ହାଥରସ ମାମଲାର ତଦନ୍ତ ଆରମ୍ଭ କଲା ସିବିଆଇ । ଅପରାଧସ୍ଥଳର ଭିଡିଓ ଗ୍ରାଫି ସହ ନମୂନା ସଂଗ୍ରହ କଲା ଫରେନସିକ ଟିମ,  ପୀଡିତାଙ୍କ ଭାଇ ଓ ମାଆକୁ ଡକାଇ କଲା ପଚରାଉଚରା । 

137

କନକ ବ୍ୟୁରୋ : ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ମାମଲାର ଯାଞ୍ଚ ଆରମ୍ଭ କରିଛି ସିବିଆଇ ଟିମ୍ । ଆଜି ବୁଲଗଢି ଗାଁକୁ ସିବିଆଇ ଅଧିକାରୀ, ଫରେନ୍ସିକ ଟିମ ସହ ଯାଇ ଅପରାଧ ଘଟିଥିବା ସ୍ଥାନକୁ ଯାଇ କ୍ରାଇମ ସିନର ରିକ୍ରିଏଟ କରି ପ୍ରମାଣ ସଂଗ୍ରହ ଉଦ୍ୟମ କରିଛି । ଯାଞ୍ଚ ବେଳେ ଘଟଣାସ୍ଥଳର ଭିଡିଓ ସହ ନମୁନା ମଧ୍ୟ ସଂଗ୍ରହ କରାଯାଇଛି । ଘଟଣାସ୍ଥଳକୁ ପୀଡିତାଙ୍କ ଭାଇ ଓ ମାଆକୁ ଡାକି ପଚରାଉଚରା କରିଛନ୍ତି ତଦନ୍ତକାରୀ ଦଳ । ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ, ହତ୍ୟା, ହତ୍ୟା ଉଦ୍ୟମ ଭଳି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ । ସେପଟେ ହାଥରସ ପୁଲିସ ତଦନ୍ତ କରିଥିବା ଦସ୍ତାବିଜକୁ ମଧ୍ୟ ସିବିଆଇ ଅଧିକାରୀ ଖୋଳତାଡ କରିଛନ୍ତି ।

ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ତଦନ୍ତ ଆରମ୍ଭ କରିଛି ସିବିଆଇ ଟିମ । ବୁଲଗଢିରେ ପହଞ୍ଚି ସିବିଆଇ ଟିମ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ଯାଞ୍ଚ କରିଛି । ଘଟଣାସ୍ଥଳରେ ପ୍ରାୟ ୪ ଘଂଟା ବିତାଇଥିଲେ ସିବିଆଇ ଅଧିକାରୀ । ସେଠାରୁ ପୀଡିତାଙ୍କୁ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନକୁ ଯାଇଥିଲେ । ଏହାପରେ ହାଥରସର ପୁଲିସ ଅଧିକାରୀଙ୍କୁ ପଚାରଉଚରା କରିବା ପରେ ପୀଡିତାଙ୍କ ଘରକୁ ଯାଇଥିଲେ ତଦନ୍ତକାରୀ ଦଳ ।

ବୁଲଗଢିରେ ସିବିଆଇ ଅଧିକାରୀ ଆସିବା ଆଗରୁ ହାଥରସ ପୁଲିସ ପକ୍ଷରୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା । ସାଧାରଣ ଜନତାଙ୍କୁ ତଦନ୍ତ ସ୍ଥଳକୁ ଛଡାଯାଇନଥିଲା । ବୁଲଗଢିର ବାତାବରଣରେ ଏକ ଅସହଜ ଗମ୍ଭୀରତା ବେଶ ବାରିହୋଇପଡୁଥିଲା । ଘଟଣାସ୍ଥଳରେ ପୀଡିତାଙ୍କ ମାଆ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଛି । ସେପଟେ ସକାଳେ ପୀଡିତାଙ୍କ ପିତା ଅସୁସ୍ଥ ହୋଇପଡିବାରୁ ବୁଲଗଢିକୁ ଆସି ସ୍ୱାସ୍ଥ୍ୟବସ୍ଥା ଯାଂଚ କରିଛନ୍ତି ହାଥରସ ସିିଏମଓ ।  ହାଥରସ ମାମଲାର ତଦନ୍ତ ଆରମ୍ଭ କରିଛି ସିବିଆଇ । ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ, ହତ୍ୟା ଉଦ୍ୟମ, ହତ୍ୟା ଓ ଏସସି-ଏସଟି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରୁଛି ।