ଉଦାହରଣ ସାଜିଲେ ଶାଶୁ, ଶ୍ୱଶୁର । ବିଧବା ବୋହୂର ପୁନର୍ବିବାହ କରାଇଲେ, ଦାମୀ ଘର ଉପହାର ଦେଲେ

1,834

କନକ ବ୍ୟୁରୋ: ମହାମାରୀରେ ପୁଅର ମୃତ୍ୟୁ ହୋଇଗଲା । ତଥାପି ହାର ମାନିଲେନି ବାପା, ମା’ । ନିଜେ ଧୈର୍ଯ୍ୟ ଧରିବା ସହ ନୁଆ କରି ବୋହୂ କରି ଆଣିଥିବା ଝିଅକୁ ସାହାସ ଦେଲେ । ଆଉ ନିଜ ଅପେକ୍ଷା ବୋହୂର ଭବିଷ୍ୟତ କଥା ଚିନ୍ତା କଲେ । ଆଉ କିଛି ମାସ ପରେ ବୋହୂକୁ ନିଜ ଝିଅ ଭଳି ଭଲ ବରପାତ୍ର ଦେଖି ପୁନର୍ବିବାହ କରାଇବା ସହ ଉପହାରରେ ଏକ ଦାମୀ ବଙ୍ଗଳା ଉପହାର ଦେଲେ । ମଧ୍ୟପ୍ରଦେଶର ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

କରୋନା ମହାମାରୀ ଲକ୍ଷ ଲକ୍ଷ ଘରକୁ ଉଜାଡି ଦେଇଛି । ଆଉ କୋଟି କୋଟିଙ୍କୁ ଅନାଥ କରିଛି । କାହାଠାରୁ ତାଙ୍କ ବାପା, ମା’ଙ୍କୁ ଛଡାଇ ନେଇଛି, ଆଉ କାହାଠାରୁ ବୁଢା ବୟସରେ ଯବାନ୍ ପୁଅକୁ ଛଡାଇ ନେଇଛି । ଏପରି ଏକ ଘଟଣା ଘଟିଥିଲା ମଧ୍ୟପ୍ରଦେଶର ବୃଦ୍ଧ ଦମ୍ପତ୍ତିଙ୍କ ସହ , ଯେଉଁଠି ଭେଣ୍ଡିଆ ପୁଅକୁ ଛଡାଇ ନେଇଛି ମହାମାରୀ । ହେଲେ ହାର ମାନିନାହାଁନ୍ତି ହତଭାଗା ବାପା, ମା’ । ବରଂ ଦୃଢତାର ସହ ନିଜ ବୋହୂର ପୁଣି ଥରେ ବିବାହ କରାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

କରୋନା ସମୟରେ ଯୁଗପ୍ରକାଶ ତିୱାରୀଙ୍କ ପୁଅ ପ୍ରିଅଙ୍କ ତିୱାରୀଙ୍କ ମୃତ୍ୟୁ ହୋଇଥିଲା । ହେଲେ ପ୍ରିୟଙ୍କ ବିବାହିତ ହୋଇଥିବାବେଳେ ସେ ତାଙ୍କ ପତ୍ନୀ ପ୍ରିୟଙ୍କା ଓ ୨ ବର୍ଷର ଝିଅକୁ ଛାଡି ଚାଲିଯାଇଥିଲେ । ପ୍ରିୟଙ୍କାଙ୍କ ଶ୍ୱଶୁର ତାଙ୍କର ଓ କୁନି ଝିଅର ଦୁଃଖକୁ ବୁଝିପାରିଥିଲେ । ପୁଅର ମୃତ୍ୟୁ ପରେ କିପରି ବୋହୂର ଜୀବନ ସୁଧାରିପାରିବେ ସେ ନେଇ ଚିନ୍ତା କରିଥିଲେ । ଆଉ ଏକ ବଡ ନିଷ୍ପତ୍ତି ନେଇଥିଲେ । ବୋହୂକୁ ନିଜ ଝିଅ ବୋଲିି ବିଚାର କରି ତାଙ୍କ ପାଇଁ ଏକ ନୂତନ ଜୀବନସାଥୀ ଖୋଜିବାକୁ ଲଗିଲେ ।

ଅନେକ ଖୋଜାଖୋଜି ପରେ ବୋହୂ ପାଇଁ ଏକ ଉତ୍ତମ ପାତ୍ର ଖୋଜିଥିଲେ ଶାଶୁ, ଶ୍ୱଶୁର । ଏହାପରେ ପ୍ରିୟଙ୍କାଙ୍କୁ କନ୍ୟାଦାନ କରି ନାଗପୁରରେ ବିବାହ ସ୍ଥିର କରିଥିଲେ । ଏବଂ ଅକ୍ଷୟତୃତୀୟା ଭଳି ପବିତ୍ର ଦିନରେ ବୋହୂର ବିବାହ କରାଇଥିଲେ । ଶ୍ୱଶୁର ଯୁଗପ୍ରକାଶ ତିୱାରୀ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ । ବୋହୂର ବିବାହରେ ଏକ ଦାମୀ ବଙ୍ଗଳା ମଧ୍ୟ ଉପହାର ଦେଇଥିବା ଜଣାପଡିଛି । ତାଙ୍କର ଏପରି ବଦାନ୍ୟତାକୁ ସ୍ଥାନୀୟ ଲୋକେ ବାହାବା କରୁଛନ୍ତି ।