କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ଜନତାଙ୍କ ନିକଟତର ହେଉଛନ୍ତି ନେତା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥର ମଧ୍ୟ ନିଜ ସଂସଦୀୟ କ୍ଷେତ୍ର ୱାୟନାଡରୁ ନିର୍ବାଚନୀ ମଇଦାନକୁ ଓହ୍ଲାଉଛନ୍ତି । ତେବେ ୱାୟନାଡ ଯିବା ପୂର୍ବରୁ ସୋମବାର ରାହୁଲ ଗାନ୍ଧୀ ତାମିଲନାଡୁର ନୀଳଗିରିରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଯେଉଁଠାରେ ନିର୍ବାଚନ କମିଶନର ଅଧିକାରୀମାନେ ତାଙ୍କ ହେଲିକପ୍ଟର ଯାଂଚ କରିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

Advertisment

ପ୍ରଚାର ବେଳେ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଂଚ । ତଲାସୀ ନେଲେ ନିର୍ବାଚନ ଆୟୋଗର ଅଧିକାରୀ । ଯେଉଁମାନେ ହେଲିକପ୍ଟରର ଯାଂଚ କରୁଛନ୍ତି, ସେମାନେ ହେଉଛନ୍ତି ନିର୍ବାଚନ କମିଶନଙ୍କ ଅଧିକାରୀ । ଏହି ହେଲିକପ୍ଟର ଆଉ କାହାର ନୁହେଁ, ବରଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର । ନିର୍ବାଚନ ଆୟୋଗର ଅଧିକାରୀମାନେ ସୋମବାର ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଂଚ କରିଛନ୍ତି । ନ୍ୟୁଜ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁସାରେ, ତାମିଲନାଡୁର ନୀଳଗିରିରେ ଏହି ଯାଂଚ କରିଛନ୍ତି ନିର୍ବାଚନ ଆୟୋଗର ଅଧିକାରୀ । ଯାଂଚକୁ ନେଇ ପ୍ରତିକ୍ରିୟା ରଖିଛି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗ କହିଛି,

- ନିର୍ବାଚନ ବେଳେ ହେଲିକପ୍ଟର ଯାଂଚ କରିବା ନୂଆ କଥା ନୁହେଁ
- ନିରପେକ୍ଷ ନିର୍ବାଚନ କରାଇବା ପାଇଁ ଏପରି ଯାଂଚ କରାଯାଇଥାଏ
- ଏହା ଏକ ରୁଟିନ୍ ଯାଂଚ, ଯାହା ସମଗ୍ର ଦେଶରେ କରାଯାଉଛି

ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଂଚକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଦଳ କହିଛି, ବିରୋଧୀଙ୍କ ଉପରେ ଚାପ ପକାଇବା ଏହା ଏକ ଷଡ଼ଯନ୍ତ୍ର । ଯଦି ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଂଚ କରାଯାଉଛି, ତାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ୍ ଶାହଙ୍କ ହେଲିକପ୍ଟରର ଯାଂଚ କରାଯାଉ ବୋଲି କହିଛି କଂଗ୍ରେସ । ନିର୍ବାଚନ ବେଳେ ହେଲିକପ୍ଟର ଯାଂଚ କରିବା କିଛି ନୂଆ କଥା ନୁହେଁ । ପୂର୍ବରୁ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଯାଂଚ ଦେଖିବାକୁ ମିଳିଥିଲା ।