ଭୋପାଳ ହମିଦିଆ ହସ୍ପିଟାଲରୁ ୮ ଶହ ରେମଡେସିଭିର ଇଂଜେକ୍ସନ ଚୋରି । ଚୋର ଧରିବାକୁ ସିସିଟିଭି ଯାଂଚ କରୁଛି ପୋଲିସ

66

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ସଂଜୀବନୀ କୁହାଯାଉଥିବା ରେମଡେସିଭିର ଇଂଜେକ୍ସନ ଏବେ ବଜାରରେ ଘୋର ଅଭାବ । ଏହାରି ମଧ୍ୟରେ ଭୋପାଳର ହମିଦିଆ ହସ୍ପିଟାଲରୁ ଏହି ଇଂଜେକ୍ସନର ୮୦୦ ଡୋଜ ଚୋରି ହୋଇଯାଇଥିବା ଖବର ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଖବର ଆସିବା ପରେ ପୋଲିସ ହସ୍ପିଟାଲରେ ଲାଗିଥିବା ସମସ୍ତ ସିସିଟିଭି ଯାଂଚ କରୁଛି । ଅନୁମାନ କରାଯାଉଛି କି ମେଡିକାଲ କର୍ମଚାରୀ ଏହି ଚୋରିରେ ସଂପୃକ୍ତ ଅଛନ୍ତି ।

ଗୋଟିଏ ପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ଦାବି କରିଛନ୍ତି କି ରାଜ୍ୟକୁ ଏପର୍ଯ୍ୟନ୍ତ ୪୨ ହଜାର ରେମଡେସିଭିର ଇଂଜେକ୍ସନ ଯୋଗାଇ ଦିଆଯାଇଛି । ଏହାସହ ଆଜି ୯,୭୮୮ ଡୋଜ ରାଜ୍ୟକୁ ଆସୁଛି । ଅନ୍ୟପଟେ ୫୦ ହଜାର ଇଂଜେକ୍ସନ ପାଇଁ ଅଗ୍ରୀମ ଦିଆଯାଇଛି । ଯାହାକି ୩ ଦିନ ମଧ୍ୟରେ ରାଜ୍ୟକୁ ଆସିଯିବ । ହେଲେ ଇଂଜେକ୍ସନର ଏତେ ଅଭାବ ଭିତରେ ୮ ଶହ ଡୋଜ କିଭଳି ଚୋରି ହୋଇଗଲା । ତାହା ପୁଣି ମେଡିକାଲ ଭିତରୁ ତାହାକୁ ନେଇ ପ୍ରଶ୍ନ ଉଠିଛି ।

ରାଜ୍ୟ ସରକାର ରାଜ୍ୟର ଥିବା ମେଡିକାଲଗୁଡିକରେ ସ୍ୱାସ୍ଥ୍ୟସେବା ବିସ୍ତାର କରାଯାଇଥିବା ନେଇ ଦାବି କରିଛି । ରାଜ୍ୟ ମେଡିକାଲଗୁଡିକରେ ବେଡ ସଂଖ୍ୟା ଲଗାତର ଭାବେ ବୃଦ୍ଧି କରାଯାଉଛି । ଏହାରି ମଧ୍ୟରେ ସରକାରୀ ଓ ଘରୋଇ ମେଡିକାଲରେ କୋଭିଡ ସଂକ୍ରମିତଙ୍କ ପାଇଁ ୪୦.୨୭୬ ଶର୍ଯ୍ୟା ପ୍ରସ୍ତୁତ କରାଯାଇ ସାରିଲାଣି ।

ଗୋଟେ ପଟେ ଇଂଜେକ୍ସନ ଅଭାବରୁ ରୋଗୀ ଓ ତାଙ୍କ ସଂପର୍କୀୟ ମାନେ ହନ୍ତସନ୍ତ ହେଉଛନ୍ତି । ବଜାରରେ ଇଂଜେକ୍ସନ ନ ମିଳିବାରୁ ବହୁ ଅଧିକ ମୂଲ୍ୟରେ କଳାବଜାରୀ ମାନଙ୍କ ଠାରୁ କିଣୁଛନ୍ତି । ଏଭଳି ସମୟରେ କିଛି ଟଙ୍କା ଲୋଭରେ ୮୦୦ ଇଂଜେକ୍ସନ ଚୋରି କରିଥିବା ଚୋର ଓ ତାଙ୍କୁ ସହଯୋଗ କରିଥିବା ଲୋକମାନଙ୍କୁ କଠିନ ଦଣ୍ଡ ଦେବାକୁ ଦାବି ହେଉଛି ।