ଟଙ୍କା ଉଠାଇବାକୁ ବ୍ୟାଙ୍କ ଆଗରେ ସାରାରାତି ଅନିଦ୍ରା : ଧାଡିରେ ଜଗିବିସିଛନ୍ତି ବୃଦ୍ଧବୃଦ୍ଧା, ଦିନରାତି ଲାଗୁଛି ଲମ୍ବାଲାଇନ; ଚାନ୍ଦବାଲିରୁ ଆସିଲା ଅଭାବନୀୟ ଦୃଶ୍ୟ

369

କନକ ବ୍ୟୁରୋ : ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ସାରା ରାତି ଉଜାଗର । ଚାନ୍ଦବାଲିରୁ ଆସିଛି ଏପରି ଚିତ୍ର । ଯାହା ଦେଖିଲେ ଆପଣ ବି ଚିନ୍ତାରେ ପଡିବେ । ଆଜି ଖୋଲିବ ବ୍ୟାଙ୍କ୍ । କିନ୍ତୁ ଗତକାଲି ଠାରୁ ବ୍ୟାଙ୍କ ଆଗରେ ଲାଗିଛି ଲଂବା ଲାଇନ । ଦିନକୁ ମାତ୍ର ୧୨୦ ଜଣଙ୍କୁ ଟଙ୍କା ଉଠାଣର ସୁଯୋଗ ମିଳୁଥିବାରୁ ଲୋକେ ଏବେ କରୋନା କାଳରେ ସମସ୍ୟାରେ ପଡିଛନ୍ତି । ଦିନ ଦିନ ଧରି ଲୋକେ ଟଙ୍କା ଉଠାଇବାକୁ ଆସି ଫେରିବା ପରେ ଶେଷରେ ସାରା ରାତି ଅନିଦ୍ରା ହୋଇ ରହିବାକୁ ବାଧ୍ୟ ହେଉଛନ୍ତି ।

କିଏ ରାସ୍ତା କଡରେ , ତ କିଏ ଦୋକାନ ବାରଣ୍ଡାରେ ଜଗି ବସିଛି, କେତେବେଳେ ଆସିବ ତାଙ୍କ ପାଳି । ବର୍ତମାନ ଚାଷ ସମୟରେ ଚାଷୀମାନେ ଏହି ଟଙ୍କା ଉଠାଣକୁ ନେଇ ବଡ ଅଡୁଆରେ ପଡିଲେଣି । ଚାନ୍ଦବାଲି ସମବାୟ ବ୍ୟାଙ୍କ ଆଗରେ ଦେଖିବାକୁ ମିଳିଛି ଏପରି ଚିତ୍ର । ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଲୋକେ ସାରା ରାତି ଉଜାଗର ରହିଥିବା ଦେଖିବାକୁ ମିଳିଛି । କିଛି ଲୋକ ବ୍ୟାଙ୍କ ଆଗରେ ସାରା ରାତି ଉଜାଗର ରହି ଜଗି ବସିଛନ୍ତି । ନିର୍ଦ୍ଦିଷ୍ଟ କିଛି ବ୍ୟାଙ୍କ୍ ଖୋଲୁଥିବାରୁ ଲୋକ ହସ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ଏମିତି କି ଆଜି ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଟଙ୍କା ଉଠାଇବା ପାଇଁ ଦୁର ଦୁରାନ୍ତରୁ ଲୋକମାନେ ଆସି ରାତି ୩ଟାରୁ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଲାଇନ ଦେଉଛନ୍ତି ।

ଲାଇନରେ ଘଂଟା ଘଂଟା ଧରି ଛିଡ଼ା ହୋଇ ଥକିଯିବା ପରେ ହେଲମେଂଟ, ଇଟା, ବହି ଖାତା ଥୋଇ ଜାଗା ରଖୁଛନ୍ତି । ବଡ଼ କଥା ବ୍ୟାଙ୍କ ସମ୍ମୁଖରେ ଏକତ୍ରୀତ ହେଉଛନ୍ତି ଶତାଧିକ ଲୋକେ । ନା ସେମାନଙ୍କ ମୁହଁରେ ମାସ୍କ ଅଛି ନା ସାମାଜିକ ଦୂରତ୍ୱ ରଖୁଛନ୍ତି । ଜଳେଶ୍ୱରପୁର, ଯଶିପୁର, ଓରାସାହୀ ମାଧପୁର,ତେନ୍ତଲିଡ଼ିହି ଆଦି ସେବା ସମବାୟ ସମିତିକୁ ଚଳିତ ବର୍ଷ ବିମାରାଶି ଛାଡ଼ ଆସିଥିବାରୁ ଲୋକେ ଟଙ୍କା ଉଠାଣ କରିବା ପାଇଁ ଭିଡ଼ ଜମାଉଛନ୍ତି ।