କନକ ବ୍ୟୁରୋ: ହାଡଭଙ୍ଗା ଜାଡରେ ଥରୁଛି ସାରା ଓଡିଶା । ଘନ କୁହୁଡି ସାଙ୍ଗକୁ ଅସମ୍ଭାଳ ଶୀତର ଲହରି ସମସ୍ତଙ୍କୁ କରିପକାଉଛି ଅସ୍ତବ୍ୟସ୍ତ । ସଂଧ୍ୟା ହେବା ମାତ୍ରେ ମାଡିଆସୁଛି କାଠୁଆ ଜାଡ ଫଳରେ ଶୀତର ପ୍ରକୋପରେ ଅତିଷ୍ଠ ହୋଇପଡିଛନ୍ତି ପିଲାଠୁ ବୁଢା ପର୍ଯ୍ୟନ୍ତ । ଏପରିକି ଲୋକେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏଭଳି ପରିସ୍ଥିତିରେ ବି ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ସେବା କରିବାକୁ ସାଇକେଲରେ ଧାଇଁ ଆସିଛନ୍ତି ବାଲେଶ୍ୱରରୁ ପାରାଦୀପ ।
ଦେହର ଚମଡା ସବୁ ଜାକି ହୋଇଗଲାଣି । ଦାନ୍ତ ମଧ୍ୟ ପଡିଗଲାଣି ଆଉ ବୟସର କାଳ ଚକ୍ରରେ ଅଂଟା ବି ଭାଙ୍ଗି ଗଲାଣି । ତଥାପି କିନ୍ତୁ ତାଙ୍କ ମନ ଭିତରେ ଭରି ରହିଛି ଅଦମ୍ୟ ସାହସ । ଆଉ ଏହି ୯୮ ବର୍ଷୀୟ ବୃଦ୍ଧଙ୍କ ଦୃଢ ଇଚ୍ଛାଶକ୍ତି ଆଗରେ ସତେ ଯେମିତି ତୁଚ୍ଛ ହୋଇପଡିଛି ସବୁକିଛି । ପାଦରେ ନାହିଁ ଚପଲ, ଦେହରେ କୋଚଟିଆ ଧୋତି ଆଉ ଖଣ୍ଡେ ଚିରାସାର୍ଟ । ଭଙ୍ଗା ସାଇକେଲକୁ ବଳ କରି ସେବାର ଲକ୍ଷ୍ୟ ନେଇ ଏହି ବୃଦ୍ଧ ଜଣକ ମାଡି ଆସିଛନ୍ତି ସୁଦୁର ବାଲେଶ୍ୱରରୁ ବନ୍ଦର ନଗରୀ ପାରାଦୀପ । ଆଉ କେବଳ ଗୋଟିଏ ଉଦ୍ଦେଶ୍ୟ, ଲୋକଙ୍କ ସେବା କରିବି ଆଉ ପରିବେଶକୁ ସଫା ରଖିବି ।
କାଳି ଚରଣ ପାଗଳ । ଘର ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଡକସପା ଗାଁରେ । ସ୍ତ୍ରୀ, ପାଂଚ ପୁଅ, ନାତି-ନାତୁଣୀଙ୍କୁ ନେଇ ରହିଛି କାଳି ଚରଣଙ୍କ ଏକ ହସ ଖୁସିର ପରିବାର । କିନ୍ତୁ ଏସବୁକୁ ତୁଚ୍ଛ କରିଦେଇ ସେ ଏବୟସରେ ବି ସମାଜ ସେବା କରିବାକୁ ଅଂଟା ଭିଡିଛନ୍ତି । ଆଉ ପ୍ରତିଦିନ ଭଙ୍ଗା ସାଇକେଲ ଖଣ୍ଡିଏ ଧରି ବଢି ସକାଳୁ ବାହାରି ପଡନ୍ତି ଅଳିଆ ଆବର୍ଜନା ସବୁ ସଫା କରିବାକୁ । କାହିଁକି ନା ଅଳିଆ ଆବର୍ଜନା ଦେଖିଲେ ତାଙ୍କର ନିଦ ହଜିଯାଏ ଆଉ ନିଜ ସମର୍ଥ ମୁତାବକ ସାଙ୍ଗରେ ଧରିଆସିଥିବା ଝାଡୁକୁ ସାହାଯ୍ୟ ସେ ସଫେଇ କାମରେ ଲାଗିପଡନ୍ତି ।
ତେବେ ମାନବ ସେବା ହିଁ ମାଧବ ସେବାକୁ ନିଜ ଜୀବନର ବ୍ରତକରି ବାଲେଶ୍ୱରରୁ ପାରାଦୀପ ଧାଇଁ ଆସିଛନ୍ତି କାଳିଚରଣ । ସତ୍ୟସାଇ ସଂଗଠନର ରାଜ୍ୟ ସ୍ତରୀୟ ୪୪ତମ ଭକ୍ତ ସମ୍ମିଳନୀରେ ସେ ୩ ଦିନ ହେବ ସେବା କରିଚାଲିଛନ୍ତି । କେବଳ ପାରାଦୀପ ନୁହେଁ ପୁରୀ ରଥଯାତ୍ରା, ଅନୁଗୁଳ ଏବଂ ବାଲେଶ୍ୱର ବାଲିଆପାଳରେ ସେ ଦୀର୍ଘଦିନ ହେବ ସେବା ଯୋଗାଇ ଆସୁଛନ୍ତି । ସତରେ କାଳି ଚରଣ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି ତାହା ଅନେକଙ୍କ ପାଇଁ ଉଦାହରଣ ପାଲଟିବ ନିଶ୍ଚୟ ।