କନକ ବ୍ୟୁରୋ :  ପ୍ରତିକୂଳ ପରିସ୍ଥିତିରେ ହୋଇଥିବା ପ୍ରୟାସ ଓ କଠିନ ପରିଶ୍ରମ କେବେ ବୃଥା ଯାଏନି । ଆଉ ଏହା ସମ୍ଭବପର ହୋଇଥାଏ ଦୃଢ ଇଚ୍ଛାଶକ୍ତି ବଳରେ । ଯାହାର ସବୁଠୁ ବଡ ଉଦାହରଣ ହେଉଛନ୍ତି ଆଇଏଏସ ସୌମ୍ୟା ଶର୍ମା । ପ୍ରତିକୂଳ ପରିସ୍ଥିତିକୁ ପାର କରି ସଫଳ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ନାଁ, ସୌମ୍ୟା ଶର୍ମା । ମାତ୍ର ୨୩ ବର୍ଷ ବୟସରେ ଆଇଏଏସ ହୋଇ ସ୍ୱପ୍ନକୁ ପୂରା କରିଥିବା ସୌମ୍ୟାଙ୍କ ଏହି ସଫଳତା ପଛରେ ଏକ ସଂଘର୍ଷମୟ କାହାଣୀ ଲୁଚି ରହିଛି ।

Advertisment

ଦିଲ୍ଲୀ ନିବାସୀ ସୌମ୍ୟା ଶର୍ମା ୨୦୧୮ ବ୍ୟାଚର ଆଇଏଏସ ଅଫିସର । ମାତ୍ର ୨୩ ବର୍ଷ ବୟସରେ ଆଇଏଏସ ହୋଇ ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲେ । କିନ୍ତୁ ଆଇଏଏସ ସ୍ୱପ୍ନକୁ ପୂରା କରିବା ପୂର୍ବରୁ ସୌମ୍ୟାଙ୍କ ଜୀବନରେ ୨୦୧୧ ମସିହାରେ ଏକ ବଡ ଝଡ ଆସିଥିଲେ । ଅଥାର୍ତ ମାତ୍ର ୧୬ ବର୍ଷ ବୟସର ହୋଇଥିବା ବେଳେ କୌଣସି କାରଣବସତଃ ଅଚାନକ ସୌମ୍ୟା ନିଜର ଶ୍ରବଣଶକ୍ତି ହରାଇ ବସିଥିଲେ । ଅନେକ ଡାକ୍ତରଙ୍କୁ ଦେଖାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ସେବେଠାରୁ ଏବେଯାଏଁ ସୌମ୍ୟା କିଛି ଶୁଣିବା ପାଇଁ ହିୟରିଙ୍ଗ ଡିଭାଇସ ବ୍ୟବହାର କରୁଛନ୍ତି ।

କୁହାଯାଏ ଜଣକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ଭଗବାନ ବାରମ୍ବାର ପରୀକ୍ଷା ନେଇଥାନ୍ତି । ସୌମ୍ୟାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଥିଲା । ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିବା ପରେ ସୌମ୍ୟା ନ୍ୟାସନାଲ ଲ’ କଲେଜରେ ଆଡମିଶନ ନେଇଥିଲେ । ନିଜ ପାଠପଢାର ଶେଷ ବର୍ଷରେ ୟୁପିଏଏସି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ ସୌମ୍ୟା । ୨୦୧୭ ମସିହାରେ ଯେତେବେଳେ ପ୍ରଥମଥର ୟୁପିଏଏସି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଲେ ସେତେବେଳେ ହାତରେ ମାତ୍ର ୪ ମାସ ସମୟ ବାକି ଥିଲା । ବିନା କୌଣସି କୋଚିଂ ବିନା ୟୁପିଏସସି ପରୀକ୍ଷାରେ ବସିବାକୁ ନିଷ୍ପତ୍ତି ନେଇଥିଲେ ସୌମ୍ୟା । ୪ ମାସ ମଧ୍ୟରେ ପାଠ ପଢି ୟୁପିଏସସିର ପ୍ରିଲିମ୍ସ ପରୀକ୍ଷା ପାସ୍ କରିବାରେ ସକ୍ଷମ ହୋଇଥିଲେ ସୌମ୍ୟା । ବାସ୍ ଏହାପରେ ଆଉ ପଛକୁ ଫେରି ଚାହିଁନଥିଲେ ।

ଗୋଟିଏ ପରେ ଗୋଟିଏ ଘାତ ପ୍ରତିଘାତକୁ ପାର କରି ସ୍ୱପ୍ନ ପଥରେ ବଢୁଥିବା ବେଳେ ୟୁପିଏସସିର ମେନ୍ସ ପରୀକ୍ଷା ସମୟରେ ସୌମ୍ୟା ଅତିମାତ୍ରାରେ ଅସୁସ୍ଥ ହୋଇପଡିଲେ । ଦେହରେ ୧୦୨ ଡିଗ୍ରୀ ଜ୍ୱର ରହୁଥିଲା କିନ୍ତୁ ହାର ମାନିବାକୁ ପ୍ରସ୍ତୁତ ନଥିଲେ ସୌମ୍ୟା । ଏପରିକି ଗୋଟିଏ ଗୋଟିଏ ଦିନରେ ୩ଟି ଲେଖାଏଁ ସାଲାଇନ ନେଇ ପାଠ ପଢିବା ଜାରି ରଖିଥିଲେ ସୌମ୍ୟା । ମେନ୍ସ ପରୀକ୍ଷା ଦିନ ମଧ୍ୟ ଲଞ୍ଚ ବ୍ରେକ ସମୟରେ ସାଲାଇନ ନେଇ ପୁଣିଥରେ ପରୀକ୍ଷା ହଲରେ ବସିଥିଲେ ସୌମ୍ୟା । କଠିନ ପରିସ୍ଥିତିରେ ହାର ମାନିନଥିବା ସୌମ୍ୟା ପ୍ରଥମ ପ୍ରୟାସରେ ହିଁ ୟୁପିଏସସିରେ ୯ମ ସ୍ଥାନରେ ରହି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଥିଲେ । ସୌମ୍ୟା ଏବେ ମହାରାଷ୍ଟ୍ରରେ କାମ କରୁଥିବା ବେଳେ ୨୦୧୮ ବ୍ୟାଚର ଆଇପିଏସ ଅର୍ଚ୍ଚିତ ଚଣ୍ଡକଙ୍କୁ ବିବାହ କରିଛନ୍ତି ।