ମୃତ୍ୟୁର ଘାଟିରୁ ଫେରିଆସିଲେ ମହିଳା । କହିଲେ, କେମିତି ଥିଲା ୬ ଘଣ୍ଟାର ଯମ ଯନ୍ତ୍ରଣା । ସେପଟେ ଯାତ୍ରୀଙ୍କ ଚିକିତ୍ସା ପାଇଁ ପୁଅ ବାହାଘର ଛୁଟି ବାତିଲ କଲେ ଫାର୍ମାଶିଷ୍ଟ ।

1,303

କନକ ବ୍ୟୁରୋ : ଦୁର୍ଘଟଣା ପରେ ବସ୍ ଭିତରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଯାତ୍ରୀ । ଆଉ ଏହାରି ଭିତରେ ଚାଲିଥିଲା ଉଦ୍ଧାରକାର୍ଯ୍ୟ । ଦୀର୍ଘ ୬ ଘଂଟା ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଉଦ୍ଧାର ହୋଇଥିଲେ ଜଣେ ମହିଳା ଯାତ୍ରୀ । ସେପଟେ ଆହତଙ୍କ ଚିକିତ୍ସା ପାଇଁ ପୁଅ ବାହାଘର ଛାଡି ମେଡିକାଲରେ ପହଁଚିଥିଲେ ଫାର୍ମାସିଷ୍ଟ ।

୬ ଘଂଟାର ଯମ ଯନ୍ତ୍ରଣା । ମୃତ୍ୟୁ ମୁଖରୁ ଫେରିଆସିଲେ ମହିଳା । ତପ୍ତପାଣି ଘାଟିରେ ବସ ଓଲଟି ଯାତ୍ରୀଙ୍କ ମୃତ୍ୟୁ ଘଟଣା ଯେତିକି ସମବେଦନା ସୃଷ୍ଟି କରିଛି, ୬ ଘଂଟା ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଜୀବନ ଧରି ଏହି ମହିଳା ଫେରି ଆସିବା ସେତିକି ଆଶ୍ଚର୍ଯ୍ୟ କରିଛି । ରାତି ପ୍ରାୟ ୩ଟାରେ ଘାଟି ତଳକୁ ଓଲଟି ପଡିଲା ସାଇଶ୍ରୀ ବସ । ଆଉ ପଛପଟେ ବସିଥିବା ଏହି ମହିଳା ସିଟରେ ଚାପି ହୋଇଯାଇଥିଲେ । ତାଙ୍କୁ ଉଦ୍ଧାର କଲାବେଳକୁ ଦୁଇଟି ମୃତଦେହ ତାଙ୍କ ଉପରେ ପଡିଥିଲା । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେହି ସମୟର ଅନୁଭୂତି ବଖାଣିଛନ୍ତି ମହିଳା ଜଣକ ।

ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀଙ୍କୁ ଉଦ୍ଧାର କରି ତୁରନ୍ତ ଦିଗପହଣ୍ଡି ଡାକ୍ତରଖାନାକୁ ନିଆଯାଇଥିଲା । ଗୁରୁତର ଯାତ୍ରୀଙ୍କ ଯନ୍ତ୍ରଣା ଭରା ଚିତ୍କାରରେ ଡାକ୍ତରଖାନା ପରିସର ଫାଟି ପଡୁଥିଲା । ଏତିକି ବେଳେ ଯାତ୍ରୀଙ୍କ ଚିକିତ୍ସା ପାଇଁ ଆଗକୁ ଆସିଥିଲେ ପୁଅ ବାହାଘର ପାଇଁ ଛୁଟିରେ ଥିବା ମେଡିକାଲର ଫାର୍ମାଶିଷ୍ଟ । ପୁଅ ବାହାଘର କାମକୁ ପଛରେ ପକାଇ ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଥିଲେ ଏହି ମେଡିକାଲ କର୍ମଚାରୀ ।

ଏହାରି ଭିତରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯାତ୍ରୀଙ୍କର ପରିଚୟ ମିଳିଛି । ମୃତକମାନେ ହେଉଛନ୍ତି, ରାୟଗଡା ଜେକେପୁରର ବିଦ୍ୟୁତ୍ ନାୟକ, ରାଣିଗୁଡାର ସଂଘମିତ୍ରା ମହାପାତ୍ର ଓ ଅନ୍ୱେଷା ମହାପାତ୍ର, ସୁନୀଲ ନାୟକ, ରମେଶ ବେହେରା, ଝୁନୁ ବେହେରା, କରିସ୍ମା ନାୟକ ଓ ସୁବାସିନି ମହାରଣା । ତପ୍ତପାଣିରେ ଦୁର୍ଘଟଣାରେ ଆହତମାନଙ୍କୁ ଦିଗପହଣ୍ଡି ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିବା ୨୬ ଜଣ ଯାତ୍ରୀଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ୧୫ ସର୍ଜରୀ ଓ ୧୦ ଜଣଙ୍କୁ ଅସ୍ଥିଶଲ୍ୟ ୱାର୍ଡରେ ଭର୍ତି କରାଯାଇଛି । ଦୁଇ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।