ନୂଆ ବିଜେପି ନେତା ବନାମ ପୁରୁଣା ବିଜେପି ନେତା । ଭୁବନେଶ୍ୱର ଏକାମ୍ର ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା ପରେ ଚରମ ସ୍ଥିତିରେ ଗୋଷ୍ଠୀକନ୍ଦଳ ।

ଭୁବନେଶ୍ୱର ଏକାମ୍ର ପାଇଁ ବିଜେପି ବାବୁ ସିଙ୍କୁ ଟିକେଟ ଦେବା ପରେ ଆଶାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ରାଜ୍ୟ ଶାଖାର ଜଣେ ବରିଷ୍ଠ ନେତାଙ୍କ ଘର ସାମ୍ନାରେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି ।

339

କନକ ବ୍ୟୁରୋ :ଭୁବନେଶ୍ୱର ବିଜେପିରେ ତେଜିଲା କନ୍ଦଳ । ଟିକେଟ ବଂଟାକୁ ନେଇ କର୍ମୀ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ଶାଖାର ଜଣେ ବରିଷ୍ଠ ନେତାଙ୍କ ଘର ସାମ୍ନାରେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଭୁବନେଶ୍ୱର ଏକାମ୍ର ପାଇଁ ବିଜେପି ବାବୁ ସିଙ୍କୁ ଟିକେଟ ଦେବା ପରେ ଆଶାୟୀ ଅମୀୟ ଦାସଙ୍କ କର୍ମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଆଜି ୯୯ ଆସନ ପାଇଁ ବିଜେପିରେ ଟିକେଟ ଘୋଷଣା ହେବା ପରେ ଆଶାୟୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଖାସ୍ କରି ଦଳରେ ନିକଟରେ ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେବା ପରେ କନ୍ଦଳ ଉଗ୍ରରୂପ ନେଇଥିଲା । ଭୁବନେଶ୍ୱର ଏକାମ୍ର ପାଇଁ ଆଶାୟୀ ଥିବା ଜଣେ ପୁରୁଖା ବିଜେପି ନେତା ଅମୀୟ ଦାସ ଯେତେବେଳେ ଟିକେଟ ରେସରୁ ବାଦ ପଡିଲେ, ସେତେବେଳେ ତାଙ୍କ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଦଳର ବରିଷ୍ଠ ନେତା ସମୀର ମହାନ୍ତିଙ୍କ ଘର ସାମ୍ନାରେ କର୍ମୀ ଗଣ୍ଡଗୋଳ କରିଥିବା ସୂଚନା ମିଳିଛି । ଏପରିକି ତାଙ୍କ କାରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ଅସନ୍ତୁଷ୍ଟ ବିଜେପି କର୍ମୀ ।

କିଛି ଦିନ ତଳେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ବାବୁ ସିଂ । ଆଉ ଦଳକୁ ଆସୁ ଆସୁ ତାଙ୍କୁ ଟିକେଟ ଦେବାକୁ ନାପସନ୍ଦ କରିଛନ୍ତି ପୁରୁଣା ବିଜେପି କର୍ମୀ । ଫଳରେ ନୂଆ ବିଜେପି ନେତା ଆଉ ପୁରୁଣା ବିଜେପି ନେତାଙ୍କୁ ନେଇ ତୀବ୍ର ଗୋଷ୍ଠୀକନ୍ଦଳ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ।

ଭୁବନେଶ୍ୱର ଲୋକସଭା ଆସନ ପାଇଁ ଅପରାଜିତା ଷଡଙ୍ଗୀଙ୍କୁ ଦଳ ପ୍ରାର୍ଥୀ ଭାବେ ସାମ୍ନାକୁ ଆଣିଥିବା ବେଳେ ୭ଟି ଯାକ ବିଧାନସଭା ଆସନ ପାଇଁ କିନ୍ତୁ ପୁରା ତାଲିକା ଘୋଷଣା କରିପାରିନାହିଁ । ଯଦିଓ ଏଠି ନିର୍ବାଚନ ତୃତୀୟ ପର୍ଯ୍ୟାୟରେ ଅଛି, ତେବେ ଅନୁମାନ କରାଯାଉଛି ବିଜେଡି ପ୍ରାର୍ଥୀ ତାଲିକାକୁ ବିଜେପି ଅପେକ୍ଷା କରିଛି । ଆଗାମୀ ଦିନରେ ଟିକେଟ ନପାଇ ଅସନ୍ତୁଷ୍ଟ ନେତାଙ୍କୁ ଦଳ ସାମିଲ କରିବାକୁ ଆଶା ରଖିଛି ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି ।ଯଦି ଏଭଳି ହୁଏ ତେବେ ଏକାମ୍ରରେ ଯେଉଁ ସ୍ଥିତି ସୃଷ୍ଟି ହେଲା ତାହା ଆଗାମୀ ଦିନରେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ଦେଖୀବାକୁ ମିଳିବ ନାହିଁ ତ?