ଆହତ ଅଶ୍ୱିନୀଙ୍କ ସିଡନୀ କାହାଣୀ । ନଇଁକି ବାନ୍ଧି ପାରୁନଥିଲେ ଜୋତାର ଲେସ, ପୂରା ଦିନ ଛିଡା ହୋଇ କଲେ ବ୍ୟାଟିଂ ।

233

କନକ ବ୍ୟୁରୋ : ନା ତାଙ୍କୁ ବାଉନ୍ସରର ଭୟ ଥିଲା ନା ୟର୍କରର । ଆହତ ହୋଇ ମଧ୍ୟ ନିଜ କଷ୍ଟକୁ ପଛରେ ପକାଇ ଟିମ ପାଇଁ ଶେଷ ଯାଏଁ ଲଢିଥିଲେ ରବିଚନ୍ଦ୍ରନ ଅଶ୍ୱିନୀ ଓ ହନୁମା ବିହାରୀ । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଏହି ଦୁଇ ଖେଳାଳି ଯେଉଁ ପାଳି ଖେଳିଥିଲେ ତାହା କ୍ରିକେଟ ଇତିହାସରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଅଶ୍ୱିନୀ ଓ ହନୁମା ବିହାରୀଙ୍କ ଯୋଡି ପଞ୍ଚମ ଦିନରେ ଅଷ୍ଟ୍ରେଲିଆର ବିଜୟ ପଥରେ ବାଡ ହୋଇ ଛିଡା ହୋଇଥିଲେ । ନଇଁକି ଜୋତାର ଲେସ ବାନ୍ଧି ପାରୁନଥିଲେ, ହେଲେ ଛିଡା ହୋଇ ପୂରା ଦିନ କଲେ ବ୍ୟାଟିଂ । ଏହାପରେ ଅଷ୍ଟ୍ରେଲିଆ ଆଶାରେ ପାଣି ପଶି ଯାଇଥିଲା ।

ଏହି ରୋମାଞ୍ଚକର ମ୍ୟାଚ ପରେ ଅଶ୍ୱିନୀଙ୍କ ପତ୍ନୀ ଟ୍ୱିଟ କରି ଲେଖିଥିଲେ, ମ୍ୟାଚର ପୂର୍ବ ଦିନ ଭୟଙ୍କର କଷ୍ଟରେ ରାତି କାଟିଥିଲେ ଅଶ୍ୱିନୀ । ଏମିତିକି ସକାଳ ଯାଏଁ ତାଙ୍କ କଷ୍ଟ କମି ନଥିଲା । ପତ୍ନୀଙ୍କ ଏହି ଟ୍ୱିଟ ପରେ ଅଶ୍ୱିନୀଙ୍କ ଆଖିରେ ଲୁହ ଚାଲି ଆସିଥିଲା । ଆଉ ସେ ପତ୍ନୀଙ୍କ ଧନ୍ୟବାଦ ସହ ତାଙ୍କ ସହ ସବୁ ପରିସ୍ଥିତିରେ ଛିଡା ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ ।

କେବଳ ଅଶ୍ୱିନୀ ନୁହେଁ ରିଷବ ପନ୍ତ ଓ ହନୁମା ବିହାରୀ ମଧ୍ୟ ଆହତ ହୋଇ ବ୍ୟାଟିଂ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ କଷ୍ଟରୁ ମୁକ୍ତି ପାଇବା ପାଇଁ ଓଭର ଡୋଜ୍୍ ପେନକ୍ଲିୟର ଖାଇଥିଲେ । ପନ୍ତଙ୍କ କହୁଣୀରେ ଆଘାତ ଲାଗିବା ଯୋଗୁଁ ବ୍ୟାଟିଂକୁ ନେଇ ଦ୍ୱନ୍ଦ ହୋଇଥିଲା । ହେଲେ ଆହତ ମଧ୍ୟରେ ବ୍ୟାଟିଂ କରି ୯୭ ରନର ଭଲ ପାଳି ଖେଳିଥିଲେ ପନ୍ତ ।

ତେବେ ଖେଳାଳିମାନେ ଆହତ ହୋଇ ମଧ୍ୟ ଦଳ ପାଇଁ ଖେଳ ଜାରି ରଖିଥିଲେ । ଆଉ ଖେଳାଳିମାନଙ୍କର ଏହି ପରିଶ୍ରମ ଶେଷରେ ସଫଳ ହୋଇଥିଲା । କେବଳ ଆହତ ନୁହେଁ ଫିଲ୍ଡିଂ ବେଳେ ଜାତିଆଣ ଆକ୍ଷେପର ଶିକାର ହୋଇଥିଲେ ଭାରତୀୟ ଖେଳାଳି । ଗ୍ୟାଲେରିରେ ଥାଇ ମହମ୍ମଦ ସିରାଜଙ୍କୁ ଜାତିଆଣ ଆକ୍ଷେପ କରିଥିଲେ ଅଷ୍ଟ୍ରେଲିଆ ଫ୍ୟାନ । ତେବେ ଏହି ଘଟଣା ଭାରତୀୟ ଖେଳାଳିଙ୍କ ଉପରେ ମାନସିକ ଚାପ ରହିଥିଲା । ଏହା ପରେ ହାର ମାନି ନଥିଲା ଟିମ ଇଣ୍ଡିଆ ।