ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ଶ୍ରୀଲଙ୍କାବାସୀ, ଦୁଇଦିନରେ ଗ୍ୟାସ ସିଲିଣ୍ଡର ଦାମ ୯୦ ପ୍ରତିଶତ ବୃଦ୍ଧି

226

କନକ ବ୍ୟୁରୋ : ଏବେ ସାରା ବିଶ୍ୱ କରୋନା ମହାମାରୀ ସହ ଲଢୁଲଢୁ ପ୍ରତିଟି ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଘଟୁଥିବା ନଜରକୁ ଆସିଛି । ଏହି କ୍ରମରେ ଶ୍ରୀଲଙ୍କା ସରକାରଙ୍କ ଏକ ଭୂଲ ନିଷ୍ପତ୍ତି ଯୋଗୁଁ ଦେଶର ଜନସାଧାରଣ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

ଶ୍ରୀଲଙ୍କା ସରକାର ୪ ଦିନ ପୂର୍ବରୁ ଆବଶ୍ୟକ ବସ୍ତୁର ମୂଲ୍ୟସୀମା ସମାପ୍ତ କରିବା ପରେ ଦେଶରେ ଅତ୍ୟାବଶକୀୟ ସମାଗ୍ରୀର ମୂଲ୍ୟ ଅବିଶ୍ୱସନୀୟ ଭାବେ ବୃଦ୍ଧି ପାଇଛି । ସୋମବାର ସୁଦ୍ଧା ଦେଶରେ ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୬୫୭ ଟଙ୍କାରେ ପହଂଚିଥିବା ବେଳେ କ୍ଷୀର ପାଉଡରର ମୂଲ୍ୟ କିଲୋପ୍ରତି ୧୧୯୫ ଟଙ୍କାକୁ ବୃଦ୍ଧି ପାଇଛି ।

ମାତ୍ର ୪ ଦିନରେ ଶ୍ରୀଲଙ୍କାରେ ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୦ ପ୍ରତିଶତ ବୃଦ୍ଧି ପାଇଛି । ଶୁକ୍ରବାର ଦିନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୪୦୦ ଟଙ୍କା ଥିବା ବେଳେ ସୋମବାର ସୁଦ୍ଧା ୨୬୫୭ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି କ୍ଷୀର ପାଉଡର ୩ ଦିନ ମଧ୍ୟରେ କିଲୋପ୍ରତି ୨୫୦ ଟଙ୍କା ମହଙ୍ଗା ହୋଇଛି । ଦେଶରେ ଅଟା, ଚିନୀ, ସିମେଣ୍ଟ ସମେତ ପ୍ରତିଟି ଜିନିଷର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି ।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଅଧ୍ୟକ୍ଷତାରେ ଗୁରୁବାର ରାତିରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକ ପରେ କ୍ଷୀର ପାଉଡର, ଗ୍ୟାସ, ଅଟା, ଚିନୀ ଓ ସିମେଣ୍ଟର ମୂଲ୍ୟ ନିୟନ୍ତ୍ରଣ ପ୍ରଣାଳୀ ସମାପ୍ତ କରାଯାଇଥିବା କଥା କୁହାଯାଇଥିଲା । ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇଥିଲା କି କୋଭିଡ ମହାମାରୀ କାରଣରୁ ଆର୍ଥିକ ସଂକଟରେ ପେଶି ହୋଇଯାଇଥିବା ଶ୍ରୀଲଙ୍କା ୨୦୨୦ ରେ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇ ଦେଶରେ ବିଦେଶୀ ମୁଦ୍ରାଭଣ୍ଡାକୁ ରକ୍ଷା କରିବାକୁ ଚାହୁଁଛି । ଏହି କାରଣରୁ ଦେଶରେ ଆବଶକୀୟ ବସ୍ତୁ କମ ହୋଇଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ଫଳରେ ବାହାର ଦେଶରୁ ସାମଗ୍ରୀ ଆମଦାନୀ କରି ଅର୍ଥ ଦିଆଯାଇ ପାରୁନାହିଁ ।