ରାଜ୍ୟରେ ଡାକ୍ତରଖାନାର ଭିତିରି କଥା। ଡାକ୍ତର ନାହାନ୍ତି, ରୋଗୀ ହିନସ୍ତା

122

କନକ ବ୍ୟୁରୋ: କେଉଁଠି ରୋଗୀ ବାରଣ୍ଡାରେ ପଡିଛନ୍ତି ତ ଆଉ କେଉଁଠି ଡାକ୍ତରଙ୍କୁ ଅପେକ୍ଷା କରିଛନ୍ତି । ଡାକ୍ତରଙ୍କ ଦେଖା ନଥିବା ବେଳେ ରୋଗୀଙ୍କୁ ଜଗି ରହିଛନ୍ତି ସମ୍ପର୍କୀୟ । ତେବେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ଅଭାବ ନେଇ ଖବର ଆସୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ସଚିବ କହିଛନ୍ତି ସରକାରଙ୍କ ପାଖରେ ଅଛି ଅଧିକ ଡାକ୍ତର । କିନ୍ତୁ ମୟୂରଭଂଜ ଜିଲ୍ଲା ଉଦଳା ଡାକ୍ତରଖାନାର ଦୃଶ୍ୟ ସ୍ପଷ୍ଟ କରୁଛି ସଚିବଙ୍କ କଥା ଓ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ।

ଉଦଳା ଡାକ୍ତରଖାନା ଉପରେ କପ୍ତିପଦା ଉପଖଣ୍ଡର ଚାରୋଟି ବ୍ଲକର ଲକ୍ଷଲକ୍ଷ ଲୋକ ନିର୍ଭର କରନ୍ତି । ଏଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଭେଷଜ ବିଭାଗ, ଚକ୍ଷୁ ବିଭାଗ, ଅସ୍ଥିଶଲ୍ୟ ବିଭାଗ ବିଭାଗରେ ଡାକ୍ତରଙ୍କ ଅଭାବ ରହିଛି । ୧୮ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଅଛନ୍ତି ୯ ଜଣ । ପୁଣି ଜଣେ ଡାକ୍ତର ଡେପୁଟେସନରେ ଅଛନ୍ତି । ଡାକ୍ତରଙ୍କ ଅଭାବ ଯୋଗୁଁ, ରୋଗୀ ସେବା ବ୍ୟାହତ ହେଉଥିବା କପ୍ତିପଦା ଉପଖଣ୍ଡ ଚିକିତ୍ସାଧିକାରୀ ସ୍ୱୀକାର କରିଛନ୍ତି ।

କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଚିିକିତ୍ସାଳୟରେ ବି ସେହିଭଳି ସ୍ଥିତି । ଧର୍ମଗଡ ଉପଖଣ୍ଡ ସମେତ ନବରଙ୍ଗପୁର ଓ ନୂଆପଡା ଜିଲ୍ଲାର ରୋଗୀ ନିର୍ଭର କରୁଥିବା ଏହି ଡାକ୍ତରଖାନାରେ ମାତ୍ର ୯ ଜଣ ଡାକ୍ତର ଅଛନ୍ତି । ଧର୍ମଗଡ ଉପଖଣ୍ଡ ଚିିକିତ୍ସାଳୟରେ ୩୪ ଜଣ ଡାକ୍ତର ଆବଶ୍ୟକତା ରହିଛି । କୌଣସି ବିଭାଗରେ ବିଶେଷଜ୍ଞ ଡାକ୍ତର ନାହାନ୍ତି । କିଛି ଦିନ ତଳେ ଫାଇଭ-ଟି ସଚିବ ଏହି ଡାକ୍ତରଖାନାକୁ ଆସିଥିବା ବେଳେ ଖୁବ୍ଶୀଘ୍ର ଡାକ୍ତର ସମସ୍ୟା ଦୂର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଡାକ୍ତରଖାନାରେ ଡାକ୍ତର ଅଭାବରୁ ରୋଗୀ ଉପଯୁକ୍ତ ଚିକିତ୍ସା ସେବା ପାଉନଥିବା ବେଳେ ବିଭାଗୀୟ ସଚିବ କହିଥିଲେ, ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଡାକ୍ତର ଅଛନ୍ତି । ତେବେ ଦୁଇଟି ଡାକ୍ତରଖାନାରେ ବସ୍ତାବତା ଓ ସଚିବଙ୍କ କଥାରୁ ଯାହା ଜଣାପଡୁଛି ।