କନକ ବ୍ୟୁରୋ : ଚା’ରୁ ମିଳିଲା ପୋକ, ରାଗିଗଲେ ବିଧାୟକ । ସ୍ଥିତି ଏମିତି ହେଲା ଯେ, ଚା’ ପରଷିଥିବା ବ୍ୟକ୍ତି ଓ ମ୍ୟାନେଜରଙ୍କୁ ଗିରଫ କରାଗଲା । ଏଭଳି ଏକ ଘଟଣା ବିହାର ହାଜିପୁରରୁ ସାମ୍ନାକୁ ଆସିଛି । ଗୋଟିଏ କପ୍ ଚା’କୁ ନେଇ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି ।
ଶୀତଦିନେ ଚା’ର ମଜା ନେବାକୁ କାହାକୁ ବା ଭଲ ନ ଲାଗେ । ସେ ସାଧାରଣ ଲୋକ ହୁଅନ୍ତୁ ବା ଭିଭିଆଇପି । ଠିକ୍ ସେହିଭଳି ବିହାର ମହୁଆର ବିଧାୟକ ମୁକେଶ ରୋଶନ ନିଜ ନିର୍ବାଚନମଣ୍ଡଳୀ ବୁଲିବା ପରେ ରବିବାର ସନ୍ଧ୍ୟାରେ ହାଜିପୁରରେ ଥିବା ସର୍କିଟ ହାଉସରେ ପହଞ୍ଚିଥିଲେ । ଯେଉଁଠି ତାଙ୍କୁ ଚା’ କପ୍ ଦେଇ ସ୍ୱାଗତ କରାଯାଇଥିଲା । ଶୀତୁଆ ସନ୍ଧ୍ୟାରେ ଗରମାଗରମ ଚା’ ପାଇ ମଧ୍ୟ ବିଧାୟକ ବେଶ ଖୁସିଥିଲେ । କିନ୍ତୁ ଦୁଇ ଢୋକ ଚା’ ପିଇଛନ୍ତି କି ନାହିଁ କପ ଉପରେ ତାଙ୍କର ନଜର ପଡିଲା । ଚା’ ଭିତରେ କିଛି ଭାସୁଥିବାର ଦେଖିବାକୁ ପାଇଥିଲେ । ପ୍ରଥମେ ତ ଏହାକୁ ଚା’ ପତି ଭାବି ଏଡାଇ ଯାଇଥିଲେ । କିନ୍ତୁ ଆଉ ଢୋକେ ଚା’ ପିଇବା ପରେ ଜାଣିଥିଲେ ଯେ କପ ଭିତରେ ପୋକ ଭାସୁଛନ୍ତି । ଆଉ ଏହା ଜାଣିବା ପରେ ବିଧାୟକଙ୍କ ରାଗ ପଞ୍ଚମ ହୋଇ ଯାଇଥିଲା । ସର୍କିଟ ହାଉସ ଭିତରେ ହୋ-ହଲ୍ଲା କରିଥିଲେ ବିଧାୟକ ।
ଆଉ ବିଧାୟକଙ୍କ ରାଗ ଦେଖି ସର୍କିଟ ହାଉସ ଦାୟିତ୍ୱରେ ଥିବା ମ୍ୟାନେଜର ଓ ୱେଟର କ୍ଷମା ମାଗିଥିଲେ । କିନ୍ତୁ ଏତିକିରେ ଶାନ୍ତ ହୋଇନଥିଲେ ମୁକେଶ । ସର୍କିଟ ହାଉସକୁ ପୋଲିସକୁ ଡାକିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚା’ କପ ଯାଞ୍ଚ କରି ଜାଣିଥିଲା ଯେ ଏଥିରେ ପୋକ ପଡିଛି । ତେଣ ଉଭୟ ମ୍ୟାନେଜର ଓ ୱେଟରଙ୍କୁ ଗିରଫ କରିଥିଲା । ଆଉ ଏହି ଘଟଣାକୁ ନେଇ ମୁକେଶ କହିଛନ୍ତି ,ତାଙ୍କୁ ହତ୍ୟା କରିବାକୁ ଏହା ଏକ ଷଡଯନ୍ତ୍ର ହୋଇପାରେ ।