ପେନସନ ଟଙ୍କା ପାଇଁ ବାରମ୍ବାର ତହସିଲ ଅଫିସ ଦୌଡୁଥିଲେ ମଧ୍ୟ ଏହି ବୃଦ୍ଧାଙ୍କ ଅସୁବିଧା କେହି ବୁଝୁନଥିଲେ । ଦୀର୍ଘ ୮ ମାସ ହେବ ପେନସନ ଟଙ୍କା ପାଇବା ପାଇଁ ସେ ତହସିଲ କାର୍ଯ୍ୟାଳୟକୁ ଯାଉଛନ୍ତି । କର୍ଣ୍ଣାଟକର ଗଡଗ ଜିଲ୍ଲାରେ ଜଣେ ବୃଦ୍ଧଙ୍କୁ ପେନସନ୍ ନମିଳିବାରୁ ସେ ବହୁ ଅସୁବିଧାରେ ଥିଲେ। ଏହି ବୃଦ୍ଧଙ୍କୁ ଦୀର୍ଘ ୮ମାସ ହେଲା ପେନସନ୍ ମିଳି ନଥିବା ଅଭିଯୋଗ ହୋଇଛି। ସେ ପେନସନ୍ ପାଇଁ ଅନେକ ଥର ବ୍ୟାଙ୍କ ଯାଇ ଅଧିକାରୀଙ୍କୁ ଗୁହାରି ମଧ୍ୟ କରିଛନ୍ତି। କିନ୍ତୁ ବୃଦ୍ଧଙ୍କ କଥା କେହି ଶୁଣି ନଥିଲେ। ତେଣୁ ସେ ଏହାକୁ ବିରୋଧ କରିବାକୁ ଯାଇ ସେ ଏକ ଅଦ୍ଭୁତ ପଦ୍ଧତି ଆପଣାଇଥିଲେ ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ୟ୍ୟ ହୋଇଯିବେ।
ଗଡଗ ଜିଲ୍ଲା ମାବୁ ସାବାଙ୍କ ବୟସ ପାଖାପାଖି ୬୮ବର୍ଷ ହେବ। ପେନସନ୍ ପାଇବା ପାଇଁ ସେ କେତେବେଳେ ବ୍ୟାଙ୍କ୍ ତ ଆଉ କେତେବେଳେ ପୋଷ୍ଟ ବିଭାଗକୁ ଯାଇ ଥାଆନ୍ତି। କିନ୍ତୁ ତାଙ୍କର ଅସୁବିଧା କେହି ଶୁଣନ୍ତି ନାହିଁ। ଏଥିରେ ସେ ରାଗି ଯାଇ ଏକ ନାଗ ସାପକୁ ବେକରେ ଗୁଡ଼ାଇ ତହସିଲଦାରଙ୍କ ଅଫିସରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ କହିଲେ, ‘ପେନସନ୍ ଦେବ ନା ମୁଁ କିଛି ଅଘଟଣ ଘଟାଇବି।’
ବୃଦ୍ଧଙ୍କ ବେକରେ ସାପକୁ ଦେଖି ତହସିଲଦାର କାର୍ୟ୍ୟାଳୟରେ କାମ କରୁଥିବା ଲୋକମାନେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ସେଠାରେ ଜଣେ ଅଧିକାରୀ ଧୈର୍ୟ୍ୟ ସହକାରେ ବୃଦ୍ଧଙ୍କ ଅସୁବିଧା ପଚାରି ବୁଝିଥିଲେ। ଏହାପରେ ସେ ବୃଦ୍ଧଙ୍କୁ ଆଶ୍ୱସନା ଦେଇଥିଲେ କି ତିନି ଚାରିଦିନ ମଧ୍ୟରେ ତାଙ୍କ ସମସ୍ୟାର ସମାଧାନ କରାଯିବ। ଅଧିକାରୀଙ୍କ କଥା ଶୁଣିବା ପରେ ମାବୁ ଆଶ୍ୱସ୍ତିଲାଭ କରି ସେଠାରୁ ଚାଲି ଆସିଥିଲେ। କିଛି ବାଟ ଆସିବା ପରେ ସେ ଗଳାରୁ ସାପଟିକୁ ବାହାର କରି ଜଙ୍ଗଲରେ ଛାଡ଼ି ଦେଇଥିଲେ।