ଭାରତରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ : ବିଶ୍ୱରେ ଦିନକରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ମାମଲାରେ ଭାରତ ଦ୍ୱିତୀୟ; ଆମେରିକାରେ ୪୦ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗଣ ହେଉଥିବା ବେଳେ ଭାରତରେ ଦୁଇଗୁଣ ହେବାକୁ ଲାଗୁଛି ମାତ୍ର ୧୯ ଦିନ

380

କନକ ବ୍ୟୁରୋ : କରୋନା ସଂକ୍ରମଣ ମାମଲା ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶଗୁଡିକ ମଧ୍ୟରୁ ଭାରତରେ ଦ୍ରୁତ ଗତିରେ ବଢୁଛି । କେନ୍ଦ୍ର ସରକାର କରୋନା ମୁକାବିଲା କ୍ଷେତ୍ରରେ ଭାରତର ସବୁକିଛି ଠିକ ଠାକ ଚାଲିଥିବା ଦାବି କରୁଛନ୍ତି । ତେବେ ଚଳିତ ମାସର ସଂକ୍ରମଣ ତଥ୍ୟ ସ୍ପଷ୍ଟ କରୁଛି ଭାରତରେ ଉଦେବଗଜନ ଭାବେ ନୂଆ ମାମଲା ଚିହ୍ନଟ ହେଉଛି । ଗତ ସପ୍ତାହ ଠାରୁ ଦେଶରେ ପ୍ରତିଦିନ ୪୦ ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତକାଲି ପାଖାପାଖି ୫୦ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହା ବିଶ୍ୱରେ ଦିନକରେ ସର୍ବାଧିକ ପଜିଟିଭ ମାମଲା ଚିହ୍ନଟ ଠାରୁ ମାତ୍ର ୫ ହଜାର କମ୍ । ଆମେରିକାରେ ଦିନକୁ ୫୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଭାରତରେ ଦିନକୁ ଚିହ୍ନଟ ହେଉଛନ୍ତି ୫୦ ହଜାର ପାଖାପାଖି । ସେପଟେ ସର୍ବାଧିକ ସଂକ୍ରମିତ ତାଲିକାର ଦ୍ୱିତୀୟରେ ଥିବା ବ୍ରାଜିଲରେ ଭାରତର ଅଧା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଆମେରିକାରେ ୫୪ ହଜାର ୯୫୩ ଜଣ ନୂଆ ମାମଲା ଚିହ୍ନଟ ହୋଇଥିଲେ । ଭାରତରେ ୪୯ ହଜାର ୯୩୧ ଓ ବ୍ରାଜିଲରେ ୨୪ ହଜାର ୫୭୮ ମାମଲା ଚିହ୍ନଟ ହୋଇଛନ୍ତି ।

ତେଣୁ ସଂକ୍ରମଣ ବୃଦ୍ଧିର ଏହି ହାର ଜାରି ରହିଲେ ଭାରତ ଶୀଘ୍ର ଦିନକରେ ସର୍ବାଧିକ ଆକ୍ରାନ୍ତ ଦେଶ ତାଲିକାର ଶୀର୍ଷରେ ରହିବ ବୋଲି ଅନୁମାନ କରାଯାଉଛି । ସେହିପରି ବିଶ୍ୱର ସର୍ବାଧିକ କରୋନା ସଂକ୍ରମିତ ୧୦ଦେଶ ମଧ୍ୟରୁ ଭାରତରେ ଦ୍ରୁତ ସଂକ୍ରମଣ ଦେଖା ଦେଇଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହେବାକୁ ୪୦ ଦିନ ଲାଗୁଥିବା ବେଳେ ବ୍ରାଜିଲରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହେବାକୁ ଲାଗୁଛି ୩୬ ଦିନ ।