ମହାକାଶ ବିଜ୍ଞାନରେ ନୂଆ ମାଇଲ ଖୁଂଟ: ମଙ୍ଗଳ ଗ୍ରହରେ ପହଂଚିଲା ମହାକାଶ ଯାନ

ମିଳିବ ମଙ୍ଗଳର ଅଜଣା ତଥ୍ୟ

170

କନକ ବ୍ୟୁରୋ: ଆମେରିକା ଗବେଷଣା ସଂସ୍ଥା ନାସା ଦ୍ୱାରା ପଠାଯାଇଥିବା ମହାକାଶଯାନ ‘ଇନସାଇଟ ପ୍ରୋ’ ସଫଳତାର ସହ ଅବତରଣ କରିଛି । ଗତକାଲି ରାତିରେ ନାସାର ଏହି ମହାକାଶଯାନ ଅବତରଣ କରିବା ପରେ ବୈଜ୍ଞାନିକମାନେ ଖୁସିରେ ବିଭୋର ହୋଇଉଠିଥିଲେ । କାରଣ ଏହି ମହାକାଶଯାନ ‘ଇନ୍ସାଇଟ ପ୍ରୋ’ ମଙ୍ଗଳ ଗ୍ରହରେ ନିରାପଦ ଭାବେ ଅବତରଣ କରିବା ସେତେ ସହଜ ନଥିଲା । ମଙ୍ଗଳ ଗ୍ରହର ଭୁପୃଷ୍ଠରେ ଓହ୍ଳାଇବା ଏହି ପ୍ରୋଜେକ୍ଟର ସବୁଠାରୁ କଷ୍ଟସାଧ୍ୟ ବ୍ୟାପାର ଥିଲା । ଶେଷ ୧୨୫ କିଲୋମିଟରକୁ ୬.୫ମିନିଟରେ ଅତିକ୍ରମ କରିବାର ଥିଲା ।

ତେଣୁ ଏହି ପ୍ରବଳ ବେଗ ପାଇଁ ଶେଷ ମୁହୁର୍ତରେ ସ୍ପେଶକ୍ରାଫ୍ଟଟି ଧ୍ୱସଂ ହେବାର ମଧ୍ୟ ଆଶଙ୍କା ଥିଲା । ଶେଷ ମୁହୁର୍ତରେ ଏହାର ବେଗକୁ ନିୟନ୍ତ୍ରଣ କରିବା ପାଇଁ ଏକ ପାରାଚ୍ୟୁଟ ଓ ବ୍ରେକିଂ ଇଂଜିନର ବ୍ୟବସ୍ଥା ଥିଲା । ଗତକାଲି ରାତିରେ ‘ଇନସାଇଟ ପ୍ରୋ’ ମଙ୍ଗଳ ଗ୍ରହର ଭୁପୃଷ୍ଠରେ ଅବତରଣ କରିବାର କିଛି ସମୟ ପରେ ସିଗନାଲ ଆସିଥିଲା ଯେ, ମହାକାଶଯାନ ଟି ନିରାପଦରେ ଅବତରଣ କରିଯାଇଛି । ଯାହା ବୈଜ୍ଞାନିକମାନଙ୍କୁ ଖୁସିରେ ବିଭୋର କରିଦେଇଥିଲା ।

ପ୍ରାୟ ୪ହଜାର କୋଟି କିଲୋମିଟର ଦୂରତାକୁ ଏହି ଇନସାଇଟ ପ୍ରୋ ପ୍ରାୟ ୭ମାସରେ ଗତିକରି ଗତକାଲି ମଙ୍ଗଳଗ୍ରହର ଭୁପୃଷ୍ଠରେ ପହଂଚିଛି । ଗତ ମେ’ ମାସରେ ଆମେରିକାର କାଲିଫର୍ଣ୍ଣିଆରୁ ଏହାକୁ ପ୍ରେରଣ କରାଯାଇଥିଲା । ମଙ୍ଗଳ ଗ୍ରହ ଉପରେ ଏହି ଇନସାଇଟ ପ୍ରୋ ୨ବର୍ଷ ଧରି ଗବେଷଣା କରିବ । ଫଳରେ ମଙ୍ଗଳ ଗ୍ରହ ଉପରେ ଅନେକ ଅଜଣା ତଥ୍ୟ ସାମ୍ନାକୁ ଆସିବ ।