କରୋନା ପାଇଁ ସ୍କୁଲ ବନ୍ଦ: ଘରଘର ବୁଲି ପିଲାଙ୍କୁ ପଢାଉଛନ୍ତି କଇଁତା

145

କନକ ବ୍ୟୁରୋ: ମୁଁ ପଢୁଛି, ମୋ ଗାଁ ପିଲା ବି ପଢିବେ… ମୁଁ ଶିକ୍ଷିତ ହୋଇଛି. ମୋ ଗାଁ ପିଲା ବି ଶିକ୍ଷିତ ହେବେ… ଯେତେବେଳେ କରୋନା ପାଇଁ ପାଠରେ ପଡିଛି ଡୋରି, ସ୍କୁଲରେ ପଡିଛି ତାଲା । ଠିକ ସେତେବେଳେ ବଣପାହାଡ ଘେରା ଗାଁରେ ଶିକ୍ଷାର ଦୀପଶିଖାଟେ ସାଜିଛନ୍ତି ସେହି ଗାଁର ଝିଅ କଇଁତା । ଘର ଘର ବୁଲି ପିଲାଙ୍କୁ ପାଠ ପଢିବା ପାଇଁ ଉତ୍ସାହିତ କରୁଥିବା ବେଳେ ନିଜ ଗାଁର ୨୦ ଜଣ କୁନିକୁନି ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ।

କରୋନା କଟକଣା ପାଇଁ ଦୀର୍ଘ ୨ ବର୍ଷ ହେବ ଯେତେବେଳେ ଶିକ୍ଷାନୁଷ୍ଠାନ ବନ୍ଦ ହୋଇ ପଡିଛି ସେତେବେଳେ ପାଠ ପ୍ରତି ପିଲାଙ୍କର ଆଗ୍ରହ ବି କମିକମି ଆସିଲାଣି । କିଏ ପାଠ ଛାଡି ଗାଈ ଚରାଇବାକୁ ଗଲାଣି ତ କିଏ ବାପାମାଆଙ୍କ ସହ ଜଙ୍ଗଲ ଗଲାଣି । ପଛୁଆ ଅଞ୍ଚଳ ହୋଇଥିବାରୁ ଅବିଭାବକ ବି ପାଠ ପ୍ରତି ଗୁରୁତ୍ୱ ଦେଉନାହାନ୍ତି । ଗାଁରେ ପିଲାଙ୍କ ଭବିଷ୍ୟତ ଏମିତି ଗଢା ହେଉଥିବା ଦେଖି ବ୍ୟଥିତ ହୋଇଥିଲେ କଇଁତା ଦିଗାଲ । ଆଉ ନିଜ ଗାଁରେ ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କୁ ପଢାଇବାରେ ଲାଗିଛନ୍ତି ସିଟି ସ୍କୁଲର ପ୍ରଥମ ବର୍ଷର ଛାତ୍ରୀ କଇଁତା ।

କନ୍ଧମାଳ ଜିଲ୍ଲା ଫୁଲବାଣି ବ୍ଲକ ଲାହାବାଡି ଗାଁର କଇଁତା ସକାଳ ହେବା କ୍ଷଣି ଘର ଘର ବୁଲି ପିଲାଙ୍କୁ ଡାକି ନିଅନ୍ତି ପାଠ ପଢିବା ପାଇଁ । ଆଉ ଏହି ଭିଏସଏସ ଘରେ ନିଜ ଖର୍ଚ୍ଚରେ ପିଲାଙ୍କୁ ଖାତା, ବହି, କଲମ ଆଦି ଶିକ୍ଷା ଉପକରଣ ଦେଇ ପାଠ ପ୍ରତି ଆଗ୍ରହ ବଢାନ୍ତି । ତେବେ କରୋନା ପାଇଁ ସଚେତନତାକୁ ଗୁରୁତ୍ୱ ଦେଇ ପାଠ ପଢା ଆଗରୁ ପିଲାଙ୍କୁ ସାନିଟାଇଜ କରିବା ସହ ମାସ୍କ ପିନ୍ଧିବାକୁ ସଚେତନ କରାନ୍ତି । ତେବେ ଆଦିବାସୀ ମୁଲକର ଶିକ୍ଷାର ଶୀଖା ସାଜିଥିବା କଇଁତାଙ୍କ ଏଭଳି ଉଦ୍ୟମ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି । ଆଉ ପିଲାଙ୍କ ପାଠ ପଢା ପୁଣି ଥରେ ଆରମ୍ଭ ହୋଇଥିବାରୁ ଖୁସି ମନାଇଛନ୍ତି ପିତାମାତା ।