ଗଞ୍ଜାମରେ କମୁଛି କରୋନା ପ୍ରକୋପ : ଜୁଲାଇ ଶେଷ ସପ୍ତାହରୁ ସଂକ୍ରମଣ ଗ୍ରାଫ୍ ନିମ୍ନଗାମୀ; ପୂର୍ବ ତୁଳନାରେ ୩ ଗୁଣ ହେଉଛି ଅଧିକ ପରୀକ୍ଷା
କନକ ବ୍ୟୁରୋ : କରୋନା ହଟ୍ସ୍ପଟ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସ˚କ୍ରମଣ ହାର ଧୀରେ ଧୀରେ କମିବାରେ ଲାଗିଛି। ଗତ କିଛିଦିନ ହେଲା ପ୍ରତିଦିନ ନମୁନା ପରୀକ୍ଷା ପୂର୍ବ ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଥିଲେ ବି ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଥିବାରୁ ଏହା ଜିଲ୍ଲାବାସୀ ଏବଂ କରୋନା ଲଢ଼େଇରେ ସାମିଲ ସମସ୍ତଙ୍କୁ କିଛିଟା ଆଶ୍ବସ୍ତ କରିଛି। କେବଳ ସଂକ୍ରମଣ କମିନାହିଁ, ଜିଲ୍ଲାରେ ସୁସ୍ଥ ହାର ବି ବଢ଼ିବାରେ ଲାଗିଛି। ଜୁଲାଇ ଶେଷ ସପ୍ତାହରୁ ଜିଲ୍ଳାରେ ଏହି ସକାରାତ୍ମକ ଧାରା ଆରମ୍ଭ ହୋଇଛି। ଅଗଷ୍ଟ ୧ତାରିଖଠାରୁ ଗତ ୭ ତାରିଖ ପର୍ଯ୍ୟନ୍ତ ହୋଇଥିବା ନମୁନା ପରୀକ୍ଷା ଓ ପଜିଟିଭ୍ ଚିହ୍ନଟ ସ୍ଥିତି ଦେଖିଲେ ସ୍ଥିତିରେ କ୍ରମେ ସୁଧାର ଆସୁଥିବା ଜଣାପଡ଼ିଛି। ଏହି ଧାରା ବଜାୟ ରହିଲେ ଗଞ୍ଜାମବାସୀ କରୋନାକୁ ହରାଇବା ବାଟ ଫିଟିବ ବୋଲି କୁହାଯାଉଛି। ଜିଲ୍ଲାର ୩୧୫୫ ଗାଁ ମଧ୍ୟରୁ ୨୬୧୭ ଗାଁ ଗ୍ରିନ୍ ଜୋନ୍ ଏବଂ ୫୩୮ ଗାଁ ରେଡ୍ଜୋନରେ ରହିଛି। ଜୁଲାଇ ତୃତୀୟ ସପ୍ତାହ ସୁଦ୍ଧା ଦୈନିକ ସଂକ୍ରମଣ ୫ଶହରୁ ଊର୍ଦ୍ଧ୍ବ ରହୁଥିଲା। ହେଲେ ଜୁଲାଇ ଶେଷ ସପ୍ତାହରୁ ଦୈନିକ ସଂକ୍ରମଣ ସଂଖ୍ୟା ଲଗାତାର ୩ଶହ ତଳକୁ ରହୁଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଗତ ୧ ତାରିଖରେ ୨୧୪୮ ନମୁନା ପରୀକ୍ଷା କରାଯାଇଥିବା ବେଳେ ଜିଲ୍ଲାରୁ ୩୨୦ ପଜିଟିଭ୍ ଚିହ୍ନଟ ହୋଇଥିଲା। ୨ତାରିଖରେ ୨୨୦୨ ନମୁନାରୁ ୩୩୧ ପଜିଟିଭ୍, ୩ ତାରିଖରେ ୧୯୬୦ ନମୁନାରୁ ୨୮୮ ପଜିଟିଭ୍, ୪ ତାରିଖରେ ୨୮୦୪ ନମୁନାରୁ ୨୦୧ ପଜିଟିଭ୍ ଓ ୫ତାରିଖରେ ୨୮୬୩ ନମୁନାରୁ ୨୬୮ ପଜିଟିଭ୍ ଚିହ୍ନଟ ହୋଇଥିଲା। ୬ ତାରିଖରେ ୩୧୭୪ ନମୁନାରୁ ୨୭୯ ପଜିଟିଭ୍ ଏବଂ ୭ ତାରିଖରେ ୩୩୬୮ ନମୁନାରୁ ୨୭୪ ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହି ୭ଦିନ ମଧ୍ୟରେ ମୋଟ ୧୮ହଜାର ୫୧୯ ନମୁନା ସ˚ଗ୍ରହ କରି ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୯୬୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାରେ ସୁସ୍ଥ ହାର ମଧ୍ୟ ୮୩.୪୩ ପ୍ରତିଶତ ରହିଛି।
ସଂକ୍ରମିତ ମାତ୍ର ୧୫.୫୧ ପତିଶତ ରହିଛି। ମୃତ୍ୟୁ ହାର ୧.୦୬ ପ୍ରତିଶତ ରହିଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି। ପୂର୍ବ ତୁଳନାରେ ଏବେ ୩ ଗୁଣ ନମୁନା ପରୀକ୍ଷା କରାଯାଉଛି। ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି। ପୂର୍ବରୁ ୧୦୦ଜଣ ନମୁନା ପରୀକ୍ଷା କଲେ ୬୦ରୁ ୭୦ଜଣ ପଜିଟିଭ୍ ବାହାରୁଥିଲା। ଏବେ ୨୦ରୁ କମ୍ ବାହାରୁଛି। ଜିଲ୍ଲାରେ ରୋଗୀଙ୍କ ସୁସ୍ଥ ହାର ୮୩.୪୩ ପ୍ରତିଶତ ରହିଛି। ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଅଭାବ ନାହିଁ। ଲକ୍ଷଣ ନ ଲୁଚାଇ ଆଗକୁ ଆସି ଆବଶ୍ୟକ ଚିକିତ୍ସା କରାଇବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିବେଦନ କରିଛନ୍ତି।