ବଜାରରେ ଲାଗିଛି ନିଆଁ । ଦରଦାମ ବଢୁଛି, ଖାଦ୍ୟ ସାମଗ୍ରୀ କିଣିବାକୁ ଡର ଲାଗୁଛି ।

102

କନକ ବ୍ୟୁରୋ : ବଜାରରେ ଦରଦାମ ହୁତୁହୁତୁ ହୋଇ ବଢିବାରେ ଲାଗିଛି । ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଖୁଚୁରା ମୁଦ୍ରାସ୍ପୀତି । ଖାଦ୍ୟ ଓ ଇନ୍ଧନ ସାମଗ୍ରୀର ଅତ୍ୟଧିକ ଦରବୃଦ୍ଧି ଫଳରେ ଏପ୍ରିଲ ମାସରେ ଦେଶର ଖୁଚୁରା ମୁଦ୍ରାସ୍ପୀତି ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଂଚିଛି । ଗୋଟିଏ ବର୍ଷରେ ଦର ବୃଦ୍ଧି ୨ ଗୁଣ ହୋଇଛି । ଗୋଟିଏ ମାସରେ ଖାଇବା ତେଲ ୧୭ ପ୍ରତିଶତ ବଢିଥିବା ବେଳେ ପନିପରିବା ମାସକରେ ୧୫ ପ୍ରତିଶତ ବୃଦ୍ଧି ପାଇଛି ।

ବଜାରକୁ ଯିବାକୁ ଡରୁଛନ୍ତି ଗ୍ରାହକ । କାରଣ ଯେଉଁ ସାମଗ୍ରୀ କିଣିବାକୁ ଚାହୁଁଛନ୍ତି, ତାର ମୂଲ୍ୟ ହୋଇଯାଇଛି ଆକାଶଛୁଆଁ । ବିଶେଷ କରି ଖାଇବା ତେଲ, ପନିପରିବା ଓ ପେଟ୍ରୋଲ, ଡିଜେଲର ଦାମ ବଢ଼ି ବଢ଼ି ଚାଲିଛି ।

ଗୋଟିଏ ମାସରେ ଖାଇବା ତେଲ ୧୭ ପ୍ରତିଶତ ବୃଦ୍ଧି
ପନିପରିବା ମାସକରେ ୧୫ ପ୍ରତିଶତ ବୃଦ୍ଧି
ପେଟ୍ରୋଲ, ଡିଜେଲ ବଢ଼ିଲା ୭.୫ ପ୍ରତିଶତ

ଖାଦ୍ୟ ଓ ଇନ୍ଧନ ଆଦି ସାମଗ୍ରୀର ଅତ୍ୟଧିକ ଦରବୃଦ୍ଧି ଫଳରେ ଏପ୍ରିଲ ମାସରେ ଦେଶର ଖୁଚୁରା ମୁଦ୍ରାସ୍ପୀତି ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଁଚିଛି । ଏପ୍ରିଲ ମାସରେ ମୁଦ୍ରାସ୍ଫୀତି ୭.୭୯ ପ୍ରତିଶତ ରହିଛି । ୨୦୧୪ ମେ’ ମାସରେ ଦେଶର ଖୁଚୁରା ମୁଦ୍ରାସ୍ପୀତି ୮.୩୩ ପ୍ରତିଶତ ରହିଥିଲା । ଗତବର୍ଷ ଏପ୍ରିଲରେ ୪.୨୩ ପ୍ରତିଶତ ରହିଥିଲା ମୁଦ୍ରାସ୍ଫୀତି । ୨୦୨୨ ଜାନୁଆରି ମାସରୁ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତ ଉପରେ ରହିଛି । ୟୁକ୍ରେନ-ଋଷ ଯୁଦ୍ଧକୁ ଅଢେଇ ମାସ ହେବାକୁ ବସିଥିବାବେଳେ ଅଶୌଧିତ ତୈଳ ଦରର ମୂଲ୍ୟ ମଧ୍ୟ ବଢି ବଢ଼ି ଚାଲିଛି । ଏହାର ସିଧା ପ୍ରଭାବ ପଡିଛି ବଜାର ଉପରେ ।

କାହିଁକି ହେଉଛି ମୁଦ୍ରାସ୍ଫୀତି ବୃଦ୍ଧି?
ଚାହିଦା ଅନୁସାରେ ଉତ୍ପାଦନ କମିଛି
କୋଭିଡ୍ ମହାମାରୀ ମୁକାବିଲା ପାଇଁ ବଜାରକୁ ଅଧିକ ଟଙ୍କା ଛାଡିଥିଲେ ସରକାର
ଅର୍ଥନୀତିକୁ ତ୍ୱରାନ୍ୱିତ କରିବାକୁ ପାଇଁ ବିଭିନ୍ନ ପ୍ୟାକେଜ ଘୋଷଣା ହୋଇଥିଲା
ସାମଗ୍ରୀ ଠାରୁ ଟଙ୍କା ଅଧିକ ଥିବାରୁ ଦରଦାମ ବଢ଼ି ଚାଲିଛି
ଦରଦାମକୁ ନିୟନ୍ତ୍ରଣ କରିବାକୁ ସୁଧ ହାର ବଢ଼ାଇଛନ୍ତିି ରିଜର୍ଭ ବ୍ୟାଙ୍କ
ମୁଦ୍ରାସ୍ଫୀତି ଯୋଗୁଁ ଷ୍ଟକ ମାର୍କେଟ ଉପରେ ବି ପ୍ରଭାବ ପଡିଛି । ତଳକୁ ଖସୁଛି ଷ୍ଟକ ମାର୍କେଟ । ମୁଦ୍ରାସ୍ପୀତିକୁ ୪ ପ୍ରତିଶତ ସ୍ତରରେ ରଖିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ।