ନିଜ ବୟସର ଅସହାୟ ଲୋକଙ୍କ ସହ ବୃଦ୍ଧାଶ୍ରମରେ ନୂଆବର୍ଷ ପାଳିଲେ ୧୦୫ ବର୍ଷର ବୃଦ୍ଧା ଅମିୟ ବିଶ୍ୱାସ । ସ୍ନେହର ଉପହାର ପାଇ ଅନ୍ତେବାସୀଙ୍କ ଓଠରେ ଫୁଟିଲା ଚେନାଏ ହସ ।

185

କନକ ବ୍ୟୁରୋ: ସେ ଜଣେ ମାଆ, ସେ ବୁଝିଛନ୍ତି ଆଉ ଜଣେ ମାଆକୁ.. ସେ ଜଣେ ନାରୀ, ସେ ଜାଣିଛନ୍ତି ଆଉ ଜଣେ ନାରୀକୁ । ପିଲାମାନେ ବାପାମାଆଙ୍କୁ ପରକଲା ପରେ, ପୁଅ ବୋହୂ ଶାଶୁ ଶ୍ୱଶୁରଙ୍କୁ ତଡିଦେବା ପରେ କେତେ କଷ୍ଟ ପାଆନ୍ତି ବାପାମାଆ । କେତେ ଯନ୍ତ୍ରଣା ପାଆନ୍ତି ଜନ୍ମ ଦେଇଥିବା ଜୀବନ୍ତ ଦେବତା… ଏଇ କଥାକୁ ଅନ୍ତରରୁ ବୁଝିଛନ୍ତି ଏ ବୃଦ୍ଧା । ଆଉ ଧାଇଁ ଆସିଛନ୍ତି ତାଙ୍କରି ବୟସର ଅସହାୟ ମଣିଷମାନଙ୍କ ପାଖକୁ । ଯେଉଁମାନେ ଘରଠୁ ଦୂରରେ ଏଇ ବୃଦ୍ଧାଶ୍ରମରେ ରହିଛନ୍ତି ।

ସିନ୍ଦୂରା ଫାଟି ଯେତେବେଳ ସକାଳ ହୋଇଛି । ଆଉ ବର୍ଷ ୨୦୨୧ ନୂଆ ଆଶା, ଆଶିର୍ବାଦ ନେଇ ଉଦୟ ହୋଇଛି ଠିକ ସେତିକିବେଳେ ନୂଆବର୍ଷକୁ ନିଜ ନିଜ ଢଙ୍ଗରେ ସ୍ୱାଗତ କରିଛନ୍ତି ଲୋକେ । ଆଉ ଠିକ ଏତିକି ବେଳେ ଅସହାୟଙ୍କ ଗହଣରେ ଏମିତି ଏକ ମୁହୂର୍ତ୍ତ ବିତାଇଛନ୍ତି ୧୦୫ ବର୍ଷର ଏ ବୃଦ୍ଧା । ଚାଲିବାକୁ ପାଦରେ ବଳ ନାହିଁ, ଚାହିଁବାକୁ ଏ ଆଖିରେ ଶକ୍ତି ବି ନାହିଁ କିନ୍ତୁ ଯେଉମାନଙ୍କର କେହି ନାହିଁ ସେମାନଙ୍କ ଠାରୁ ଟିକେ ଆତ୍ମୀୟତା ପାଇବାକୁ ସେ ଏଠାକୁ ଆସିଛନ୍ତି, ସେମାନଙ୍କ ସହ ନୂଆବର୍ଷ ପାଳିଛନ୍ତି ।

ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରେ ଥିବା ଅମୃତଧାରା ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ସହ ନବବର୍ଷ ପାଳିଛନ୍ତି ଏ ଶତାୟୂ ବୃଦ୍ଧା ଅମିୟ ବିଶ୍ୱାସ । ଉପହାରରେ ମିଠା, ବିସ୍କୁଟ ଓ କମ୍ବଳ ଦେଇଛନ୍ତି ବୁଢି ମାଉସୀ ତା ସାଙ୍ଗଙ୍କୁ କିଛି ଆର୍ଥିକ ସହାୟତା ବି କରିଛନ୍ତି । ତେବେ ଅତୀତରେ ଗଣିତ ଶିକ୍ଷୟିତ୍ରୀ ଥିବା ବୁଢି ମାଉସୀ ପୂର୍ବରୁ ଅନେକ ସାମାଜିକ କାମ କରିଛନ୍ତି ଆଉ ଏବେ ନିଆରା ନୂଆବର୍ଷ ପାଳି ସମସ୍ତଙ୍କୁ ଖୁସି ଦେଇଛନ୍ତି ।

ତେବେ କରୋନା ଭଳି ଏକ ଦୁଃସମୟରେ ମଣିଷ ଜାତିକୁ ଭଗବାନ ବଞ୍ଚାଇ ଦେଇଥିବାରୁ ଥରିଲା ହାତରେ ପ୍ରଣାମ ଜଣାଇ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି ମାଉସୀ । ଖାଲି ନୂଆବର୍ଷ କାହିଁକି, ଖାଲି ଦୀପାବଳି, ପର୍ବପର୍ବାଣୀ କାହିଁକି । ଏ ବୁଢିମାଉସୀ ଅମିୟଙ୍କ ପରି ଯଦି ଅନ୍ୟମାନେ ବୃଦ୍ଧାଶ୍ରମକୁ ଅନ୍ୟସମୟରେ ବି ଆସନ୍ତେ ତେବେ ବୟସର ପଶ୍ଚିମ ତୀରରେ ଜୀବନ ବିତାଉଥିବା ଏ ଅସହାୟ ମଣିଷମାନେ ହୁଏତ ଟିକେ ଖୁସି ହୁଅନ୍ତେ, ତାଙ୍କ ମୁହଁରେ ହୁଏତ ଚେନାଏ ହସ ଫେରି ଆସନ୍ତା…