ମୁଁ ବୁଢା ହେଇଗଲି ବୋଲି ପର କରିଦେଲା ମାଲିକ… ଦିନେ ମୋ ପିଠିରେ ବୋଝ ବୋହି ରୋଜଗାର କରୁଥିଲା ମାଲିକ, ଆଜି ବଳ ହଟିଗଲା ବୋଲି ରାସ୍ତା କଡରେ ଛାଡିଦେଲା…

589

କନକ ବ୍ୟୁରୋ: ଓଟ ଆଖିରେ ଲୁହ । ସରିଗଲା ସ୍ୱାର୍ଥ, ଛାଡିଦେଲା ମଣିଷ । ସ୍ୱାର୍ଥ ସରିଗଲା ବୋଲି ମାଲିକ ପର କରିଦେଲା । ବୁଢା ହେଇଗଲା ବୋଲି ଓଟକୁ ରାସ୍ତାରେ ଛାଡିଦେଇଗଲା ସ୍ୱାର୍ଥପର ମାଲିକ । ମଣିଷ ମନରୁ ମରିଗଲା ମାନବିକତା । ଦିନେ ଏଇ ଓଟକୁ ନେଇ ନିଜ ସ୍ୱାର୍ଥ ସାଧନ କରୁଥିଲା ମଣିଷ । ନିଜ କାମରେ, ନିଜ ବେପାର ବଣିଜରେ ଖଟାଉଥିଲା ହେଲେ ଆଜି ବୟସ ହେଇଗଲା ବୋଲି, ଦେହରୁ ବଳ ହଟିଗଲା ବୋଲି ଜଙ୍ଗଲିଆ ରାସ୍ତାରେ ଅତି ଅମାନବିକତାର ସହ ବୃଦ୍ଧ ପଶୁକୁ ଦୂରେଇଦେଲା ମାଲିକ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଖଲ୍ଲିକୋଟ ମାନାପୋଲି ଛାଞ୍ଚୁଣିଆ ଜଙ୍ଗଲରେ…

ତେବେ ଗତ କିଛି ଦିନ ହେବ ଏଇ ଜଙ୍ଗଲ ପାଖ ରାସ୍ତାରେ ଏକ ବୃଦ୍ଧ ଓଟକୁ ଦେଖିଥିଲେ ସ୍ଥାନୀୟ ଲୋକେ । ଖାଇବାକୁ ନପାଇ ଭୋକ ଉପାସରେ ଓଟ ପଡିଥିବା ଦେଖିବାକୁ ପାଇଥିଲେ । ଅତି ରୋଗୀଣା ଅବସ୍ଥାରେ ରାସ୍ତା କଡରେ ଓଟର ଏ ଅବସ୍ଥା ଦେଖି କିଛି ସହୃଦୟ ବ୍ୟକ୍ତି ନିରୀହ ପଶୁ ପେଟରେ ଦାନା ଦେଇଥିଲେ । ଆଉ ଖାଦ୍ୟ ଟିକେ ପାଇଁ ଭୋକିଲା ଓଟ ଆଖି ମିଟିମିଟି କରିଥିଲା ।

ସେପଟେ ସ୍ଥାନୀୟ ଲୋକଙ୍କ କହିବା କଥା ଓଟକୁ ତା ମାଲିକ ନିଜ କାମରେ ଲଗାଉଥିଲେ । ଏମିତି କି ବିଭିନ୍ନ ସମୟରେ ଖଲ୍ଲିକୋଟ ଅଞ୍ଚଳରେ ଓଟକୁ ନେଇ ମାଲିକ ବେପାରରେ ଲଗାଉଥିବା ଦେଖିବାକୁ ମିଳିଥିଲା । ଓଟ ସାହାଯ୍ୟରେ ସାରା ଜୀବନ ଟଙ୍କା ରୋଜଗାର କରି ଶେଷରେ ମାଲିକ କାମରେ ଆସୁନଥିବା ଓଟକୁ ରାସ୍ତାରେ ଛାଡି ଦେଇ ପଳାଇଛି । ଏହାଠାରୁ ଅତି ଘୃଣ୍ୟ ଘଟଣା ଆଉ କଣ ହୋଇପାରେ ।

ଦିନେ ଯେଉଁ ପଶୁ ମଣିଷକୁ ଲାଭ ଦେଉଥିଲା ତା କାମରେ ଆସୁଥିଲା ଆଜି ସିଏ କାମରେ ଲାଗୁନି ବୋଲି ତାକୁ ଏମିତି ଅବସ୍ଥାରେ ଛାଡିଦେବା କେତେ ଦୂର ଠିକ । ଯଦି ଓଟକୁ ଭଗବାନ କହିପାରିବାର ଶକ୍ତି ଦେଇଥାନ୍ତେ ହୁଏତ ସେ ଆଜି ଏ ସ୍ୱାର୍ଥପର ମଣିଷକୁ ପ୍ରଶ୍ନ ପଚାରୁଥାନ୍ତା, ମୁଁ ବୁଢା ହୋଇଗଲି ବୋଲି ମୋର କଣ ଜୀବନ ନାହିଁ, ବଞ୍ଚିବାର ଅଧିକାର ନାହିଁ ।