛନ୍ତି ରୋଗୀ ସେବା ।

153

କନକ ବ୍ୟୁରୋ : ଆଜି ହେଉଛି ଡାକ୍ତର ଦିବସ । କୋଭିଡ ମହାମାରୀ ସମୟରେ ଏହି ଡାକ୍ତର ପାଲଟିଛନ୍ତି ସମ୍ମୁଖ ଯୋଦ୍ଧା । ଆଜି ଆମେ ମାଲକାନଗିରିର ଏମିତି ଦୁଇଜଣ ଡାକ୍ତରଙ୍କ କଥା କହିବୁ ଯିଏ ନିଜ ଜୀବନକୁ ଖାତିର ନ କରି କୋଭିଡ ହସପିଟାଲରେ ରୋଗୀଙ୍କ ଅନବରତ ସେବା କରିଚାଲିଛନ୍ତି । ଡାକ୍ତର ନାରାୟଣ ପାତ୍ର ଓ ସୁବ୍ରତ ଜେନା ନିଜ ଘର ଦ୍ୱାର ଛାଡି ରୋଗୀଙ୍କ ପାଇଁ ସାଜିଛନ୍ତି ଆଶା ଓ ଭରସା ।

କରୋନା ଯୁଦ୍ଧର ଇଏ ହେଉଛନ୍ତି ଜାଗ୍ରତ ପ୍ରହରୀ । ମାଲକାନଗିରି ଜିଲ୍ଲା କୋଭିଡ ହସ୍ପିଟାଲର ଦୁଇ ଡାକ୍ତର ନାରାୟଣ ପାତ୍ର ଓ ସୁବ୍ରତ ଜେନା । କୋଭିଡ ମହାମାରୀ ସମୟରେ ଏହି ଦୁଇ ଡାକ୍ତର ରୋଗୀଙ୍କ ପାଇଁ ସାଜିଛନ୍ତି ଦେବଦୂତ । ଦୁଇ ଡାକ୍ତର କୋଭିଡର ପ୍ରଥମ ଲହର ଠାରୁ ଆରମ୍ଭ କରି ଦ୍ୱିତୀୟ ଲହର ଯାଏଁ, ନିଜ ଘର ଦ୍ୱାର ଛାଡି କୋଭିଡ ଡାକ୍ତରଖାନାରେ ହିଁ ରହି ଅନବରତ ସେବା ଯୋଗାଇ ଆସୁଛନ୍ତି ।

ମାଲକାନଗିରି କୋଭିଡ ହସପିଟାଲରେ ଏହି ଦୁଇ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଯୋଗୁ ଶହ ଶହ ରୋଗୀ ନୂଆ ଜୀବନ ପାଇଛନ୍ତି । କରୋନାର ଦ୍ୱିତୀୟ ଲହରରେ ଏହି ଦୁଇ ଯୁବ ଡାକ୍ତର ଡାକ୍ତରଖାନା ଭିତରୁ ଆଦୌ ଗୋଡ କାଢିନାହାନ୍ତି । ଡାକ୍ତର ନାରାୟଣଙ୍କ ନିଜ ଘର ରାୟଗଡା କାଶୀପୁର ବ୍ଲକ ଅଂଚଳରେ । ନାରାୟଣଙ୍କ ବାପା ଜଣେ କିରାଣି । ସେହିଭଳି ଡାକ୍ତର ସୁବ୍ରତଙ୍କ ଘର ବାଲେଶ୍ୱର ଭୋଗରାଇ ଅଂଚଳରେ ଓ ତାଙ୍କ ବାପା ଜଣେ ଚାଷୀ । ଆଉ ସଂଘର୍ଷ ମଧ୍ୟରେ ଦୁଇ ଡାକ୍ତର ରୋଗୀଙ୍କ ପାଇଁ ପାଲଟିଯାଇଛନ୍ତି ସାହାରା ।

କୁହାଯାଏ, ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ଅବତାର । ପରିବାର ଲୋକେ ଯେତେବେଳେ ରୋଗୀଙ୍କୁ ଡାକ୍ତରଖାନାକୁ ଆଣିଥାନ୍ତି ,ସେହି ସମୟରେ ଡାକ୍ତରଙ୍କ ଉପରେ ହିଁ ତାଙ୍କର ଶେଷ ଭରସା ଥାଏ । ଆଜିର ଡାକ୍ତର ଦିବସରେ ସେହି ଡାକ୍ତର ମାନେ ସତରେ ସଲାମର ପାତ୍ର ।