କନକ ବ୍ୟୁରୋ : ବାଲିଝୋରୀସ୍ଥିତ ସ୍ଥାନୀୟ ଘନଶ୍ୟାମ ହେମଲତା ବିଦ୍ୟା ମନ୍ଦିରରେ ରବିବାର ଦିନ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ " ଇନୋଭିଜନ-୨୦୨୨ " ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର କୂଳପତି ପ୍ରଫେସର ଏନ. ନାଗାରାଜୂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ବିଦ୍ୟାଳୟର କୋରସ ଦଳ ସ୍ୱାଗତ ସଂଗୀତ ଗାନ କରିବା ସହ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀ "ଡ୍ରିମ ଟୁ ଭିଜନ " ଉପରେ ଏକ ପ୍ରତୀକାତ୍ମକ ନୃତ୍ୟ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ସମନିତ୍ୱ ଶିକ୍ଷାରେ ଗ୍ରାମୀଣ ସଂସ୍କୃତିକୁ ମିଶ୍ରଣ କରିବାକୁ ଆହ୍ୱାନ ଦେଇଥିଲେ । ଉକ୍ତ ପ୍ରଦର୍ଶନୀରେ ମୁଖ୍ୟ ଅତିଥି ବିଦ୍ୟାଳୟ ପରିଚାଳନା କମିଟିର ପ୍ରବନ୍ଧକ ପବିତ୍ର ମୋହନ ବେହେରା ଓ ଅନ୍ୟ ସଦସ୍ୟଗଣ ଓ ବିଦ୍ୟାଳୟର ଭୂୟସୀ ପ୍ରଶଂସା କରିଥିଲେ ।

Advertisment

ସି. ବି. ଏସ. ଇ ର ଶିକ୍ଷାନୀତି ଅନୁସାରେ ଶିକ୍ଷାର୍ଥୀ ମାନଙ୍କ ପୂର୍ଣ୍ଣାଙ୍ଗ ବିକାଶ ତଥା ଦକ୍ଷତା ବୃଦ୍ଧି ଲାଗି ଏହି ପ୍ରଦର୍ଶନୀରେ ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀରେ ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ପରିବେଶ ବିଜ୍ଞାନ, ବାଣିଜ୍ୟ ଓ କମ୍ପ୍ୟୁଟର ବିଭାଗର ଗଣିତରେ ସମୁଦାୟ ୩୦୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ବେଶ ଆକର୍ଷଣୀୟ ହୋଇଥିଲା । ଏହାଛଡା ଭାରତୀୟ ଐତିହ୍ୟ, କଳା, ସଂସ୍କୃତି ଓ ପରମ୍ପରା ସମ୍ପର୍କିତ ବହୁ ଆକର୍ଷଣୀୟ ପ୍ରକଳ୍ପ ସହ ୮୫ଟି ଚିତ୍ରକଳା ଓ ହସ୍ତକଳା ପ୍ରଦର୍ଶିତ ହୋଇଥିଲା । ବିଜ୍ଞାନ ଶିକ୍ଷକ ଆଲୋକ କୁମାର କାହାଳିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ର ସାହିଲ ଦେହୁରିଆ ଓ ଅର୍ପିତ ଯାଦବଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ‘ଗଗନଯାନ’କୁ ମୁଖ୍ୟ ଅତିଥି ପ୍ରଶଂସା କରିଥିଲେ । ଶିଶୁ ଶ୍ରେଣୀରେ ଆୟୋଜିତ ହୋଇଥିବା କୌତୁକମେଳା ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହି ଅବସରରେ ବିଦ୍ୟାଳୟର କ୍ରୀଡା କ୍ଲବର ଉଦଘାଟନ ହୋଇଥିଲା । ଅବିନାଶ ଚନ୍ଦ ପାଣିଗ୍ରାହୀ,ରାଜେନ୍ଦ୍ର ପ୍ରସାଦ ସିଂ, ପ୍ରତୀକ ମହାନ୍ତି, ଏନ. ଗୋବିଦା ରାଓ, ସୁଧୀର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ ଓ ମନୋଜ ପ୍ରଧାନ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ସି.ସି.ଏର ଯୁଗ୍ମ ସଂଯୋଜକ ସନ୍ଧ୍ୟାରାଣୀ ସାହୁ ଓ ମାନସ ରଞ୍ଜନ ଯୋଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା । ଏଥିରେ ଇଂରାଜୀ ବିଭାଗର ବରିଷ୍ଠ ଶିକ୍ଷକ ଜଗଦୀଶ ପ୍ରସାଦ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ବରିଷ୍ଠ ପଦାର୍ଥ ବିଜ୍ଞାନ ଶିକ୍ଷକ ଆଲୋକ କୁମାର କାହାଳି ଧନ୍ୟବାଦ ଅର୍ପଣ କରିଥିଲେ ।