ସଂକ୍ରମଣ ବଢୁଛି, ଚିନ୍ତା ବଢୁଛି । ଦିଲ୍ଲୀ କରୋନା ସ୍ଥିତି ମୁକାବିଲା ପାଇଁ ଗୃହମନ୍ତ୍ରାଳୟ ଡାକିଲା ସର୍ବଦଳୀୟ ବୈଠକ : ଶାହାଙ୍କ ଅଧ୍ୟକ୍ଷତାରେ ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି ଓ ବିଏସପି ହେବେ ସାମିଲ

133

କନକ ବ୍ୟୁରୋ : କରୋନା ମହାମାରୀ ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି । ସକାଳ ୧୧ଟାରେ ଏହି ବୈଠକ ବସିବ । ବୈଠକରେ ଆମ୍ ଆଦମୀ ପାର୍ଟି, ବିଜେପି, କଂଗ୍ରେସ, ଓ ବହୁଜନ ସମାଜ ପାର୍ଟି ସାମିଲ ହେବେ । ରବିବାର ଅମିତ ଶାହା, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହିତ ବୈଠକ କରିବା ପରେ ଆଜିର ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି । ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏଯାଏ କେବଳ ଦିଲ୍ଲୀରେ ୩୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଗକୁ ଏହି ସଂଖ୍ୟା ଦୁଇ ଗୁଣ ହେବ ବୋଲି ଆକଳନ କରାଯାଇଛି । ଏଥିସହ ସ୍ଥିତି ଜଟିଳ ହେଉଥିବା ଦେଖି କେନ୍ଦ୍ର ସରକାର ୬ ଜଣ ଆଇଏଏସ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି ।

ରବିବାରର ବୈଠକରେ କରୋନା ମୁକାବିଲା, ଟେଷ୍ଟିଂ ବୃଦ୍ଧି ଏବଂ ହସପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି ଉପରେ ଆଲୋଚନା ହୋଇଛି । ବେଡ୍ ସମସ୍ୟା ଦୂର ଲାଗି ତୁରନ୍ତ ୫ ଶହ ରେଲୱେ ଆଇସୋଲେସନ ବେଡ୍ ଦିଲ୍ଲୀକୁ ଯୋଗାଇ ଦିଆଯିବ ବୋଲି ଗୃହମନ୍ତ୍ରୀ ଘୋଷଣା କରିଛନ୍ତି । ଦେଶର ରାଜଧାନୀରେ କରୋନା ସ୍ଥିତି ବିଗିଡିବା ପାଇଁ କେନ୍ଦ୍ର, ରାଜ୍ୟ ଓ ଏମ୍ସିଡି ମଧ୍ୟରେ ତାଳମେଳର ଅଭାବକୁ ଦାୟୀ କରାଯାଉଛି । କାରଣ ପ୍ରଶାସନିକ ବ୍ୟବସ୍ଥାରେ ତାଳମେଳ ରହୁନଥିବାରୁ କରୋନା ମୁକାବିଲା ପରିଚାଳନା ଠିକରେ ହେଉନି ଓ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା କୁହାଯାଉଛି ।