ଘୋଡା ବୁଢା ହେବା ପରେ ରାସ୍ତାରେ ଛାଡି ପଳାଇଲା ସ୍ୱାର୍ଥପର ମାଲିକ । ଦିନେ ଘୋଡାରୁ ରୋଜଗାର କରୁଥିଲା, ଆଜି ବଳ ଗଲା ପରେ ବିଦା କରିଦେଲା ।

203

କନକ ବ୍ୟୁରୋ: ସେବେ ଓଟ, ଏବେ ଘୋଡା । ଆଖିରୁ ବହୁଛି ଧାରଧାର ଲୁହ । ମାଲିକ ପର କରିବା ପରେ, ବେସାହାର ପୋଷା ପଶୁ… ପୁଣି ପଶୁ ଉପରେ ମଣିଷର ଅତ୍ୟାଚାର । ପୋଷା ପଶୁକୁ ଅଣଦେଖା କଲା ମଣିଷ । ସ୍ୱାର୍ଥ ସରିଯିବା ପରେ ପର କରିଦେଲା ସ୍ୱାର୍ଥପର ମାଲିକ । ବୁଢା ହୋଇଗଲା ବୋଲି, ଦେହରୁ ବଳ ହଟିଗଲା ବୋଲି ଅସହାୟର ରାସ୍ତା କଡରେ ନିରୀହ ଘୋଡାକୁ ଛାଡିପଳାଇଲା ହୃଦୟହୀନ ମାଲିକ । ଦିନେ ଏଇ ଘୋଡାକୁ ନେଇ ପୁଳାପୁଳା ଟଙ୍କା ରୋଜଗାର କରୁଥିଲା ମାଲିକ । ଏମିତିକି ନିଜର ଦୈନନ୍ଦୀନ ଜୀବନର କାମ ସହ ସ୍ୱାର୍ଥ ସାଧନ ବି କରୁଥିଲା । ହେଲେ ଯେତେବେଳେ ଘୋଡା ବୁଢା ହୋଇଗଲା ତାକୁ ଅମାନବିକତାର ସହ ରାସ୍ତାରେ ଛାଡ଼ି ଚାଲିଗଲା ମାଲିକ । ଆଉ ଦୁନିଆକୁ ଦେଖାଇଦେଲା ଅମାନବିକତାର ଆଉ ଏକ କାହାଣୀ…

ତେବେ ଏମିତି ଏକ ହୃଦୟ ବିଦାରକ ଓ ମାନବିକତା ହଜିଯିବାର ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଛତ୍ରପୁର ଉଜ୍ଜଳେଶ୍ୱର ମନ୍ଦିର ନିକଟ ଜାତୀୟ ରାଜପଥ କଡରେ । ଗୁରୁବାର ସଂଧ୍ୟାରେ ଦୁର୍ବଳ ଘୋଡାଟି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ମାଲିକ ଛାଡି ପଳାଇବା ପରେ ଖାଦ୍ୟାଭାବ ଓ ବୟସାଧିକ କାରଣରୁ ଘୋଡାଟି ରୋଗୀଣା ହୋଇପଡ଼ିଛି । ଦେହର ପଞ୍ଜରା ହାଡ ସ୍ପଷ୍ଟ ବାରିହୋଇ ପଡୁଛି । ଆଉ ଭୋକ ବିକଳରେ ଘୋଡାଟି ଖାଇବାକୁ ନପାଇ ରାସ୍ତାରେ ଘୁରି ବୁଲୁଛି ।

ଠିକ ମାସେ ତଳେ ଅର୍ଥାତ ଗତ ଜୁଲାଇ ମାସରେ ସେହି ଗଞ୍ଜାମ ଖଲ୍ଲିକୋଟରୁ ଆସିଥିଲା ଓଟକୁ ନେଇ ଏମିତି ଏକ ଦରଦଭରା କାହାଣୀ । ଯେଉଁଠି ଓଟ ବୁଢା ହୋଇଯିବା ପରେ ମାଲିକ ତାକୁ ନିଛାଟିଆ ରାସ୍ତା କଡରେ ଆଣି ଛାଡି ପଳାଇଥିଲା । ଆଉ ଭୋକରେ ଡହଳ ବିକଳ ହେଉଥିବା ଓଟ ଶେଷରେ ଆଖିବୁଜିଥିଲା । ମାସେ ତଳେ ଓଟକୁ ଅବହେଳାର କାହାଣୀ ଆସିଥିବା ବେଳେ ଠିକ୍ ମାସେ ପରେ ସେହି ଗଞ୍ଜାମରୁ ଘୋଡାକୁ ନେଇ ଆସିଛି ମାଲିକର ଅମାନବିକତାର ଆଉ ଏକ ଖବର । ସତରେ ମଣିଷ ପରି ଯଦି ଘୋଡା କଥା କହିପାରୁଥାନ୍ତା ହୁଏତ ମାଲିକକୁ ସିଏ ତାର ମନରେ ଉଠୁଥିବା ପ୍ରଶ୍ନ ପଚାରିପାରନ୍ତା । କୁହନ୍ତା, ବୁଢା ହୋଇଗଲି ବୋଲି ତମେ ମତେ ରାସ୍ତାରେ ଛାଡିଦେଲ । ହେ ମାଲିକ, ପର କରିଦେଇ କଣ ତମେ ଠିକ୍ କଲ ?