କନକ ବ୍ୟୁରୋ : ବିଜେପି ନେତା ସମ୍ବିତ ପାତ୍ରଙ୍କ ଗାଡିକୁ କାଳିମାଡ । ଛାତ୍ର କଂଗ୍ରେସ ପକ୍ଷରୁ ରନ୍ଧନ ଗ୍ୟାସ ଏବଂ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପୁରୀ ଝାଡେଶ୍ୱରୀ ଠାରେ ,ଛାତ୍ର କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ ,କାଳି ମାଡ କରାଯାଇଛି । ଆଗାମୀ ଦିନରେ ଓଡିଶା ଗସ୍ତରେ ଯେଉଁ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରୀୟ ନେତା ଆସିବେ ସମସ୍ତଙ୍କ ଗସ୍ତକୁ ବିରୋଧ କରିବ ଛାତ୍ର କଂଗ୍ରେସ । ଗତକାଲି ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ହୋଇଥିବା ରାଲିରେ ଛାତ୍ର କଂଗ୍ରେସ କେନ୍ଦ୍ରୀୟ ବିଜେପି ନେତାଙ୍କୁ ବିରୋଧ କରିବ ବୋଲି ଚେତାବନୀ ଦେଇଥିଲା ।

Advertisment

ଅନ୍ୟପଟେ ଆଜି ହାତରେ ଜଗନ୍ନାଥଙ୍କ ମୂର୍ତି ଧରି ବଡଦାଣ୍ଡରେ ପହଁଚିଥିଲେ ବିଜେପି ନେତା ସମ୍ବିତ ପାତ୍ର । ଗତକାଲି ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ କରିବା ପରେ ଆଜି ପୁରୀରେ ପହଁଚିଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଓଡିଆଙ୍କ ଭାବାବେଗ ଯୋଡିହୋଇ ରହିଥିବାରୁ ଜଗନ୍ନାଥଙ୍କ ମୂର୍ତି ଧରି ବଡଦାଣ୍ଡରେ ଚାଲିଛନ୍ତି । ଠିକ୍ ଯେମିତି ନିର୍ବାଚନ ସମୟରେ ହାତରେ ଜଗନ୍ନାଥଙ୍କ ମୂର୍ତି ଧରି ପୁରୀରେ ବୁଲୁଥିଲେ ଆଜି ସେମିତି ଢଙ୍ଗରେ ମୂର୍ତି ଧରି ବୁଲିଛନ୍ତି ।

ଶ୍ରୀମନ୍ଦିରର ସୁରକ୍ଷା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । କୌଣସି ଅନୁମତି ନନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିରର ପ୍ରତିବନ୍ଧିତ ଅଂଚଳରେ ନିର୍ମାଣ ଓ ଖନନ କାମ ଚାଲୁଛି ବୋଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି ଏଏସଆଇ । ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେକ୍ଷଣ ସଂସ୍ଥା ବେଆଇନ କାମ ଚାଲୁଥିବା କହିବା ପରେ ମଧ୍ୟ ନିର୍ମାଣ କାମ ବନ୍ଦ ହୋଇ ନଥିବାରୁ ଜଗନ୍ନାଥ ରାଜ୍ୟ ସରକାରଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ସମ୍ବିତ ପାତ୍ର ।