ନିୟମ ଭାଙ୍ଗିଲେ କେନ୍ଦ୍ରମନ୍ତ୍ରୀ । ଲିଙ୍ଗରାଜ ମନ୍ଦିରର ଗର୍ଭଗୃହର ଫଟୋ ନିଜ ଟ୍ୱିଟର ପୃଷ୍ଠାରେ ଛାଡି ବିବାଦୀୟ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ । ଗତକାଲି ଉକ୍ରଳ ଦିବସ ଅବସରରେ ଶୁଭେଛା ଜଣାଇବା ପାଇଁ ଗୋଏଲ୍ ଟ୍ୱିଟ୍ କରିଥିବା ବେଳେ ଏଥିରେ ଲିଙ୍ଗରାଜ ମନ୍ଦିରର ବେଢା ଓ ଗର୍ଭଗୃହରେ ସେ ନିଜେ ପୁଜା କରୁଥିବା ସମୟର ଫଟୋକୁ ପୋଷ୍ଟ କରିଥିଲେ । ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । ଗତବର୍ଷ ଭୁବନେଶ୍ୱର ଆସିଥିବା ବେଳେ ସେ ଲିଙ୍ଗରାଜ ମନ୍ଦିର ଦର୍ଶନ କରିଥିଲେ ଓ ସେହି ସମୟରେ ଏହି ଫଟୋ ଉଠାଯାଇଥିବା ଜଣାପଡିଛି । ଗର୍ଭଗୃହରେ ବିଜୟ ଗୋଏଲ ଓ ଦୁଇ ସେବାୟତ ଉପସ୍ଥିତ ଥିବା ବେଳେ ଏହି ଫଟୋଟି ଉଠାଯାଇଛି । ପ୍ରଶ୍ନ ଉଠୁଛି, ଦୁଇ ସେବାୟତ ଗର୍ଭଗୃହରେ ଉପସ୍ଥିତ ଥିବା ବେଳେ ଏଭଳି ଫଟୋ କିଭଳି ଉଠାଗଲା । କାହିଁକି ସେବାୟତ ମାନେ ବିରୋଧ କରିନଥିଲେ ।
Greetings of #UtkalaDibasa to our brothers, sisters and friends from #Odisha! Some pictures from my trip to the majestic Lingaraja Temple in Bhubaneswar last year. pic.twitter.com/gi0lzvX1O7
— Vijay Goel (@VijayGoelBJP) April 1, 2018
କିଛିଦିନ ଆଗରୁ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ୍ ମଧ୍ୟ ବେଢା ଭିତରେ ଭିଡିଓ ସୁଟ୍ କରି ବିବାଦୀୟ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ବେଳର ଭିଡିଓ ସିଧାପ୍ରସାରଣକୁ ମଧ୍ୟ ବିଭିନ୍ନ ସ୍ତରରେ ନାପସନ୍ଦ କରାଯାଇଥିଲେ । ବାରମ୍ବାର ଲିଙ୍ଗରାଜ ମନ୍ଦିରର ନୀତି ନିୟମ ଭଙ୍ଗ ହେବା ନାନା ବିବାଦ ତିଆରି କରୁଛି । ନିୟମ ଥିବା ସତ୍ତେ୍ୱ କାହିଁକି ଭିଆଇପି ଓ ଭିଭିଆଇପିଙ୍କ କ୍ଷେତ୍ରରେ ଏହାକୁ ଭଙ୍ଗ କରାଯାଉଛି, ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିରର ଭାଇରାଲ୍ ଫଟୋକୁ ନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ନିଜର ଏହି ଭୁଲ ପାଇଁ କ୍ଷମା ମାଗନ୍ତୁ । ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ ମଧ୍ୟ ଘଟଣା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ଅତୀତରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ୍ ନିଜ ଭୁଲ ବୁଝି କ୍ଷମା ପ୍ରାର୍ଥନା କରିଛନ୍ତି, ତେଣୁ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ୍ ମଧ୍ୟ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ।
ଅନ୍ୟପକ୍ଷରେ ବିଜେପି ତରଫରୁ ପ୍ରତିକ୍ରିୟା ରଖି କୁହାଯାଇଛି, ଗର୍ଭଗୃହରେ ଫଟୋ ଉଠାଯାଏନି ବୋଲି ମନ୍ଦିର ପ୍ରଶାସନ କହିବା କଥା । ଭାରତରେ ଅନେକ ପ୍ରାଚୀନ ମନ୍ଦିରରେ ଫଟୋ ଉଠାଯାଇଥାଏ । କେନ୍ଦ୍ରମନ୍ତ୍ରୀଙ୍କୁ ଫଟୋ ଉଠାଯାଏନି ବୋଲି ସୂଚନା ହୁଏତ କେହି ଦେଇନଥିଲେ । ପରୋକ୍ଷରେ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଆଡକୁ ଦୋଷ ଠେଲି ବିଜେପି କହିଛି, ଯେହେତୁ ଓଡିଆ ଜାତିର ସ୍ୱାଭିମାନକୁ ବାଧିଛି, ତେଣୂ କ୍ଷମା ପ୍ରାର୍ଥନା କରୁଛୁ ।
ଘଟଣାକୁ ଗୁରୁତ୍ୱର ସହ ନେଇଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ । ମନ୍ଦିରର ଏକଜିକ୍ୟୁଟିଭ ଅଫିସର ରାଜୀବ ଲୋଚନ ପରିଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେଉଁ ଫଟୋ ଉଠାଯାଇଛି ତାହା ପାଖାପାଖି ବର୍ଷେ ତଳର । ତେବେ ଗୁରୁତ୍ୱ ଦୃଷ୍ଟିରୁ ଟ୍ୱିଟକୁ ଡିଲିଟ୍ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯିବ । ମନ୍ଦିର ଭିତରକୁ କିଭଳି ଆଉ କେଉଁ ପରିସ୍ଥିତିରେ କ୍ୟାମେରା ଗଲା ତାର ଅନୁଧ୍ୟାନ କରାଯିବା ସହ ଆବଶ୍ୟକ ପଡିଲେ ଯେଉଁ ସେବାୟତ ମାନେ ଫଟୋରେ ଅଛନ୍ତି ସେମାନଙ୍କୁ ପଚରା ଉଚୁରା କରାଯିବ ବୋଲି ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି ।