ଆତ୍ମନିର୍ଭର କରିଛି ଧୂପକାଠି ବ୍ୟବସାୟ । ବାର୍ଷିକ ମିଳୁଛି ଲକ୍ଷାଧିକ ଟଙ୍କାର ରୋଜଗାର

563

କନକ ବ୍ୟୁରୋ : ଧୂପକାଠି ବ୍ୟବସାୟ ଦେଇଛି ପରିଚୟ । ଏହି ବ୍ୟବସାୟ କରି ଆତ୍ମନିର୍ଭର ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ନଇନ୍ଦିପୁର ଗାଁର ଝୁଲଣା ସ୍ୱାଇଁ । ନିଜର ବଳକା ସମୟକୁ ସଦୁପଯୋଗ କରି ଧୂପକାଠି ତିଆରି ଜିଲ୍ଲା ତଥା ଜିଲ୍ଲା ବାହାରେ ବିକ୍ରି କରୁଛନ୍ତି । ଯାହା ତାଙ୍କୁ ବାର୍ଷିକ ଲକ୍ଷାଧିକ ଟଙ୍କାର ରୋଜଗାର ଦେଉଛି । ଏହି ୟୁନିଟ୍ରେ ସେ ୮ଜଣ ମହିଳାଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି । ଝୁଲଣା ଜଣେ ଗୃହିଣୀ ହୋଇଥିଲେ ମଧ୍ୟ କିଛି କରିବାର ଇଛା ତାଙ୍କୁ ଆତ୍ମନିର୍ଭର କରିଛି । ଝୁଲଣାଙ୍କ ସ୍ୱାମୀ ବାହାର ରାଜ୍ୟରେ ଏକ ଘରୋଇ କମ୍ପାନୀରେ କାମ କରି ପରିବାର ଚଳାଉଥିଲେ । କରୋନା ମହାମାରି ସମୟରେ ଚାକିରି ଛାଡ଼ି ଘରକୁ ଫେରିଆସିବା ପରେ ପରିବାର ଚଳାଇବା ଏକ ପ୍ରକାର କଷ୍ଟକର ହୋଇପଡ଼ିଥିଲା । ତିନି ବର୍ଷ ତଳେ ମାତ୍ର ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ଆରମ୍ଭ କରିଥିଲେ ଧୂପକାଠି ବ୍ୟବସାୟ ।

ମାତ୍ର ୨ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ବାର୍ଷିକ ଲକ୍ଷାଧିକ ଟଙ୍କାର ରୋଜଗାର ଦେଉଛି । ଚମ୍ପା, ଚନ୍ଦନ, ଝୁଣା ଓ ଲାଭେଣ୍ଡର ଭଳି ବିଭିନ୍ନ ସୁଗନ୍ଧଯୁକ୍ତ ଧୁପକାଠି ତିଆରି କରନ୍ତି ଝୁଲଣା । ମେସିନରେ ଧୁପକାଠି ତିଆରି ହେବା ପରେ ଖରାରେ ଦୁଇଦିନ ସୁଖାଇ ଏହାକୁ ପ୍ୟାକିଂ କରନ୍ତି କର୍ମଚାରୀ । କଂଚାମାଲ ଓ ମାର୍କେଟିଂ କରିବା ଭଳି ସମସ୍ତ କାମ କର୍ମଚାରୀ ମାନେ କରୁଥିବା ବେଳେ ସେମାନଙ୍କୁ ମଧ୍ୟ କିଛି କିଛି ରୋଜଗାର ମିଳିପାରୁଛି । ଯାହାକୁ ନେଇ ଖୁସି ଅଛନ୍ତି କର୍ମଚାରୀ ।

ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସଫଳତା ପାଇଛନ୍ତି ଝୁଲଣା । ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।