ଗାଳି ଦେଉଥିବା ଲୋକ ଯେତେବେଳେ ବେକରେ ଫୁଲମାଳ ପକାଏ, ସେତେବେଳେ ଭିତିରିଆ ସ୍ୱାର୍ଥ କଣ ଅଛି ବୁଝାପଡେ । ଜାଣନ୍ତୁ କାହା ଉଦ୍ଦେଶ୍ୟରେ କହିଲେ ଜୟନାରାୟଣ ।

ଜୟନାରାୟଣ କହିଛନ୍ତି, ବୋଧହୁଏ ମୋଠାରୁ ଅଧିକ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ଦଳ ପାଇଛି, ତେଣୁ ତାଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ ଦିଆଯାଇଛି । ନିଜ ପାଖରେ ଅନେକ ଦୁର୍ଗୁଣ ଥିବା ସେ କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି । ସେ କେବେ ଗଧକୁ ଘୋଡା କହିପାରିବେ ନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି ।

338

ପ୍ରଥମ ଥର ପାଇଁ ବିଧାନସଭାରେ ବିରୋଧୀଦଳର ମାନ୍ୟତା ପାଇଛି ବିଜେପି । ୨୩ ବିଧାୟକଙ୍କ ସହ ଦ୍ୱିତୀୟ ବୃହତ ଦଳ ଭାବେ ଉଭା ହୋଇଛି । ହେଲେ ବିଧାୟକ ଦଳ ଭିତରେ ଯେ ସବୁକିଛି ଠିକ ନାହିଁ, ତାକୁ ନେଇ ଚର୍ଚ୍ଚା କରାଯାଉଛି । ଖାସ କରି ବିରୋଧୀଦଳ ନେତା ପଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ଜୟନାରାୟଣ ମିଶ୍ର ଓ ପ୍ରଦୀପ୍ତ ନାୟକ ।

୨୦୦୯ ପର୍ଯ୍ୟନ୍ତ ବିଜେଡି ସହ ମେଂଟ କରି କ୍ଷମତାରେ ଥିବା ବିଜେପି ମେଂଟ ଭାଙ୍ଗିବା ପରେ ରାଜ୍ୟ ରାଜନୀତିରେ ବେଶ ଦୟନୀୟ ପ୍ରଦର୍ଶନ କରିଥିଲା । ୨୦୦୯ ଓ ୨୦୧୪ରେ ଯଥାକ୍ରମେ ୬ ଓ ୧୦ ବିଧାୟକ ଜିତିଥିଲେ । ୨୦୧୯ରେ ମିଶନ ୧୨୦ କଥା କହି କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଥିବା ଦଳ ମାତ୍ର ୨୩ ଆସନରେ ସୀମିତ ରହିଲା ।

କୁହାଯାଉଛି, ୨୩ ବିଧାୟକ ଜିତିଥିଲେ ମଧ୍ୟ ବିଭିନ୍ନ ଗୋଷ୍ଠୀରେ ବିଭାଜିତ ହୋଇଛି ବିଜେପି ବିଧାୟକ ଦଳ । ଯେଉଁଥିପାଇଁ ବିରୋଧୀଦଳ ନେତା ଚୟନକୁ ନେଇ ଦଳ ଭିତରେ ଅସନ୍ତୋଷର ବହ୍ନି ଜଳିଛି । ମୁହଁ ଖୋଲି ଜୟନାରାୟଣ ମିଶ୍ର କହିଛନ୍ତି, ଦଳ କାହିଁକି ମତେ ବିରୋଧୀ ଦଳ ନେତା କଲାନାହିଁ, ତାର ଉତ୍ତର କେବଳ ସେମାନେ ଦେଇପାରିବେ । ଏହି ପ୍ରଶ୍ନର ଉତ୍ତର କେବେ ଖୋଜିବାକୁ ଚେଷ୍ଟା କରିନାହିଁ । କିଛି ଏଭଳି ଶାଣିତ ଉକ୍ତି ରଖି ଜୟନାରାୟଣ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ କରିଛନ୍ତି ।

ଉକ୍ତିକୁ ଆହୁରି ଶାଣିତ କରି ଜୟନାରାୟଣ କହିଛନ୍ତି, ବୋଧହୁଏ ମୋଠାରୁ ଅଧିକ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ଦଳ ପାଇଛି, ତେଣୁ ତାଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ ଦିଆଯାଇଛି । ନିଜ ପାଖରେ ଅନେକ ଦୁର୍ଗୁଣ ଥିବା ସେ କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି । ସେ କେବେ ଗଧକୁ ଘୋଡା କହିପାରିବେ ନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି ।

