କୋଭିଡ ଭଳି ମାଡୁଛି ଇନଫ୍ଲ୍ୟୁଏଞ୍ଜା। କୋଭିଡ ସହ ‘ଏଚ୍୩ଏନ୨’ ଲକ୍ଷଣରେ ସାମଞ୍ଜସ୍ୟ।

211

କନକ ବ୍ୟୁରୋ: କୋଭିଡ ମହାମାରୀ ପରେ ଏବେ ଇନଫ୍ଲ୍ୟୁଏଞ୍ଜା-ଏର ସବ୍ ଭାରିଆଣ୍ଟ ଏଚ୩ଏନ୨କୁ ନେଇ ଚିନ୍ତା ବଢୁଛି । ଏହି ଭୂତାଣୁରେ ସଂକ୍ରମିତ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡୁଛି ଏଚ୩ଏନ୨ । ଗୁରୁବାର ଆସାମରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସବୁଠୁ ବଡ କଥା ହେଉଛି କୋଭିଡ୍-୧୯ ଭଳି ଏଚ୩ଏନ୨ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଲକ୍ଷଣ ସମାନ ରହୁଛି । ଶୁଖିଲା କାଶ, ଥଣ୍ଡା, ଜ୍ୱର, ଛିଙ୍କ, ଶରୀର ଦରଜ, ଆଣ୍ଠୁ ବା ଜଏଣ୍ଟରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଦୁର୍ବଳ ଅନୁଭବ କରିବା ଭଲି ଲକ୍ଷଣ ଉଭୟ କୋଭିଡ୍ ଏବଂ ଏଚ୍୩ଏନ୨ରେ ଦେଖିବାକୁ ମିଳୁଛି । ମାର୍ଚ୍ଚ ମାସର ପ୍ରଥମ ୧୦ ଦିନରେ ଇନଫ୍ଲ୍ୟୁଏଞ୍ଜା-ଏ’ର ସବ୍ ଭାରିଆଣ୍ଟ ଏଚ୩ଏନ୨ ସହ ଏଚ୧ଏନ୧ରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୦ ହଜାର ପହଞ୍ଚିଛି । ଏବେ ଦେଶରେ ଇନଫ୍ଲ୍ୟୁଏଞ୍ଜା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ପାଞ୍ଚ ଲକ୍ଷ ପହଞ୍ଚିଛି ।

ଇନଫ୍ଲ୍ୟୁଏଞ୍ଜା-ଏ ସହ ବଢୁଛି କୋଭିଡ୍-୧୯ । ୧୦ ଦିନରେ ଦୈନିକ ସଂକ୍ରମଣ ୬୦% ବୃଦ୍ଧି । ଏବେ ଭାରତରେ ଇନଫ୍ଲ୍ୟୁଏଞ୍ଜା-ଏର ସବ୍ ଭାରିଆଂଟ ଏଚ୩ଏନ୨ ସହ ଏଚ୧ଏନ୧ (ସ୍ୱାଇନ ଫ୍ଲ୍ୟୁୂ) ବଢୁଥିବା ବେଳେ କୋଭିଡ ସଂକ୍ରମଣ ମଧ୍ୟ ପୁଣି ବଢିବାରେ ଲାଗିଲାଣି । ଗତ ୧୦ ଦିନ ମଧ୍ୟରେ ୬୦ ପ୍ରତିଶତ କୋଭିଡ ସଂକ୍ରମଣ ବଢିଛି । ଗତ ମାର୍ଚ୍ଚ ୧ ତାରିଖରେ ଭାରତରେ ଦୈନିକ ସଂକ୍ରମଣ ୨୦୦ ଥିବା ବେଳେ ଏବେ ୬୦୦ ଟପିଗଲାଣି । ଦେଶରେ କୋଭିଡ ସଂକ୍ରମଣ ବଢିବା ପଛରେ ରହିଛି କୋଭିଡର ନୂଆ ଭ୍ୟାରିଆଣ୍ଟ ‘ଏକ୍ସବିବି.୧.୧୬’ପ୍ରଜାତି । ଭାରତ, ବ୍ରୁନେଇ, ଆମେରିକାରେ, ସିଙ୍ଗାପୁର ସହ ଅନ୍ୟ ଦେଶରେ ମଧ୍ୟ କୋଭିଡର ଏହି ନୂଆ ଭାରିଆଣ୍ଟରେ ଲୋକେ ସଂକ୍ରମିତ ହେଉଛନ୍ତିି । ସବୁଠୁ ବଡ କଥ ହେଉଛି କୋଭିଡର ପୂର୍ବ ଭାରିଆଣ୍ଟ ଅପେକ୍ଷା ନୂଆ ପ୍ରଜାତି ‘ଏକ୍ସବିବି.୧.୧୬’ ଅଧିକ ଦ୍ରୃତ ଗତିରେ ବ୍ୟାପୁଛି । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟରେ କୋଭିଡର ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି ।

ଇନଫ୍ୟୁଏଞ୍ଜା ଏବଂ କୋଭିଡ ସଂକ୍ରମଣ ଯେଉଁଭଳି ଭାବେ ବଢୁଛି ଏହା ଉପରେ ସତର୍କ ରହିବାକୁ କେନ୍ଦ୍ର ସରକାର ପରାମର୍ଶ ଜାରି କରିଛନ୍ତି । ବିହାରରେ ହସ୍ପିଟାଲ ବେଡ ପ୍ରସ୍ତୁୁତ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି । ଯଦି ସଂକ୍ରମଣ ଅଧିକ ବଢେ ତେବେ ସରକାର କଣକଟା ଆହୁରି କଡାକଡି କରିପାରନ୍ତି ବୋଲି କୁହାଯାଉଛି ।