କନକ ବ୍ୟୁରୋ : ଦେଶର ଭବିଷ୍ୟତ କୁହାଯାଉଥିବା କୋମଳିମତି ଶିଶୁ ମଧ୍ୟାହ୍ନ ଭୋଜନରେ ଖାଉଛନ୍ତି କଣ? ଖାଇବା ଥାଳିରେ ଅଛି ଭାତ ଆଉ ତା ସହିତ ପାଣିଆ ଡାଲମା ଓ ଶୁଖିଲା ସିଝା ଅଣ୍ଡା । ମହଙ୍ଗା ମାଡରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲା ବାଧ୍ୟ ହେଉଛନ୍ତି ଏଭଳି ଖାଦ୍ୟ ଖାଇବାକୁ । ଲାଗୁଛି ଯେମିତି ପିଲାଙ୍କ ଖାଦ୍ୟର ମାନ ଉପରେ କାହାର ନଜର ନାହିଁ । ବାସ ସରକାର କହିଛନ୍ତି, ଆଉ ସ୍କୁଲ କର୍ତ୍ତୃପକ୍ଷ ଉପାୟଶୂନ୍ୟ ହୋଇ ପିଲାଙ୍କୁ ଖାଇବା ପରଶି ଦେଉଛନ୍ତି । ଆଷାଢ ମାସରେ ପରିବା ଦରରେ ହାତ ମାରିହେଉନାହିଁ । ଟମାଟୋ, ଝୁଡଙ୍ଗ,ବିନ୍ସ, ଭେଣ୍ଡି , ପୋଟଳ ଭଳି ପରିବା ଦର ୬୦ରୁ ଅଧିକ ରହିଛି ।

Advertisment

ପ୍ରଥମରୁ ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଚ୍ଛା ମଧ୍ୟାହ୍ନ ଭୋଜନରେ ସରକାର ଦେଉଛନ୍ତି ୫ ଟଙ୍କା ୯୦ ପଇସା । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଚ୍ଛା ୮ଟଙ୍କା ୮୨ ପଇସା ଦର ନିର୍ଦ୍ଧାରିତ ହୋଇଛି । ଏବେ ସବୁ ଆଡେ ଦରଦାମ ହୁ ହୁ ହୋଇ ବଢିଚାଲିଛି । ହରଡ ଡାଲି କିଲୋ ପିଚ୍ଛା ୧୭୫ ହେଲାଣି । ସୋରିଷ ତେଲ ଲିଟର ପିଚ୍ଛା ୧୬୦ ହେଲାଣି । ମସଲା ଦର ବି ବଢିଗଲାଣି । ଶେଷ ଥର ଲାଗି ସରକାର ୨୦୨୨ରେ ମଧ୍ୟାହ୍ନଭୋଜନ ପାଇଁ ଦର ନିର୍ଦ୍ଧାରଣ କରିଥିଲେ । ଏହା ମଧ୍ୟରେ ୨ ବର୍ଷ ବିତିଗଲାଣି । ଏବେ ଦରବୃଦ୍ଧି ସ୍ଥିତିରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ସ୍କୁଲ କର୍ତୃପକ୍ଷ କେମିତି ଦେବେ, ତାକୁ ନେଇ ଚିନ୍ତା ବଢିଯାଇଛି ।