ଦେଶରେ କମୁଛି, ରାଜ୍ୟରେ ବଢୁଛି ସଂକ୍ରମଣ । ଓଡ଼ିଶାରେ ଦୈନିକ ସଂକ୍ରମଣରେ ରେକର୍ଡ, ୨୪ ଘଂଟାରେ ୧୨ ହଜାର ୩୯୦ ପଜିଟିଭ୍, ୨୨ ମୃତ 

248

କନକ ବ୍ୟୁରୋ: ଲକଡାଉନ, ସଟଡାଉନ୍ ଭଳି ଶକ୍ତ କଟକଣା ପରେ ବି ରାଜ୍ୟରେ ତଳ ମୁହାଁ ହେଉନି କରୋନା ଗ୍ରାଫ୍ । ଗତ ୨୪ ଘଂଟାରେ ପୁଣିଥରେ ଲମ୍ବା ଡିଆଁ ମାରିଛି ଦୈନିକ ସଂକ୍ରମଣ । ୫୬ ହଜାର ୨୧୪ କରୋନା ପରୀକ୍ଷା ହୋଇଥିବା ବେଳେ ୧୨ ହଜାର ୩୯୦ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଯାହାକି ଓଡ଼ିଶାର ଦୈନିକ ସଂକ୍ରମଣରେ ସର୍ବକାଳୀନ ରେକର୍ଡ । ପଜିଟିଭ୍ ହାର ରହିଛି ୨୨.୦୪ ପ୍ରତିଶତ । ଆଉ ଏହି ସମୟ ମଧ୍ୟରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ସରକାରୀ ହିସାବରେ ଦ୍ୱିତୀୟ ଲହରରେ ଏହା ହେଉଛି ଦୈନିକ ମୃତ୍ୟୁର ରେକର୍ଡ । ଗତ ୬ ତାରିଖରେ ୧୨ ହଜାର ଉପରେ ପଜିଟିଭ୍ ମାମଲା ଆସିଥିଲା । ଏହାପରେ ୬ ଦିନ ଧରି ୧୧ ହଜାର ଭିତରେ ରହିଥିଲା ସଂକ୍ରମଣ । ସଂକ୍ରମଣ ହାର ମଧ୍ୟ ଧୀରେ ଧୀରେ ହ୍ରାସ ପାଉଥିଲା । ତେବେ ଗତ ୨୪ ଘଂଟାର ଟ୍ରେଣ୍ଡ ଅଲଗା ରହିଛି । ପୁଣିଥରେ ଦୈନିକ ସଂକ୍ରମଣ ବଢିଛି, ଏବଂ ଟେଷ୍ଟ-ପଜିଟିଭ୍ ହାର ମଧ୍ୟ ବଢ଼ିଛି ।

ଓଡ଼ିଶା କରୋନା ମିଟର

ତାରିଖ ଟେଷ୍ଟ     ପଜିଟିଭ୍ ପଜିଟିଭିଟି ହାର

ମେ’ ୧୩    : ୫୬,୨୧୪    ୧୨,୩୯୦ ୨୨.୦୪%

ମେ’ ୧୨    : ୫୧,୪୫୧    ୧୦,୬୪୯ ୨୦.୭%

ମେ’ ୧୧    : ୪୯,୧୯୧    ୧୦,୯୮୨ ୨୨.୩୨%

ମେ’ ୧୦    : ୪୬,୨୪୧    ୯,୭୯୩ ୨୧.୧୮%

ମେ’ ୯     : ୪୮,୩୭୭   ୧୦,୦୩୧          ୨୦.୭୩%

ମେ’ ୮      :        ୪୮,୭୫୭    ୧୦,୬୩୫   ୨୧.୮୧%

ମେ’ ୭      :        ୫୦,୮୬୪      ୧୧,୮୦୭     ୨୩.୨୧%      

ମେ’ ୬      : ୫୦,୭୯୯             ୧୨,୨୩୮      ୨୪.୦୯%

ମାତ୍ର ୩ଟି ଜିଲ୍ଲାକୁ ଛାଡ଼ି ଓଡ଼ିଶାର କରୋନା ମ୍ୟାପ ଲାଲ ରଙ୍ଗରେ ଭର୍ତି ହୋଇ ଯାଇଛି । ମାଲକାନଗିରି, ଗଜପତି ଓ କନ୍ଧମାଳକୁ ଛାଡି ଦେଲେ ବାକି ସବୁ ଜିଲ୍ଲା ରେଡ୍ ଜୋନ୍ରେ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୫,୯୩୭ ସକ୍ରିୟ କରୋନା ଆକ୍ରାନ୍ତ ରହିଥିବା ବେଳେ ଦ୍ୱିତୀୟରେ ରହିଛି ସୁନ୍ଦରଗଡ଼ । ସୁନ୍ଦରଗଡ଼ରେ ସକ୍ରିୟ ମାମଲା ସଂଖ୍ୟା ୧୧,୭୧୮ରେ ପହଁଚିଛି ।

ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ରହିଥିବା ବେଳେ ଦେଶରେ ଧୀରେ ଧୀରେ ହ୍ରାସ ପାଉଛି ଦୈନିକ ସଂକ୍ରମଣ । କିଛି ରାଜ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁଲା ଭଳି ମନେ ହେଉଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୮ ଲକ୍ଷ ୭୫ ହଜାର ୫୧୫ ଟି କରୋନା ପରୀକ୍ଷା କରାଯାଇଛି । ଏହାରି ମଧ୍ୟରୁ ୩ ଲକ୍ଷ ୪୩ ହଜାର ୧୪୪ ପଜିଟିଭ୍ ମାମଲା ଆସିଛି । ପଜିଟିଭିଟି ହାର ମଧ୍ୟ ୧ ପ୍ରତିଶତ ହ୍ରାସ ପାଇଛି, ଗତ ୨୪ ଘଂଟାରେ ପଜିଟିଭିଟି ହାର ୧୮.୨୯ ପ୍ରତିଶତ ରହିଛି ।

ଗତ ୫ ଦିନ ଧରି କ୍ରମାଗତ ଭାବେ ୪ ଲକ୍ଷ ତଳେ ରହିଛି ଦୈନିକ ସଂକ୍ରମଣ ମାମଲା । ମେ’ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଲଗାତାର ୪ ଲକ୍ଷରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଥିଲେ । ଏହା ଧାରାରେ ବ୍ରେକ୍ ଲାଗିଛି । ଆଗକୁ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି । ମେ’ ୧୦ ତାରିଖରୁ ୨୦ ପ୍ରତିଶତ ତଳେ ରହିଛି ସଂକ୍ରମଣ ହାର । ୯ ତାରିଖରେ ଏହା ପାଖାପାଖି ୨୫ ପ୍ରତିଶତ ରହିଥିଲା । ତେବେ ମୃତ୍ୟୁ ସଂଖ୍ୟାରେ ବିଶେଷ ପରିବର୍ତନ ଦେଖାଦେଇନି । ସରକାରୀ ହିସାବ ଅନୁସାରେ ଗୋଟିଏ ଦିନରେ ଦେଶରେ ୪ ହଜାର ଲୋକ କରୋନାରେ ପ୍ରାଣ ହରାଇଛନ୍ତି ।

ଭାରତ କରୋନା ମିଟର

ତାରିଖ ଟେଷ୍ଟ           ପଜିଟିଭ୍ ପଜିଟିଭିଟି ହାର

ମେ’ ୧୩ :      ୧୮,୭୫,୫୧୫ ୩,୪୩,୧୪୪ ୧୮.୨୯%

ମେ’ ୧୨ :     ୧୮,୬୪,୫୯୪        ୩,୬୨,୭୨୭ ୧୯.୪୫%

ମେ’ ୧୧ :      ୧୯,୮୩,୮୦୪ ୩,୪୮,୪୨୧ ୧୭.୫୬%

ମେ’ ୧୦ :      ୧୮,୫୦,୧୧୦ ୩,୨୯,୯୪୨ ୧୭.୮୩%

ମେ’ ୯ :    ୧୪,୭୪,୬୦୬ ୩,୬୬,୧୬୧ ୨୪.୮୩%

ମେ’ ୮  :    ୧୮,୬୫,୪୨୮ ୪,୦୩,୭୩୮ ୨୧.୬୪%

ମେ’ ୭  :       ୧୮,୦୮,୩୪୪ ୪,୦୧,୦୭୮ ୨୨.୧୮%

ମେ’ ୬ : ୧୮,୨୬,୪୯୦ ୪,୧୪,୧୮୮ ୨୨.୬୮%’’

ମେ’ ୫   : ୧୯,୨୩,୧୩୧ ୪,୧୨,୨୬୨ ୨୧.୪୪%