ସଂକ୍ରମଣର ହାର ବଢୁଥିବା ବେଳେ କରୋନା ନେଇ ଆସିଲା ଭଲ ଖବର । ଦେଶରେ କମୁଛି କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ।

1,576

କନକ ବ୍ୟୁରୋ : ସାରା ବିଶ୍ୱରେ ମହାମାରୀ ମାଡି ଚାଲିଛି । ଦେଶରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଛି । ଏହାରି ଭିତରେ କିଛି ଭଲ ଖବର ମଧ୍ୟ ଆସିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ କମ୍ ହେବାରେ ଲାଗିଛି । ମେ’ ମାସ ସଂକ୍ରମଣ ହାର ଥିଲା ୪.୧୪ ପ୍ରତିଶତ । କିନ୍ତୁ ବର୍ତ୍ତମାନ ସଂକ୍ରମଣ ହାର ହେଉଛି, ୭.୪୪ ପ୍ରତିଶତ । ହେଲେ ମେ ମାସରେ ୩.୨୮ ପ୍ରତିଶତ ମୃତ୍ୟୁ ହାର ଥିବା ବେଳେ ଏବେ ଏହା ୨.୬୪ ପ୍ରତିଶତକୁ ଖସିଆସିଛି ।

ଦେଶରେ ବଢୁଛି ସଂକ୍ରମଣ ହାର, କମୁଛି ମୃତ୍ୟୁହାର । କରୋନା ପରୀକ୍ଷା ବୃଦ୍ଧି ପାଉଛି, ଦେଶରେ ଦୈନିକ ୨ ଲକ୍ଷରୁ ଅଧିକ ଲୋକଙ୍କର କୋଭିଡ୍ ଟେଷ୍ଟ କରାଯାଉଛି । ପରୀକ୍ଷା ଯେମିତି ବଢ଼ୁଛି, ପଜିଟିଭ୍ ହାର ମଧ୍ୟ ସେମିତି ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଶ୍ୱସ୍ତିର ଖବର ହେଉଛି, ଦେଶରେ ମୃତ୍ୟୁ ହାର ପୂର୍ବ ତୁଳନାରେ ହ୍ରାସ ପାଇଛି ।

ନଜର ପକାନ୍ତୁ, ଦେଶର ସଂକ୍ରମଣ ହାର ଉପରେ…
ମେ’ ମାସରେ ସଂକ୍ରମଣ ହାର ଥିଲା, ୪.୧୪ ପ୍ରତିଶତ । ଅର୍ଥାତ, ୧୦ ହଜାର ବ୍ୟକ୍ତିଙ୍କର ଯଦି କୋଭିଡ୍ ପରୀକ୍ଷା କରାଯାଉଥିଲା, ତେବେ ୪୧୪ ଜଣଙ୍କର ରିପୋର୍ଟ ଆସୁଥିଲା କରୋନା ପଜିଟିଭ୍ । ଏବେ କିନ୍ତୁ ବଦଳିଯାଇଛି ସ୍ଥିତି । ବର୍ତ୍ତମାନ ସଂକ୍ରମଣ ହାର ହେଉଛି, ୭.୪୪ ପ୍ରତିଶତ । ଅର୍ଥାତ, ୧୦ ହଜାର ନମୂନା ପରୀକ୍ଷାରେ ୭୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ନଜର ପକାଇବା ଦେଶରେ କରୋନାଜନିତ ମୃତ୍ୟୁହାର ଉପରେ । ମେ’ ମାସରେ ମୃତ୍ୟୁହାର ଥିଲା, ୩.୨୮ ପ୍ରତିଶତ । ଅର୍ଥାତ, ୧୦ ହଜାର ଲୋକ ଯଦି କରୋନାରେ ଆକ୍ରାନ୍ତ ହେଉଥିଲେ, ତେବେ ୩୨୮ ଜଣ ମୃତ୍ୟୁବରଣ କରୁଥିଲେ ।
ବର୍ତମାନ କିନ୍ତୁ ଏହି ଚିତ୍ର ବଦଳିଛି । ବର୍ତ୍ତମାନ ମୃତ୍ୟୁହାର ହେଉଛି, ୨.୬୪ ପ୍ରତିଶତ । ଏହାକୁ ବୁଝାଇ କହିଲେ, ପ୍ରତି ୧୦ ହଜାର ଆକ୍ରାନ୍ତଙ୍କ ମଧ୍ୟରୁ ୨୬୪ ଜଣ ମୃତ୍ୟୁ ହେଉଛି ।

ଏବେ ଓଡ଼ିଶାର ସଂକ୍ରମଣ ହାର ଉପରେ ନଜର ପକାଇବା ।
ମେ’ ୧୪ ସୁଦ୍ଧା କରୋନା ପରୀକ୍ଷା ହୋଇଥିଲା – ୭୭, ୧୫୦
ପଜିଟିଭ୍ ଚିହ୍ନଟ ହୋଇଥିଲେ ୬୧୧
ସଂକ୍ରମଣ ହାର – .୭୯ ପ୍ରତିଶତ
ଅର୍ଥାତ ପ୍ରତି ୧୦ ହଜାର ପରୀକ୍ଷାରେ ମାତ୍ର ୭୯ ଜଣ ଆକ୍ରାନ୍ତ ହୋଇଥିଲେ

ସେହିପରି ମେ’ ୧୪ ସୁଦ୍ଧା କରୋନାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା
ମୃତ୍ୟୁହାର ଥିଲା ମାତ୍ର .୪୯ ପ୍ରତିଶତଜୁଲାଇ ୧୩ – ମୋଟ କୋଭିଡ୍ ପରୀକ୍ଷା – ୩,୪୧,୫୩୭
ପଜିଟିଭ୍ ଚିହ୍ନଟ – ୧୩,୭୩୭
ସଂକ୍ରମଣ ହାର – ୪.୦୨ ପ୍ରତିଶତ
ଅର୍ଥାତ ପ୍ରତି ୧୦ ହଜାର ନମୂନା ପରୀକ୍ଷାରୁ ୪୦୨ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ସେହିପରି ଜୁଲାଇ ୧୩ ତାରିଖ ସୁଦ୍ଧା କରୋନାଜନିତ ମୃତ୍ୟୁ ସଂଖ୍ୟା – ୭୦
ମୃତ୍ୟୁହାର – .୫୦ ପ୍ରତିଶତ
ଅର୍ଥାତ ପ୍ରତି ୧୦ ହଜାର ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ଜଣଙ୍କ ମୃତ୍ୟୁ ହେଉଛି ।

ସାମଗ୍ରିକ ଭାବେ ଦେଖିବାକୁ ଗଲେ ରାଜ୍ୟରେ ସଂକ୍ରମଣ ହାର ବଢ଼ିଛି, ହେଲେ ମୃତ୍ୟୁହାର ପାଖାପାଖି ରହିଛି ।