ବାପା ହେଉଛନ୍ତି ଇନ୍ସପେକ୍ଟର, ଝିଅ ହେଲେ ଡିଏସପି । ଝିଅକୁ ସାମ୍ନାରେ ଦେଖି ବାପାର ଛାତି ହୋଇଗଲା କୁଣ୍ଢେମୋଟ । ଗର୍ବର ସହ ଅଫିସର ଝିଅକୁ ସାଲ୍ୟୁଟ୍ କଲେ ବାପା ।

227

କନକ ବ୍ୟୁରୋ : ଜଣେ ସିନିୟର ଅଫିସରଙ୍କୁ ପୋଲିସ କର୍ମଚାରୀ ସାଲ୍ୟୁଟ ମାରୁଥିବା ସାଧାରଣ କଥା । ହେଲେ ଏବେ ଆମେ ଯେଉଁ କଥା କହିବୁ ତାହା ଗୋଟିଏ ବାପାର ସଫଳ ପିତୃତ୍ୟର କାହାଣୀ । ଯେଉଁ ଝିଅକୁ ଦିନେ ବାପା କୋଳେଇ କାଖେଇ ମଣିଷ କରିଥିଲା, ଆଜି ସେହି ବାପା ଆଗରେ ବଡ ଅଫିସର ହୋଇ ଛିଡା ହୋଇଛି ଝିଅ । ଆଉ ଗର୍ବର ସହ ନିଜ ଝିଅକୁ ସାଲ୍ୟୁଟ ମାରୁଛି ବାପା । ତେବେ ଗୋଟିଏ ବାପା ପାଇଁ ଏହାଠୁ ବଡ କଥା ଆଉ କଣ ହୋଇପାରେ ।

ଘଟଣାଟି ହେଉଛି ଆନ୍ଧ୍ର ପ୍ରଦେଶର । ଆନ୍ଧ୍ରର ୱାଇ ଶ୍ୟାମ ସୁନ୍ଦର ସର୍କଲ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ । ଆଉ ତାଙ୍କ ଝିଅ ହେଉଛନ୍ତି ଜେସି ପ୍ରଶାନ୍ତି । ନିଜ ବାପାଙ୍କୁ ଅନୁସରଣ କରି ଝିଅ ମଧ୍ୟ ପୋଲିସ ବିିଭାଗରେ ଯିବାକୁ ନିଷ୍ପତ୍ତି ନେଇଥିଲା । ଆଉ ପରିଶ୍ରମ କରି ପୋଲିସ ବିଭାଗରେ ଭର୍ତ୍ତି ମଧ୍ୟ ହୋଇଛନ୍ତି । ହେଲେ ଏବେ ଝିଅ ବାପାଙ୍କଠାରୁ ଆଉ ଗୋଟିଏ ପାଦ ଆଗରେ ରହିଛନ୍ତି । ବାପା ଇନ୍ସପେକ୍ଟର ହେଲେ ଝିଅ ଡିଏସପି ଭାବେ ନିଯୁକ୍ତି ପାଇଛନ୍ତି ।

ଜାନୁଆରୀ ୩ ତାରିଖରେ ଆନ୍ଧ୍ର ପ୍ରଦେଶ ପୋଲିସ ତରଫରୁ ତିରୁପତିରେ ପୋଲିସ ଡ୍ୟୁଟି ମିଟ୍ ୨୦୨୧ର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଡିଜିପି ଗୌତମ ସାୱାଙ୍ଗ । ଏହି ମିଟ୍ ଜରିଆରେ ସାମ୍ନାସାମ୍ନି ହୋଇଥିଲେ ଡିଏସପି ଝିଅ ଓ ଇନ୍ସପେକ୍ଟର ବାପା । ଏଠାରେ ବଡ ଅଫିସର ଭାବେ ଝିଅକୁ ଦେଖି ବାପାର ଛାତି କୁଣ୍ଢେମୋଟ ହୋଇଯାଇଥିଲା । ଆଉ ଝିଅର ସଫଳତା ଦେଖି ବାପାର ଆଖିରେ ଖୁସିର ଲୁହ ମଧ୍ୟ ଚାଲିଆସିଥିଲା । ବାପା-ଝିଅଙ୍କର ଏହି ହୃଦୟ ଛୁଆଁ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରଶାନ୍ତି ୨୦୧୮ ବ୍ୟାଚର ପୋଲିସ ଅଧିକାରୀ । ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରରେ ଡିଏସପି ଭାବେ କାର୍ଯ୍ୟରତ । ସେହିପରି ତାଙ୍କ ବାପା ଶ୍ୟାମ ସୁନ୍ଦର କଲ୍ୟାଣୀ ଡ୍ୟାମ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରରେ ସର୍କଲ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି ।

ତେବେ ବାପା ସିନା ବଡ ଅଫିସର ବୋଲି ଝିଅକୁ ସଲ୍ୟୁଟ କରିଥିଲେ । ହେଲେ ଝିଅ ବି ଭୁଲି ନଥିଲା ସଂସ୍କାର । ପ୍ରଶାନ୍ତି ମଧ୍ୟ ନିଜ ବାପାଙ୍କୁ ସାଲ୍ୟୁଟ ମାରିବା ସହ ବାପାଙ୍କ ଆଶୀର୍ବାଦ ନେଇଥିଲେ । ଏହାସହ ନିଜ ସଫଳତାର ସବୁ ଶ୍ରେୟ ନିଜ ବାପାଙ୍କୁ ଦେଇଥିଲେ ।