ଧୂପକାଠି ବ୍ୟବସାୟ କରି ସ୍ୱାବଲମ୍ବୀ ହେଲେ କେନ୍ଦ୍ରାପଡ଼ା ବାଛରା ଗାଁର ମହିଳା । ଘର କାମ ପରେ ଦିନକୁ ୪ରୁ ୫ ଘଂଟା କରୁଛନ୍ତି ପରିଶ୍ରମ

97

କନକ ବ୍ୟୁରୋ : ଚାଲିଛି ଧୂପକାଠି ପ୍ରସ୍ତୁତି । କିଛି ମହିଳା ଧୂପ ତିଆରି କରିବାରେ ବ୍ୟସ୍ତ ତ ଆଉ କିଛି ପ୍ୟାକେଟିଂ କରିବାରେ ବ୍ୟସ୍ତ ଅଛନ୍ତି । ସ୍ୱାବଲମ୍ବୀ ହେବାର ଆଶା ନେଇ ପଟ୍ଟାମୁଣ୍ଡାଇ ଅଂଚଳର କିଛି ମହିଳାମାନେ ଆରମ୍ଭ କରିଛନ୍ତି ଧୂପକାଠି ପ୍ରକଳ୍ପ । ପ୍ରଥମେ ମିଶନ ଶକ୍ତି ପକ୍ଷରୁ ୨୫ହଜାର ଟଙ୍କା ଋଣ ଆଣି ଆରମ୍ଭ କରିଥିଲେ ଏହି ଧୂପକାଠି ବ୍ୟବସାୟ । ପରେ ଓରମାସ ଏହି ମହିଳା ମାନଙ୍କୁ ୨ ଲକ୍ଷ ଟଙ୍କା ଆର୍ôଥକ ସହାୟତା ଯୋଗାଇ ଦେଇଛି । ଏହି ଅର୍ଥରେ ମହିଳାମାନେ ଧୂପକାଠି ତିଆରି ପ୍ରକଳ୍ପକୁ ଆଗେଇ ନେଇଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ୨୨ଜଣ ସଦସ୍ୟ ଦିନକୁ ୪ ରୁ ୫ ଘଂଟା ପରିଶ୍ରମ କରି ଧୂପକାଠି ପ୍ରସ୍ତୁତ କରୁଛନ୍ତି ।

ମହିଳାମାନେ ଧୂପକାଠି ପ୍ରସ୍ତୁତ କରି ମାସକୁ ୧୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ଯେଉଁ ସମୟରେ ଅନ୍ୟ ମହିଳାମାନେ କେବଳ ଘରକାମରେ ନିଜକୁ ନିୟୋଜିତ କରୁଛନ୍ତି, ସେହି ସମୟରେ ଏହି ମହିଳାମାନେ ଘରକାମ କରିବା ସହ ବଳକା ସମୟରେ ଧୂପକାଠି ପ୍ରସ୍ତୁତ କରି ନିଜ ଆର୍ôଥକ ସ୍ଥିତିରେ ସୁଧାର ଆଣିଛନ୍ତି ।

ତେବେ ଧୂପକାଠି ପ୍ରସ୍ତୁତ କରିବା ପାଇଁ ଗାଈ ଗୋବର, କାଠଗୁଣ୍ଡ, ଝୁଣାରେ ତିଆରି ଅଠା ସମେତ ବିଭିନ୍ନ ପ୍ରକାରର ଅତର ବ୍ୟବହାର କରାଯାଉଛି । ପଟ୍ଟାମୁଣ୍ଡାଇ ସମେତ ଆଳି, ରାଜକନିକା, ରାଜନଗର ଓ କେନ୍ଦ୍ରାପଡାର ବିଭିନ୍ନ ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି ମହିଳା ।