କନକ ବ୍ୟୁରୋ: କରୋନା ପରେ ପରେ ଋଷ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ସାରା ବିଶ୍ୱର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଯାଇଛି । ଶ୍ରୀଲଙ୍କାରେ ଅର୍ଥାଭାବ ଯୋଗୁଁ ହାହାକାର ପଡିଥିବାବେଳେ ଏବେ ଏହି ବାଟରେ ଯାଉଛି ବ୍ରିଟେନ୍ । ବିଶ୍ୱରେ ଏକ ଧନୀକ ଦେଶ ଭାବେ ଜଣାଶୁଣା ବ୍ରିଟେନରେ ଏବେ ଘୋର ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି । ଫଳରେ ସେଠିକାର ଲକ୍ଷଲକ୍ଷ ଲୋକେ ଅଧାପେଟ ଖାଇବାକୁ ଅଭ୍ୟାସ କରୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Advertisment

ଋଷ- ୟୁକ୍ରେନ ଯୁଦ୍ଧର ସର୍ବାଧିକ ପ୍ରଭାବ ପଡିଛି ବ୍ରିଟେନ ଉପରେ । ଫଳରେ ଦେଶର ମୁଦ୍ରାସ୍ଫୀତି ୪୦ ବର୍ଷର ରେକର୍ଡ ଭାଙ୍ଗିଛି । ପରିସ୍ଥିତି ଏପରି ହୋଇଛି ଯେ, ବ୍ରିଟେନବାସୀଙ୍କ ପାଇଁ ଖାଦ୍ୟ କିଣିବା ଏବେ ସବୁଠାରୁ ବଡ ଚ୍ୟାଲେଂଜ ପାଲଟିଛି । ଏବେ ଖାଇବା କମାଇଦେଲେଣି ବ୍ରିଟେନବାସୀ ।

‘ହେଡ୍ ଅଫ୍ ପଲିସି ହ୍ୱିଚ୍’ର ସର୍ଭେ ମୁତାବକ, ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ବ୍ରିଟେନରେ ଦରଦାମ ବୃଦ୍ଧି ପାଇଛି । ଫଳରେ ଖାଦ୍ୟ ପଦାର୍ଥ କିଣିବାକୁ ହଟହଟା ହେଉଛନ୍ତି ଏଠିକାର ଲୋକେ । ବ୍ରିଟେନର ୮୦ ପ୍ରତିଶତ ଲୋକେ ଏବେ ଗୋଟିଏ ବେଳାର ଖାଇବା ଛାଡି ଦେଉଛନ୍ତି । ଦେଶର ଅଧାରୁ ଅଧିକ ଲୋକେ ସ୍ୱାସ୍ଥ୍ୟକର ଖାଦ୍ୟ କିଣିବାକୁ ଅସମର୍ଥ । ଉପଭୋକ୍ତା ସମୂହର ମୁଖ୍ୟ ସୁ ଡେଭିସଙ୍କ କହିବା ଅନୁଯାୟୀ, ବ୍ରିଟେନରେ ଦେଖାଦେଇଥିବା ଏହି ସଙ୍କଟ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟ ଖାଇବା ଉପରେ କଟକଣା ଲଗାଇବାକୁ ପଡୁଛି । ଦିଓଳି ଜାଗାରେ ଓଳିଏ ଖାଇବାର ଅଭ୍ୟାସ କରୁଛନ୍ତି ଲୋକେ । କେବଳ ଏତିକି ନୁହେଁ ବିଦ୍ୟୁତ ମୂଲ୍ୟ ହ୍ରାସ ନକରିବା ପାଇଁ ବ୍ରିଟେନ୍ ସରକାରଙ୍କ ନିଷ୍ପତ୍ତି ବର୍ତ୍ତମାନ ବ୍ରିଟେନବାସୀଙ୍କୁ ଆହୁରି ଅସୁବିଧାରେ ପକାଇଛି ।

ବ୍ରିଟେନରେ ଚଳିତ ବର୍ଷର ମୁଦ୍ରାସ୍ଫୀତି ଗତ ୪୦ ବର୍ଷର ରେକର୍ଡ ଭାଙ୍ଗିଛି । ମୁଦ୍ରାସ୍ପୀତି ୧୦.୧କୁ ବୃଦ୍ଧି ପାଇଛି । ବ୍ରିଟେନର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ବୁଧବାର ସେପ୍ଟେମ୍ବର ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରତ ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ କରିଛି ଯେ, ଚଳିତମାସ ପାଇଁ ସୂଚକାଙ୍କ ୧୦.୧ ପ୍ରତିଶତ ବୃଦ୍ଧି ପାଇଛି । ଅଗଷ୍ଟରେ ମୁଦ୍ରାସ୍ଫୀତି ୯.୯ ପ୍ରତିଶତକୁ ବୃଦ୍ଧି ପାଇଥିଲା ।

ନୂତନ ମୁଦ୍ରାସ୍ଫୀତି ତଥ୍ୟ ଅନୁସାରେ ୧୯୮୨ରୁ ବ୍ରିଟେନରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହି ଅବଧି ମଧ୍ୟରେ ଜୁଲାଇ ୨୦୨୨ରେ ମୁଦ୍ରାସ୍ଫୀତି ଏହି ସ୍ତର ଛୁଇଁଥିଲା । ଦେଶର ନ୍ୟାସନାଲ ଷ୍ଟାଟିଷ୍ଟିକ୍ସ କହିଛି ଯେ, ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ଦୃତ ଗତିରେ ବୃଦ୍ଧି ପାଇଛି । ୧୯୮୦ ପରଠାରୁ ଏହା ହେଉଛି ଖାଦ୍ୟ ମୁଦ୍ରାସ୍ଫୀତିର ସର୍ବୋଚ୍ଚ ସ୍ତର । ଯାହାର ସିଧାସଳଖ ପ୍ରଭାବ ପଡିଛି ନାଗରିକଙ୍କ ଉପରେ ।

ଏଭଳି ସ୍ଥିତିରେ ଦେଶର ରାଜନୈତିକ ସ୍ଥିତି ମଧ୍ୟ ଅସ୍ଥିର ହୋଇପଡିଛି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ୍ । ପ୍ରଧାନମନ୍ତ୍ରୀ ହେବାର ମାତ୍ର ୪୫ ଦିନ ପରେ ହିଁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଲମ୍ବା ସମୟ ଧରି ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହୋଇ ଆସୁଥିଲା । ଆଉ ଆଜି ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ଲିଜ୍ ଟ୍ରସ୍ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଲିଜ୍ ଟ୍ରସ୍ କହିଛନ୍ତି, ବର୍ତ୍ତମାନର ସ୍ଥିତିକୁ ଦେଖି, ତାଙ୍କୁ ଲାଗୁଛି, ସେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କରିପାରିବେ ନାହିଁ । ସେ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ହେଲେ, ସେତେବେଳେ ଦେଶର ଆର୍ଥିକ ସ୍ଥିତିରେ ସ୍ଥିରତା ନଥିଲା । ତେଣୁ ସେ ଅର୍ଥବ୍ୟବସ୍ଥାର ମୂଳଦୂଆ ଦୃଢ କରିବାକୁ ପ୍ରୟାସ କରିଥିଲେ । ହେଲେ ସେ ଏବେ ଏହି କାମ କରିନପାରିଥିବାରୁ, ଇସ୍ତଫା ଦେଇଥିବା କହିଛନ୍ତି ।