ଯୁଦ୍ଧକୁ ଗଲାପରେ ସେ କେବଳ ବିଜୟ ଚାହାନ୍ତି । କେବେ ଯୁଦ୍ଧଭୁମୀରୁ ପଳାୟନ କରିପାରିବେ ନାହିଁ । ନବୀନ ପଟ୍ଟନାୟକଙ୍କ ବିରୁ୍ଦ୍ଧରେ ଦଳ ଯୁଦ୍ଧ ଘୋଷଣା କରିଥିଲା । ଆଉ ଯଦି ଏବେ କିଏ କହିବ ତାଙ୍କ ସପକ୍ଷରେ କହିବାକୁ, ତେବେ ସେ କହିପାରିବି ନାହିଁ । ଏହି ପଦିଏ କଥା ଅନେକ ବିବାଦୀୟ ଦିଗକୁ ସାମ୍ନାକୁ ଆଣିଛି । ଖାସ କରି ରାଜ୍ୟସଭା ଉପ-ନିର୍ବାଚନରେ ଯେତେବେଳେ ବିଜେଡି ସଂଖ୍ୟା ଥାଇ ସୁଦ୍ଧା ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କଲା, ସେତେବେଳେ ନୂଆ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା କରାଗଲା ।

ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ଜୟନାରାୟଣ କହିଛନ୍ତି, ଆଜିଯାଏଁ ଗାଳି ଦେଉଥିବା ନେତା ଯେତେବେଳେ ବେକରେ ଫୁଲମାଳ ପକାଉଛନ୍ତି, ସେତେବେଳେ ଏହାର କାରଣ ବୁଝିବାକୁ ପଡିବ । ସେମାନଙ୍କ ସ୍ୱାର୍ଥ ଥିବା ପାଇଁ ମିଶିଛନ୍ତି, ଏକଥା ବୁଝାପଡୁଛି । ଓଡିଶାର ସ୍ୱାର୍ଥ ପାଇଁ ଯଦି ସମର୍ଥନ ଦେଲେ ତେବେ କଣ ସ୍ୱାର୍ଥ ହାସଲ କରିଛନ୍ତି, ସେମାନଙ୍କୁ ଜବାବ ରଖିବାକୁ ପଡିବ ।

ଜୟନାରାୟଣ ଯେଉଁ ତମାମ ଦିଗ ସବୁ ଉଠାଇଛନ୍ତି, ତାହା ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ବେଶ ମହତ୍ତ୍ୱପୂର୍ଣ୍ଣ । କାରଣ, ବିଧାନସଭାରେ ଯଦିଓ ମୁଖ୍ୟ ବିରୋଧୀଦଳ ବିଜେପି, ହେଲେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବା ଦିଗରେ ପଛଘୁଂଚା ଦେଉଥିବା ଦେଖିବାକୁ ମିଳୁଛି । ଏପରିକି ୯ ବିଧାୟକଙ୍କ ସହ କଂଗ୍ରେସ ବିଧାନସଭାରେ ଆହୁରି ପ୍ରଭାବୀ ପ୍ରଦର୍ଶନ କରୁଛି ।

ପଦକୁ ନେଇ ଜୟନାରାୟଣ ଅସନ୍ତୁଷ୍ଟ ଥିବାରୁ ଏଭଳି ବୟାନ ଦେଉଛନ୍ତି ନା ବିଜେଡି-ବିଜେପି ଭିତିରି ସଂପର୍କକୁ ନେଇ ଦଳ ଭିତରେ ଅସନ୍ତୋଷ କୁହୁଳୁଛି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ଏହି ପୁରା ପ୍ରକରଣରୁ ଗୋଟିଏ କଥା ସ୍ପଷ୍ଟ, ଦଳ ଭିତରେ ସବୁକିଛି ଠିକ ଚାଲିନାହିଁ । ଖାସକରି ବହୁଧା ବିଭାଜିତ ଗୋଷ୍ଠୀ ଏକାଠି ଭାବେ ରହିବା ପରିବର୍ତ୍ତେ ଯିଏ ଯାହା ବାଟରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କଲାଭଳି ଲାଗୁଛି ।