କନକ ବ୍ୟୁରୋ : ଆମେରିକାର ମୁଦ୍ରା ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ଏବେ ରଶାତଳକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ମେ ମାସ ୨୬ ତାରିଖରେ ଶପଥ ନେବା ବେଳେ ଗୋଟଏ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୫୮.୫୮ ଟଙ୍କା ଥିବା ବେଳେ ୮ ବର୍ଷର ଶାସନ କାଳ ଭିତରେ ଏହା ଆଶାତୀତ ଭାବେ ହ୍ରାସ ପାଇ ଆଜି ଭାରତୀୟ ମୁଦ୍ରାର ମୂଲ୍ୟ ଆମେରିକାର ଡଲାର ତୁଳନାରେ ୮୩.୧୨ ଟଙ୍କାରେ ପହଂଚି ସାରିଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା କିଛି ନୂଆ କଥା ନୁହେଁ । ସ୍ୱାଧୀନତା ପରଠାରୁ ଏହା କ୍ରମାଗତ ଭାବେ ଲାଗି ରହିଛି । ହେଲେ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ଯେଭଳି ଭାବେ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ହ୍ରାସ ପାଉଛି ତାହା ପୂର୍ବ ସମସ୍ତ ରେକର୍ଡ ଭାଙ୍ଗି ସାରିଛି ।

Advertisment

ଗତ ୮ ବର୍ଷ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ ୪୨ ପ୍ରତିଶତ ହୋଇଛି । ସୂଚନା ଥାଉକି ୨୦୨୨ ମେ ମାସ ୨ ତାରିଖରେ ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୭୬.୪୩ ଟଙ୍କା ଥିଲା । ଏହା ଜୁନମାସରେ ଏହାର ମୂଲ୍ୟ ପାଖାପାଖି ୧.୫ ପ୍ରତିଶତ ହ୍ରାସ ପାଇଥିଲା । ଏହାପରେ ପୁଣି ସେପ୍ଟେମ୍ବର ମାସରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇ ୭୯.୩୯ ଟଙ୍କାକୁ ଚାଲି ଆସିଥିଲା ।

ଏସବୁ ଭିତରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ କହିଛନ୍ତି କି ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇ ନାହିଁ ବରଂ ଡଲାରର ମୂଲ୍ୟ ବୃଦ୍ଧି ପାଇଛି । ଏହାସହ ସେ କହିଥିଲେ କି ଡଲାର ତୁଳନାରେ ଅନ୍ୟ ଦେଶର ମୁଦ୍ରା ବିନିମୟ ମୂଲ୍ୟ ଯେଉଁଭଳି ହ୍ରାସ ପାଇଛି ସେହି ତୁଳନାରେ ଭାରତୀୟ ମୁଦ୍ରା ମଜବୁତ୍ ସ୍ଥିତିରେ ରହିଛି ।