ଶତ୍ରୁ ସାବଧାନ୍! ଗଭୀର ପାଣି ଭିତରୁ ହେବ ପ୍ରହାର, ଥରିବ ଶତ୍ରୁ ଶିବିର ।

120

କନକ ବ୍ୟୁରୋ : ଦିନକୁ ଦିନ ବଢୁଛି ନୌସେନାର ଶକ୍ତି । ଭାରତୀୟ ନୌସେନାରେ ସାମିଲ ହେଲା ଆଇ-ଏନ-ଏସ୍ ବିଶାଖାପାଟଣା । ଏଥର କେବଳ ସ୍ଥଳସେନା, ବାୟୁସେନା ନୁହେଁ, ଗଭୀର ଜଳ ଭାଗରୁ ବି ଶତ୍ରୁକୁ ନିପାତ କରିବ ଭାରତୀୟ ସେନା । ନିକଟରେ ଭାରତ ଅଗ୍ନି-୫ର ପରୀକ୍ଷଣ କରିଥିଲା । ଯାହାକୁ ନେଇ ଭୟରେ ଥରୁଛି ଶତ୍ରୁ ଚୀନ୍ । ଅଗ୍ନି-୫ର ମାରକ କ୍ଷମତାକୁ ନେଇ ଭାରତ ତଥ୍ୟ ଲୁଚାଉଛି ବୋଲି ଜାତିସଂଘରେ ଚୀନ୍ ଅଭିଯୋଗର ପୁଡିଆ ବାଣ୍ଟିଛି । ଏହିଥିରୁ ଚୀନ କେତେ ଭୟଭୀତ ତାହା ସ୍ପଷ୍ଟ ବାରି ହୋଇପଡୁଥିବା ବେଳେ ନୌସେନାରେ ସାମିଲ ହୋଇଥିବା ଆଇ-ଏନ୍-ଏସ୍ ବିଶାଖାପାଟଣା ଚୀନ୍ ଓ ପାକିସ୍ତାନର ଭୟକୁ ଦୁଇଗୁଣା କରିଦେଇଛି ।

ଭାରତୀୟ ସେନାରେ ସାମିଲ ହେଉଛନ୍ତି ଗୋଟିଏ ପରେ ଗୋଟିଏ ବାହୁବଳୀ ଯୁଦ୍ଧ ଜାହାଜ ଏବଂ ମିଜାଇଲ୍ । ରାଫେଲ୍, ଆପାଚେ, ଅଗ୍ନି-୫ ଆଉ ଏବେ ନୌସେନାରେ ସାମିଲ ହୋଇଛି ବାହୁବଳୀ ଆଇ-ଏନ୍-ଏସ୍ ବିଶାଖାପାଟଣା । ଗାଇଡେଡ ମିଜାଇଲ ଡେଷ୍ଟ୍ରୟର ବା ନିର୍ଦ୍ଦେଶିତ କ୍ଷେପଣାସ୍ତ୍ର ବିଧ୍ୱଂସକ- ପି- ୧୫ବି ଭାରତୀୟ ନୌସେନାକୁ ହସ୍ତାନ୍ତର ହୋଇଛି । ଅକ୍ଟୋବର ୨୮ ତାରିଖରେ ଏହି ଅତ୍ୟାଧୁନିକ ଯୁଦ୍ଧ ପୋତ ମିଳିଥିବା ନେଇ ଟ୍ୱିଟ କରି ସୂଚନା ଦେଇଛି ନୌସେନା । ମୁମ୍ବାଇର ମାଝେଗାଓଁ ଡଳୟାର୍ଡରେ ଏହାକୁ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଏହି ଯୁଦ୍ଧ ଯାହାଜର ନାଁ ଆଇଏନଏସ ବିଶାଖାପଟଣା ରଖାଯିବ ବୋଲି ନୌସେନା କହିଛି । ନୌସେନାକୁ ମିଳିଥିବା ଏହି ଅତ୍ୟାଧୁନିକ ଯୁଦ୍ଧ ଯାହାଜଟି ନିଜ ଡେକରୁ ହିଁ ଶତ୍ରୁ ପକ୍ଷର ବିମାନଭେଦୀ କ୍ଷେପଣାସ୍ତ୍ରକୁ ଲକ୍ଷ୍ୟଭେଦ କରିପାରିବ ।

ଯୁଦ୍ଧ ଜାହାଜର କ୍ଷମତା :
– ଆଇଏନଏସ କୋଲକାତା କ୍ଲାସର ଡେଷ୍ଟ୍ରୟର ସହିତ ଏହି ଯୁଦ୍ଧ ଜାହାଜର ଅନେକ ସମାନତା ରହିଛି
– ଏହାର ମାରକ କ୍ଷମତାକୁ ଅଧିକ ବିକଶିତ କରାଯାଇଛି ଓ ଅନେକ ବିଶେଷତ୍ୱ ମଧ୍ୟ ଯୋଡା ଯାଇଛି
– ସମସ୍ତ ଯୁଦ୍ଧାସ୍ତ୍ର ବହନ କରିବା ପରେ ଏହି ଯୁଦ୍ଧ ଜାହାଜର ଓଜନ ପ୍ରାୟ ୮ ହଜାର ୯ଶହ ଟନ୍
– ଜାହାଜରେ ଲାଗିଥିବା ରାଡାର ପ୍ରାୟ ଦେଢଶହ କିଲୋମିଟର ଦୂରରୁ ଶତ୍ରୁପକ୍ଷକୁ ଠାବ କରିପାରିବ
– ଆଇଏନଏସ ବିଶାଖାପାଟଣା ସର୍ବାଧିକ ୧୬ଟି ବ୍ରହ୍ମୋସ କ୍ଷେପଣାସ୍ତ୍ର ନେଇ ସମୁଦ୍ରରେ ଯାଇପାରିବ
– ଶତ୍ରୁ ପକ୍ଷର ବିମାନଭେଦୀ କ୍ଷେପଣାସ୍ତ୍ରକୁ ଚିହ୍ନଟ କରି ବ୍ରହ୍ମୋସ ଜରିଆରେ ଟାର୍ଗେଟ କରିବାକୁ ସମର୍ଥ
– ଜାହାଜରେ ଲାଗିଛି ୭୬ ମିଲିମିଟରର ସୁପର ରାପିଡ ଗନ୍, ଯାହାକୁ ହରିଦ୍ୱାରରେ ନିର୍ମାଣ କରାଯାଇଛି
– ୨ଟି ଆରଭ୍ୟୁ ୬ ଥାଉଜେଣ୍ଟ୍ ଆଣ୍ଟି ସବମେରାଇନ୍ ରକେଟ୍ ଲଞ୍ଚର ମଧ୍ୟ ଏହି ଯାହାଜରେ ରହିଛି
ଭାରତୀୟ ସେନାରେ ଗୋଟିଏ ପରେ ଗୋଟିଏ ଯୁଦ୍ଧାସ୍ତ୍ର ସାମିଲ ହେବା, ଶତ୍ରୁକୁ ଚେତାବନୀ ଦେଉଛି କି, ବେଳ ଥାଉ ଥାଉ ସାବଧାନ୍ ନହେଲେ ପରିଣାମ ଭୋଗିବ । ଭାରତ ସହ ପଙ୍ଗା ନେଲେ ନିଜର ଅସ୍ତିତ୍ୱ ହରାଇବ